Unknown

 

 

 

 

 

 

 

 

 

ପ୍ରମାଦ

ଶ୍ରୀ ଗୋବିନ୍ଦ ତ୍ରିପାଠୀ

 

ସୂଚୀପତ୍ର

 

୧.

ପଦ୍ମାଙ୍କର ଦୁଃଖ

୨.

ମୋର ପରିଚୟ

୩.

ଖରା ଓ ବର୍ଷା

୪.

ବିଷମଞ୍ଜି ବୁଣା ହେଲା

୫.

ମୋର ଅବିଶ୍ୱାସ

୬.

ପରୀକ୍ଷା

୭.

ରହସ୍ୟ ମୁଁ ଭେଦକରି ପାରିବିତ ?

୮.

ନାଏବଙ୍କ ପତ୍ର

୯.

ଚୋରର ଘରେ ସିନ୍ଧି

୧୦.

ନାକ କାଟି ନାକ ହାତରେ

୧୧.

ଆତ୍ମ ପ୍ରକାଶ

୧୨.

ସ୍ୱର୍ଗେ ନରକ

୧୩.

ଛିନ୍ନଛତ୍ର

୧୪.

ଧରା ପଡ଼ିଲେ

୧୫.

ବୃଥାଶ୍ରମ

୧୬.

ଚୋରି

୧୭.

ପଦ୍ମାର ଦୁଃଖ

୧୮.

ଖୁଣି

୧୯.

ସୋମନାଥଙ୍କର ଆତ୍ମକଥା

୨୦.

ପଦ୍ମାର ଆତ୍ମକଥା

୨୧.

ଉପସଂହାର

Image

 

ପଦ୍ମାଙ୍କର ଦୁଃଖ

 

ସକାଳେ ପଦ୍ମଟିଏ ପୋଖରୀ ପାଣିରେ ଢଳ ଢଳ ହେଉଥାଏ, ଧୀର ଶୀତଳ ପବନ ତା’ର ଓଠ ଟେକି ଧରିବାକୁ ଚେଷ୍ଟା କଲେ, କେତେରଙ୍ଗରେ ମୁଣ୍ଡ ହଲାଇ, ଦିହ କନ୍ଦାଇ ତା’ର ପାଖରୁ ଦୂରକୁ, ଅତି ଦୂରକୁ ପଳାଇ ଯାଉଥାଏ । ଭଅଁରର ସୁଆଗରେ କେତେବେଳେ ପୁଣି ସ୍ଥିର ପଲକ ଆଖିରେ ରହିଯାଉଥାଏ । ମନୁଷ୍ୟ ତା’ର ସବୁ ଦୁଃଖ, ନିରାଶ, ବେଦନା, ଦୁର୍ଭାଗ୍ୟ ଘେନି ଭାବେ, ଆହା ! କମଳରାଣୀ କେଡ଼େ ସୁଆଗୀ, କେନେ ଆନନ୍ଦିନୀ ! ତା’ ବୋଲି କ’ଣ ହସନ୍ତା ପଦ୍ମରେ କୀଟ ପଶେ ନାହିଁ ? ମୃଣାଳଦଣ୍ଡ କି ଅକାଣ୍ଡରେ ଛିଣ୍ଡିଯାଏ ନାହିଁ । କମଳିନୀ ରସିକା, ସୁନ୍ଦରୀ, ନାରୀ; ନାରୀର ହୃଦୟ ବୁଝିବ କିଏ ? ତା’ର କେତେ ଦୁଃଖ ? ସେ ସଂସାର ହାତରୁ କେତେ ନିର୍ଯାତନା ସହେ । –ସ୍ୱାମୀର ଅନୁଯୋଗ, ପିଲାଝିଲାଙ୍କ ଅଳିଝଳି, ସାଇପଡ଼ିଶାଙ୍କ ନିନ୍ଦା, ଶାଶୂନଣନ୍ଦଙ୍କ ଝିଙ୍ଗାସ, ବାପମାଙ୍କ ଡହକ ବିକଳ, ନାକ କାନ୍ଦଣା । ତା’ର ଇଚ୍ଛା ଅଛି, ମାତ୍ର ଇଚ୍ଛା କରିବାର ଶକ୍ତି ନାହିଁ । ତା’ର ପ୍ରବୃତ୍ତି ଅଛି । ମାତ୍ର ପ୍ରବୃତ୍ତିର ସମ୍ଭୋଗରେ ତା’ର ଅଧିକାର ନାହିଁ । ଆଖି ଅଛି, ଦେଖିବାକୁ ମନା । କାନ ଅଛି, ଶୁଣିବା ପାପ, ପାଟି ଅଛି, କହିବା ନିନ୍ଦାର କଥା । ହୃଦୟ ଅଛି, ଅନୁଭବ କରିବା ବ୍ୟଭିଚାର । ମନ ଅଛି, କିନ୍ତୁ ଭାବିବା ନରକ । ହାଏରେ ନାରୀ !

 

ପଦ୍ମାଙ୍କ ମନରେ ଯେ କି କୀଟ ପଶି ତା’ଙ୍କୁ ବେଳେ ବେଳେ ଅତି ବିରକ୍ତ କରୁଚି, ତା’ କିଏ କହିବ ? କିଏ ବା ଜାଣିବ । ସେ ପାଟଳିପୁର ଗାଁ ଜମିଦାରଙ୍କ ସ୍ତ୍ରୀ । ସ୍ୱାମୀ ସୁପୁରୁଷ ଯୁବା । ଅଚଳାଚଳ ସମ୍ପତ୍ତିର ସେ ମାଲିକ । ପାଠଶାଠ ପଢ଼ିଛନ୍ତି ଢେର । ପ୍ରେମଟାକୁ କବିତା’ର ଶାହାଣ ଦେଇ ବେଶ୍‌ ଜକଜକ କରି ସ୍ତ୍ରୀର ଆଗରେ ଧରି ପାରନ୍ତି । ଉପନ୍ୟାସର ନାୟକ ନାୟିକାଙ୍କ କଥା ଜୁଆର ମେଲି ଦେଇ ନିଜେ ସେଥିରେ ବୁଡ଼ି ରହନ୍ତି । ସ୍ତ୍ରୀକୁ ମଧ୍ୟ ବୁଡ଼େଇ ରଖନ୍ତି । ଚାରିଖଣ୍ଡି ଗାଁରେ ନାଁ ଡାକ; ଘରେ ପୋଇଲି ପରିବାରି ଆଜ୍ଞାପ୍ରମାଣେ ହାଜର ଥାନ୍ତି । ପଦ୍ମା ସୁନା ରୁପାରେ ଭାସୁଛନ୍ତି । ତାଙ୍କ ଦୁଃଖ କ’ଣ ? ତା’ଙ୍କର ଶୋଚନା କ’ଣ ? କେତେ କେତେ ହତଭାଗା ତା’ଙ୍କ ସ୍ଥାନକୁ ଆସିବାକୁ କ’ଣ ନ ଦେବେ ? ଲୋକେ କହନ୍ତି, ସେ ‘ରାଣୀ’ । କେତେ ଲୋକ ପଛରେ କହନ୍ତି, ‘‘କାହୁଁ ଅଇଲା ଟେ, ହାଡ଼ିଆଣୀ କି ପାଲୁଣୀ; ଜମିଦାର ପୁଅଙ୍କୁ କ’ଣ ମାଇପ ମିଳୁ ନ ଥିଲା-? ମାଗିଖିଆଟାକୁ ବାଟରୁ ସାଉଁଟି ଆଣି ସୁନାସିଂହାସନରେ ବସେଇଛନ୍ତି ! କୁକୁର ବେକରେ ହୀରାମାଳି ! ସବୁ ସିନା ଭାଗ୍ୟ କରାଏ ?’’ କେହି କେହି ନିଜ ଝିଅଟିର ମାନ ଜମିଦାର ପୁଅଙ୍କ ହାତରେ ଦେବାର ଆଶା ରଖିଥିଲେ; ମାତ୍ର ସେ ପଦ୍ମାଙ୍କୁ ବିବାହ କରି ସୁଖରେ ରହିବାର ଦେଖି କହନ୍ତି–‘‘ସୁନ୍ଦରୀ ? ମଲା, ମଲା ! ନାକଟା ତ ଖଣ୍ଡାପରି ଟେକ, କପାଳ ବାଳ ସାଙ୍ଗରେ ତ ଭ୍ରୁଲତାଟା ମିଶି ଯାଇଛି ! ପୁଣି ଯୋଉ ଆଖି ! ସବୁବେଳେ କନ କନ; ଯେମିତି କାହାକୁ ଧରି ପକେଇବ ! ଚାଲିବ ଯେ ସତେ ଅବା ଦିହରେ କଡାକର ବଳ ନାହିଁ ! କିଆଁଲୋ ମା’, ଖାଉଚୁ ପିଉଚୁ ତ ଗଣ୍ଡି ଭାଜି ପଡ଼ୁଚି କାହିଁକି ?’’

 

ପ୍ରକୃତରେ ପଦ୍ମା କାହୁଁ ଅଇଲା; ତା’ଙ୍କ ବାପଘର କେଉଁଠି କି ଜାତି, କି ଗୋତ୍ର, କେହି ଜାଣନ୍ତି ନାହିଁ । କେହି ଯେବେ ସାଙ୍ଗସାଥୀ ତା’ଙ୍କୁ ଭରସି କରି ସେ କଥା ପଚାରେ, ତା’ହେଲେ ସେ ମୁହଁ ବୁଲେଇ ଦେଇ ଗୁମ୍‌ମାରି ବସନ୍ତି । ଜମିଦାରଙ୍କ ଆଖିରେ ତା’ଙ୍କ ସୁନ୍ଦର ପଣର ପଟାନ୍ତର ନାହିଁ-। କିନ୍ତୁ ଏସବୁ ପାଇଁ ପଦ୍ମାଙ୍କ ମନରେ ଲେଶମାତ୍ର ଭାବନା ନ ଥାଏ । ସେ ଘର କଲେଣି ଏ ତିନିଚାରି ବର୍ଷ ହେଲା । ମହା ସୁଖରେ ଏପର୍ଯ୍ୟନ୍ତ କଟି ଯାଇଚି । ବାପଘର କଥା ପଡ଼ିଲା ବେଳଛଡ଼ା ତାଙ୍କ ମୁହଁରେ ହସ ସବୁବେଳେ ଲାଖି ରହିଥାଏ । କାହୁଁ ଅଇଲା ସତ, କିନ୍ତୁ ଏତେ ବଡ଼ ସଂସାର ଚଳାଇବାରେ ସେ ଦିନେ ହେଲେ ହୁଡ଼ି ନାହିଁ । ଯେମିତି ସେ ଜନ୍ମରୁ ‘ରାଣୀ’ ! ତା’ଙ୍କର କଥାବାର୍ତ୍ତା ଚାଲିଚଳଣ ସବୁ ସାଦାସିଧା । ତଥାପି ତା’ ଭିତରେ ବଡ଼ଲୋକି ଟିକିଏ ଲୁଚି ରହିଥାଏ । ସ୍ୱାମୀଙ୍କ ସେବାରେ ତା’ଙ୍କ ଦିନରୁ ତିନିଭାଗ କଟିଯାଏ । ସ୍ୱାମୀଙ୍କ ପାଇଁ ରୋଷେଇ କରିବା, ବାସନ ମାଜିବାଠାରୁ ଆରମ୍ଭ କରି, ତାଙ୍କର ଜୋତା ପୋଛିବା, ତାଙ୍କ ପାନିଆ ସଫା କରିବା ପର୍ଯ୍ୟନ୍ତ ସବୁକାମ ସେ ହାତେ ହାତେ କରନ୍ତି । ଏତେ ପୋଇଲି ପରିବାର; କେହି ସାହାଯ୍ୟ କରିବାକୁ ଆସିଲେ ତା’ଙ୍କୁ ଭୁଡ଼ୁକି ମାରି ଘଉଡ଼ାଇ ଦିଅନ୍ତି । ଶାଶୂ, ନଣନ୍ଦ ଯା’ କେହି ନାହାନ୍ତି । ସେ ଏକା, ବଗ ବଗୁଲୀ ପରି ସ୍ତ୍ରୀ ପୁରୁଷ ଯୋଡ଼ିକ ନିଜ ନିଜ ଭିତରେ ଭୋଳ ଥାନ୍ତି । କାହାର ସୁଖଦୁଃଖ, ଝିନ୍‌ଝିଞ୍ଜାଟ ତା’ଙ୍କ କ୍ଷୁଦ୍ର ସଂସାର ଭିତରେ ପଶି ପାରେ ନାହିଁ ।

 

କିନ୍ତୁ ଏ କେତେଦିନ ହେଲା, ତା’ଙ୍କ ମନରେ ହଠାତ୍‌ ଗୋଟେ କି ଚିନ୍ତା, ଆସିଚି;–ସେ ଟିକିଏ ବେଳ ପାଇଲେ, କାବାଙ୍କ ପରି ଗାଲରେ ହାତଦେଇ କ’ଣ ଗୁଡ଼େ ବସି ଭାବୁଥାନ୍ତି । ରନ୍ଧାବଢ଼ା କରୁ କରୁ କୁ ଦିନ ମାଛରେ ଘିଅ ପକେଇ ଦିଅନ୍ତି, ଭଜାରେ ତେଲ ଅଜାଡ଼ି ଦିଅନ୍ତି । ସ୍ୱାମୀଙ୍କ ଘର ଓଳଉ ଓଳଉ ଛାଞ୍ଚୁଣି ବାଜି ପିକିଦାନିଟା ଲେଉଟି ପଡ଼ିଲାଣି, ହୁଏତ ତେଣିକି ଦୃଷ୍ଟି ନାହିଁ । ତା’ଙ୍କର ଏ ଭାବାନ୍ତର ଜଣେ ମାତ୍ର ଲକ୍ଷ୍ୟ କରିଥିଲା,–ସେ ମୁଁ ।

Image

 

ମୋର ପରିଚୟ

 

ମୋ ପିତାଙ୍କ ନାମ ନବଘନ ମହାପାତ୍ର । ଆମ୍ଭମାନଙ୍କ ଘର ଏହି ପାଟଳିପୁର ମୌଜାରେ । ନିତାନ୍ତ ଗରିବ ଅବସ୍ଥାରେ ଥିବାରୁ ବର୍ତ୍ତମାନ ଜମିଦାରଙ୍କ ମା’ ସା’ନ୍ତାଣି ମତେଆଣି ଘରେ ପାଳିଥିଲେ । ମୁଁ ଜମିଦାର ଘର ଚାହାଳି ଅବଧାନଙ୍କ ପାଖରେ ପାଠପଢ଼ି, ଗାଁ ଭର୍ଣ୍ଣାକ୍ୟୁଲର ସ୍କୁଲରେ ଭର୍ତ୍ତି ହେଲି । ଏଥି ମଧ୍ୟରେ ଜମିଦାରଙ୍କ କୃପାରୁ ମୋର ବାରବର୍ଷ ବୟସବେଳେ ପାଖ ଗାଁ ଖଣତାପଡ଼ାର ଫଲଣା ମହାପାତ୍ରଙ୍କ ସହିତ ବିବାହ ହୋଇଗଲା । କିନ୍ତୁ ଅକର୍ମା ଯେଉଁ ଗଛରେ ବସେ ଗଛର ଡାଳ ଛିଣ୍ଡିପଡ଼େ । ମୋର ସ୍ୱାମୀ ମତେ ବିବାହର ଛ’ମାସ ପରେ ଭସାଇ ଦେଇ ଚାଲିଗଲେ । ବାରବର୍ଷର ବାଳିକା ମୁଁ; ଟିକିଏ ଟିକିଏ ଜ୍ଞାନ ହୋଇଥିଲା; ପୁଣି ଜମିଦାରଙ୍କ ଘରୁ ନୂଆ ନୂଆ ବଙ୍ଗଳା ଉପନ୍ୟାସ ପଢ଼ି ଦାମ୍ପତ୍ୟ ପ୍ରଣୟର ଭାବ ଟିକିଏ ମନରେ ବୁଝିଥିଲି । ଏ ବ୍ରଜ ଆସି ମୁଣ୍ଡରେ ପଡ଼ିଲାରୁ ମୋର ସବୁ ଆଶା ଭରସା, ହଜାର ହଜାର କଳ୍ପନା କୁଆଡ଼େ ଉଭେଇ ଗଲା । ତହିଁ ଆରଦିନ ଉଠି ଦେଖିଲି, ମା’ ବସୁଧା ମୋ ଗୋଡ଼ତଳୁ ଖସି ଯାଉଛି,–ମୁଁ ସାତମଙ୍ଗୁଳି ରାଣ୍ଡ ! ମୋ ମୁହଁ ଚାହିଁଲେ ପାପ; ମୁଁ ବାପ ମା’ଙ୍କ ଆଖିରେ ଲଙ୍କାମରିଚ ଗୁଣ୍ଡ,–ସାଇ ପଡ଼ୋଶୀ ସାଥୀ ସଙ୍ଗାତଙ୍କର ହାତପୋଛା ମାଟି ! ସଂସାରରେ ମୋର ସ୍ଥାନ ନାହିଁ । ଜମିଦାରଙ୍କ ଘରକୁ ଗଲି, ଦେଖିଲି ମୋର ଏଠାରେ ସବୁଅଛି,–ସୁଖ, ସ୍ନେହ, ଆଦର, ସମ୍ମାନ ସବୁ ଏହିଠାରେ । ମା’ ସା’ନ୍ତାଣିଙ୍କ ଲୁହରେ ମୋର ସବୁ ଅଭିମାନ, ଆଶଙ୍କା ଧୋଇ ହୋଇଗଲା । ମୁଁ ସେଇଦିନୁ ଉଆସରେ ରହିଲି । ମୋର ଝିଅପରି ଆଦର, ସା’ନ୍ତାଣିଙ୍କ ଅନୁଗ୍ରହ ଦେଖି ଚାକର ଚାକରାଣୀ ଗୁଡ଼ାକ ବି ମୋ କଥା ତଳେ ପକାନ୍ତି ନାହିଁ । ଥରେ ରାମାଭଣ୍ଡାରୀ, ଅଲକ୍ଷଣୀ ରାଣ୍ଡି, ଘଇତାକୁ ଖାଇ ପେଟ ପୂରିଲାନାହିଁ ଯେ ଆସିଚି ଜମିଦାରଙ୍କ ଘର ଖାଇବାକୁ,–ଏଇ କଥାତକ କହିଥିଲା, ମୁଁ ତା’କୁ ବକିଥିଲି, ତା’ର ପ୍ରତିଶୋଧସ୍ୱରୂପ,–ଅବଶ୍ୟ ମୋ ଆଗରେ ନୁହେଁ, ଲୁଚେଇ କରି । ମୁଁ ତ ଅଲେଇର ବଳା, ବିଶିକେସନ, ସେ କଥା ଶୁଣି ସାତରାଜାଙ୍କ ମାନକରି ବସିଲି । ମା’ ସା’ନ୍ତାଣି କେତେ ଆଦର କଲେ, ମୁଁ ସିଠଉ ସବୁକଥା ଖୋଲିକରି କହିଦେଲି । ରାମା ବରଖାସ୍ତ ହୋଇଗଲା-। ସେହିଦିନୁ ସମସ୍ତେ ଜାଗତ୍ୟାର ।

 

ମୋର ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଜମିଦାରଙ୍କ ଘରର ଗୋଟିଏ ଗୋଟିଏ କାମ ମୋ ହାତକୁ ଆସିବାକୁ ଲାଗିଲା । ସକାଳୁ ଉଠି ଗାଧୋଇ ପାଧୋଇ ମା’ ସା’ନ୍ତାଣିଙ୍କ ପୂଜା ଠା’ କରେଁ । ତୁଳସୀ, ଗୋରଚନା, ନିର୍ମାଲ୍ୟ ତୁଳସୀମୂଳେ ସଜାଡ଼ି ରଖେଁ । ତା’ପରେ ସରଘରୁ ରୋଷେଇ ଶାଳ, ରୋଷେଇ ଶାଳରୁ ଗାଈ, ମଇଁଷି ଗୁହାଳ, ଇମିତି ହଉ ହଉ ମୋ ଦିନ କୁଆଡ଼େ ପାଣିପରି ବୋହିଯାଏ । ସଞ୍ଜବେଳକୁ ତୁଳସୀ ମୂଳରେ ବଳିତା ବସେଇ ଟିକିଏ ଜପ କରି ବସେଁ । ଏ ଅଭ୍ୟାସଟା ଯେ ମୋର କିମିତି ହେଲା ତା’ ମୁଁ ଜାଣେନାହିଁ, ମା’ ସା’ନ୍ତାଣିକି ଆଉ କେହି ଦିନେ ହେଲେ ତୁଣ୍ଡ ଫିଟାଇ ଏକଥା କହି ନାହାନ୍ତି । ଦିନେ ଦେଖିଲି, ମୋ ଘରେ–ମୋର ଗୋଟେ ଅଲଗା ଘର- ଗୋଟେ ଜପ ପେଡ଼ି ଭିତରେ ରୁଦ୍ରାକ୍ଷମାଳି, ଶିରକାପଡ଼ା, ନାମାବଳୀ, ଗଙ୍ଗା ମୃର୍ତ୍ତିକା, ନିର୍ମାଲ୍ୟ କୋଥଳି ରହିଛି । ସେ ଦିନ ସଞ୍ଜବେଳେ ମା’ ଜପ କରିବାକୁ ବସିଲାବେଳେ ମତେ ଡାକିଲେ–‘‘ମଣି ଆସିଲୁ, ମୋ ପାଖରେ ଟିକିଏ ବସିବୁ–,’’ ମୁଁ ଗଲି । ସେ ଜପରେ ଲାଗିଲେ; ମୁଁ ଖୁଣ୍ଟପରି ବସି ରହିଲି । ଦି’ତିନିଦିନ ଗଲା, ତା’ ପରେ ମୁଁ ଦେଖିଲି, ଖାଲି ଏବେ ବସିବି କିଆଁ, ମୋର ତ ମାଳି ଅଛି, ମୁଁ ଜପରେ ଲାଗିଯାଏଁ । ସେଇଦିନୁ ଏ ମୋର ଗୋଟେ ଅଭ୍ୟାସ । ଜପ ସରିଲେ, ମା’ଙ୍କ ପୂଜା ଘରେ ଆମେ ଦିହେଁ, ଆଉ ଯେତେକ ବୁଢ଼ୀପୋଇଲି ସମସ୍ତେ ବସୁଁ । ରାମାୟଣ ମହାଭାରତ ପଢ଼ାହୁଏ । ମୁଁ ପଢ଼େ, ଅର୍ଥ କରେଁ । ଯେଉଁଠି ଝୁଣ୍ଟେ, ସିଠେଇଁ ମା’ ବତେଇ ଦିଅନ୍ତି । ତା’ଙ୍କର ଭାଗବତ, ରାମାୟଣ ସବୁ ତୁଣ୍ଡେ ତୁଣ୍ଡେ । ତା’ପରେ ଶୋଇବାକୁ ଯାଉ ।

 

ଏହିପରି ଦିନ କଟିଗଲା । ମୁଁ ଜମିଦାର ଘରର ଜଣେ ହୋଇ ରହିଲି । ମା’ ସା’ନ୍ତାଣିଙ୍କ ଅଳିଝଳିରେ ବୁଢ଼ା ସାନ୍ତେ ମାଇପ ଘେନି ତୀର୍ଥ କରିବାକୁ ବାହାରିଲେ । ମୁଁ ଅବଶ୍ୟ ସାଙ୍ଗରେ ଗଲି-। ସେତୁବନ୍ଧଠାରୁ ରାମେଶ୍ୱର ପର୍ଯ୍ୟନ୍ତ ବହୁତ ତୀର୍ଥ ବୁଲି ଶେଷରେ କାଶୀରେ ବର୍ଷେ ଖଣ୍ଡେ କଟେଇବାର ଠିକ୍‌ ହେଲା । ଗଙ୍ଗାକୂଳରେ ଗୋଟିଏ ଦୋ’ମହଲା ପକ୍କା ଭଡ଼ା ନେଇ ସମସ୍ତେ ସେହିଠାରେ ରହିଲୁଁ । ନୀଳାମ୍ୱର ଜମିଦାରବାବୁଙ୍କ ପୁଅ, ସେତବେଳକୁ ତା’ଙ୍କର ବୟସ ୨୩ ବର୍ଷ-। କଟକ କଲେଜରୁ ବି.ଏ. ପାସ୍‌ କରିଥାନ୍ତି ସତ, କିନ୍ତୁ ଭାରି ପିଲାଳିଆ । ଦିନେ ବାପାଙ୍କ ସାଙ୍ଗରେ ସେ ଦଶାଶ୍ୱମେଧ ଘାଟକୁ ସ୍ନାନ କରିବାକୁ ଯାଇଚିନି, ଗୋଟେ ଖିଆଲ ହେଲା, ଲୁଗାପଟା ବାନ୍ଧି ପହଁରିବାକୁ ବାହାରିଲେ । ବୁଢ଼ା ସାନ୍ତେ ମନାକରୁଚିନି, ତାଙ୍କର ବୋଲ ନ ଘେନି ଯାଉ ଯାଉ କିଛି ବାଟରେ ଗୋଡ଼ରେ ଲୁଗା ଲାଗି ସେ ବୁଡ଼ିଗଲେ । ‘‘କ’ଣ ହେଲା?’’ ‘‘କ’ଣ ହେଲା ?’’ ବୋଲି ଘାଟରୁ ଘୋର ଗୋଳମାଳ ଉଠିଲା । ଲୋକେ ଦେଖିଲେ, ସେ ଯେଉଁଠାରେ ବୁଡ଼ିଛନ୍ତି ତା’ର କିଛି ଦୂରରେ ଗୋଟେ କିମ୍ଭୀର ଭାସୁଚି ! କାହାରି ସାହାସ ହେଲା ନାହିଁ ଯାଇ ଘେନି ଆସିବେ । ନୀଳାମ୍ୱର ୟା ଭିତରେ ତିନିଥର ବୁଡ଼ି ଉଠିଲେ; କାବୁରୁ କାବୁରୁ ହଉଛନ୍ତି, ଢୋକେ ଖଣ୍ଡେ ପାଣି ପିଇ ସାରିଲେନି, କିମ୍ଭୀରଟା ମଧ୍ୟ ତାଙ୍କ ଆଡ଼କୁ ଆସୁଚି ! ବୁଢ଼ା ସାନ୍ତେ କ’ଣ କରିବେ ଭାବି ନ ପାରି ଆଖି ମୁଦି ବିଶ୍ୱନାଥଙ୍କୁ ଧ୍ୟାନ କରିବାକୁ ଲାଗିଲେ । ଏହିପରି ସମୟରେ ଘାଟର ଡାହାଣ ଦିଗରୁ ଶବ୍ଦ ହେଲା–ଝୁପ୍‌ । ଆଖି ପିଛଡ଼ା ମାତ୍ରକେ ସମସ୍ତେ ଦେଖିଲେଟି, ଜଣେ ପ୍ରୋଢ଼ କିମ୍ଭୀରକୁ ଭ୍ରୁକ୍ଷେପ ନ କରି ନୀଳାମ୍ୱର ଆଡ଼କୁ ପହଁରି ଚାଲିଚନ୍ତି । କିମ୍ଭୀର ପ୍ରାୟ ଆଉ ଦି’ତିନି ହାତ ଦୂରରେ, କିନ୍ତୁ ପୌଢ଼ ନୀଳାମ୍ୱରଙ୍କ ପାଖରେ ପହଞ୍ଚି, ତାଙ୍କୁ ପିଠିରେ ଘେନି ଫେରି ଚାଲିଲେ । ଆଶ୍ରୟ ପାଇ ନୀଳାମ୍ୱରଙ୍କର ହୋସ ଆସିଲାନି, ସେ ଚେଷ୍ଟାକରି ଲୁଗାପଟା ଗୋଡ଼ରୁ ବାହାର କରିଦେଲେ । ନୀଳାମ୍ୱରଙ୍କୁ ଆଗରେ ରଖି ଭଦ୍ରଲୋକଟି ପଛରେ ପହଁରି ଆସୁଛନି–କେତେବେଳେ ବୁଡ଼ି, କେତେବେଳେ ବଙ୍କେଇ, କିମ୍ଭୀର ତାଙ୍କ ପଛେ ପଛେ ତୀରବେଗରେ ଆସୁଚି; ନୀଳାମ୍ୱର ଥଳରେ ପହଞ୍ଚିଲାବେଳକୁ କିମ୍ଭୀରଟା ଖଗପିଟି ପ୍ରୌଢ଼ଙ୍କର ଗୋଡ଼ରୁ ପୁଳେ ଧରିନେଲା । ଲୋକଙ୍କର ଅଳ୍ପପାଣି ହେତୁ ସାହାସ ଆସିଚି । ସେମାନେ ଚେଷ୍ଟାକରି ଭଦ୍ରଲୋକଙ୍କୁ କିମ୍ଭୀର ମୁହଁରୁ ଟାଣି ଆଣିଲେ ସତ, କିନ୍ତୁ ଏ ଟଣା ଓଟରାରେ ତାଙ୍କର ଗୋଟିଏ ପାଦ ଛିଡ଼ିଗଲା । ବୁଢ଼ା ସାନ୍ତେ ଏହାଦେଖି ତା’ଙ୍କୁ ଘେନି ଡାକ୍ତରଖାନାକୁ ଗଲେ । ସେଠାରେ ଅପରେସନ ହେରିକା କରାଇ ତାଙ୍କୁ ଘେନି ବସାକୁ ଫେରି ଆସିଲେ ।

Image

 

ଖରା ଓ ବର୍ଷା

 

ତା’ପରେ କିଛି ଦିନ ଚାଲିଯାଇଚି । ମୋ ଭାଗ୍ୟରେ କାଶୀବାସ ବେଶୀ ଦିନ ଘଟିଲା ନାହିଁ । ଉଆସର କୌଣସି ଗୋଟେ ଗୋଳମାଳର ଖବର ତହସିଲଦାରଙ୍କଠାରୁ ପାଇ ସା’ନ୍ତାଣି ମତେ ଗୋଟେ ଚାକର ସାଙ୍ଗରେ ପଠେଇଦେଲେ, ଏ ଘଟଣାର ଦୁଇଦିନ ପରେ । ସେ ଦୁଇଦିନଟି ପ୍ରୌଢ଼ ଅଚେତ ହୋଇ ପଡ଼ି ରହିଥିଲେ; ସା’ନ୍ତେ, ସା’ନ୍ତାଣି ଏପରି ଅବସ୍ଥାରେ ତାଙ୍କୁ ଛାଡ଼ି ଆସିବାକୁ ଇଚ୍ଛା କଲେନାହିଁ । ମୁଁ ଯେ ଆସିଲି, ଫେରି ପାରିଲିନାହିଁ । ବୁଢ଼ିଆଣୀ ସୂତାଖିଅ ପରି ଗୋଟାକ ପରେ ଗୋଟାଏ କାମ ମତେ ବାନ୍ଧି ରଖିଲା । ତିନି ଚାରିମାସ ଚାଲିଗଲାଣି; ମୁଁ କିଛି ଚିଠିପତ୍ର ପାଏ ନାହିଁ । ତହସିଲଦାରଙ୍କୁ ପଚାରିଲେ ସେ କହନ୍ତି, ‘‘ସା’ନ୍ତ ସା’ନ୍ତାଣୀ ଭଲ ଅଛନ୍ତି ।’’ କିନ୍ତୁ କେବେ ଫେରିବେ କିଛି ଠିକ୍‌ନାହିଁ । ହଠାତ୍‌ ଦିନେ ସମ୍ୱାଦ ଆସିଲା, ନୀଳାମ୍ୱରଙ୍କର ବିବାହ ହୋଇ ଯାଇଚି । କାହା ସାଙ୍ଗରେ କିଛି ଜଣାନାହିଁ; ବୁଢ଼ା ସା’ନ୍ତେ ଚିଠି ଲେଖିଚନ୍ତି; ସୁତରାଂ ଭାଇବନ୍ଧୁଙ୍କର ସନ୍ଦେହ କରିବାର କିଛି କଥା ନାହିଁ । ବୁଢ଼ା ଭାରି ଖାଣ୍ଟି ଲୋକ; ଭଲ ଜାତିଗୋତ୍ର ନ ଦେଖି ବିବାହ ଦିଅନ୍ତେ ନାହିଁ । ମହାଆଡ଼ମ୍ୱରରେ ଗାଁରେ ଭୋଜି ହୋଇଗଲା । କେବଳ ଜଣେ ଲୋକ କେତେଜଣଙ୍କୁ ମତାଇ ଗୋଟେ ଗୋଳମାଳର ଉପାୟ ପାଞ୍ଚୁଥିଲେ । ସେ ଦାମିଦାସେ; ତାଙ୍କର କନ୍ୟା ସତ୍ୟବତୀ ସହିତ ନୀଳାମ୍ୱରଙ୍କର ବିବାହ କଥା ପଡ଼ିଥିଲା । ଅବଶ୍ୟ ନିର୍ବନ୍ଧ ହୋଇନାହିଁ । ତଥାପି ସେ ବଡ଼ ଆଶା କରିଥିଲେ । ଜମିଦାରଙ୍କୁ ଜୋଇଁ କରିପାଇଲେ ସେ ଗାଁରେ ଗୋଟେ ମସ୍ତ ବଡ଼ଲୋକ ହୋଇ ଉଠିବେ । ଏ ବିବାହରେ ତାଙ୍କର ସବୁ ଆଶାଭରସା ବୁଡ଼ିଗଲା । ସେ ସେହିହେତୁରୁ ଗାଇ ବୁଲିଲେ । କନ୍ୟାର ଜାତିକୁଳ ନ ଜାଣି ବିବାହ ପଙ୍ଗତରେ ଯୋଗ ଦେବା ଅନ୍ୟାୟ । ତହସିଲଦାରଙ୍କ କାନରେ ଏକଥା ପଡ଼ିଲାରୁ, ସେ ଟିକିଏ ମୁଡ଼ୁକି ହସା ଦେଇ ବସ୍ତାନି ଭିତରୁ ପାଞ୍ଚ ବର୍ଷର ଗୋଟେ ତମସୁକ ବାହାର କରି ଦାମି ଦାସଙ୍କ କରଜ ଉପରେ ସୁଧ ଅସୁଲ ମୋଟ ୩୦୦୦ ଟଙ୍କାର ନୋଟିସ୍‌ ଜାରି କଲେ । ଦାମିଦାସେ ବୁଦ୍ଧିମାନ ସେ ସଂକେତର ଉଦ୍ଦେଶ୍ୟ ବୁଝିପାରି ଚୁପ୍‌ହୋଇ ସୁନାପିଲାଙ୍କ ପରି ଖାଇଦେଇ ଚାଲିଗଲେ । ବିବାହ ଭୋଜିର ଦୁଇମାସ ପରେ ଚିଠି ଆସିଲା, ସାଆନ୍ତାଣୀଙ୍କ ଦିହ ଭାରି ବେରାମ । ତା’ପରେ ସା’ନ୍ତାଣୀ ଆମ୍ଭମାନଙ୍କୁ, ଅକୂଳ ସାଗରରେ ଭସାଇ ଦେଇ ଅହି ଡେଙ୍ଗୁରା ବଜାଇ ସ୍ୱର୍ଗଧାମକୁ ଚାଲିଗଲେ । ତାଙ୍କର ଅନ୍ତ୍ୟେଷ୍ଟି ନ ଯାଉଣୁ ସାନ୍ତେ ମଧ୍ୟ–ପାଟଳିପୁର ଗାଁ ଶୋକରେ ବୁଡ଼ିଗଲା ।

 

ଗରିବଠାରୁ ଧନୀ ପର୍ଯ୍ୟନ୍ତ କିଏ ଯେ ସେମାନଙ୍କଦ୍ୱାରା ଉପକୃତ ହୋଇ ନ ଥିଲା ଏପରି ନାହିଁ । କିନ୍ତୁ ଅନ୍ୟମାନଙ୍କର ଯେ ସ୍ୱାର୍ଥହାନି ହୋଇ ଥାଉ ମୋର ବାଟର ଆଶ୍ରାବଟଟି ଟଳି ପଡ଼ିଲା । ମୁଁ ମା’ ସା’ନ୍ତାଣିଙ୍କ ବଳରେ ସିନା ଗେହ୍ଳା । ଜମିଦାର ଘରେ ସା’ନ୍ତାଣି; ସେ ଚାଲିଗଲେ ମୋର ଅବସ୍ଥା କ’ଣ ହେବ ? ଏ ଚାକର ବାକରଗୁଡ଼ାକ, ଏମାନେ ଜାଣନ୍ତି ମୁଁ କେତେକଡ଼ାର ମଣିଷଟେ; କେବଳ ସା’ନ୍ତାଣିଙ୍କ ମୁହଁକୁ ଡରିମରି ରକ୍ତଚାଉଳ ଚୋବାଇ ଚୁପ୍‌ହୋଇ ପଡ଼ିଥାନ୍ତି । ଏଥର ତ ମତେ କେତେମନ୍ତେ ଛିଗୁଲେଇବେ, କେତେ ଅପମାନ ଦେବେ ! ମୁଁ କେଉଁଠି ମୁଣ୍ଡ ଗୁଞ୍ଜିବି ? ଶାଶୁଘର କ’ଣ ଜାଣି ନାହିଁ । ଶାଶୁଘରେ କିଏ ଅଛନ୍ତି କି ନାହିଁ, ତା’ ମଧ୍ୟ ଦିନେ ଖୋଜ ଖବର ନେଇ ନାହିଁ । ବାପା ବୁଢ଼ା; ଚାଲିବୁଲି ପାରନ୍ତି ନାହିଁ । ମତେ ସା’ନ୍ତାଣି ଯେ ଦି’ଚାରି ପଇସା ଅଣ୍ଟା ଖରଚ ପାଇଁ ଦିଅନ୍ତି; ତାକୁ ନେଇ ତା’ଙ୍କୁ ଦିଏ; ସେଥିରେ ତା’ଙ୍କର କୃତ୍ୟ ଚଳେ । କ’ଣ କରିବି-? କାହାକୁ କହିବି ? ନୀଳାମ୍ୱର ଅବଶ୍ୟ ଭଲ ପିଲା; ମତେ ‘ନାନୀ’ ‘ନାନୀ’ ବୋଲି ଡାକେ । କଟକରୁ ଫେରିଲାବେଳେ ମୋ ପାଇଁ କେତେ ନୂଆ ନୂଆ ଜିନିଷ ଆଣେ । କିନ୍ତୁ ସେ ସମୟ କ’ଣ ଆଜି ଅଛି ? ସେ ଯେ ଆଜି ବିବାହିତ ! ଆଉ ଗୋଟିଏ କିଏ ଆସି ଘରର ମାଲିକ ହୋଇ ବସିବ; ନୀଳାମ୍ୱରକୁ ଯେମିତି ନଚେଇବ ସେ ସିମିତି ନାଚିବ; ସେ କ’ଣ ମତେ ଘରେ ରଖିବ ? ରଖିବ ଯଦି ତା’ହେଲେ ଏ ଘରେ ମୋର ସ୍ଥାନ କ’ଣ ହେବ ? ସାମାନ୍ୟ ପୋଇଲି, ରାମା ମା’ ମଧୁଆ ମା’ଙ୍କ ପରି ଜଣେ ! –ମୁଁ ତା’ସହି କିମିତି ରହିବି ?

 

ଯାହାହଉ ନୀଳାମ୍ୱର ଘରକୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏଁ ! ତା’ପରେ ଯାହା ହବାର ହବ । ତା’ର ଆସିବା ତିନିଦିନ ପରେ ନୀଳାମ୍ୱର ତା’ ସ୍ତ୍ରୀକୁ ଧରି ଆସି ପହଞ୍ଚିଲେ । ତା’ର ମନରେ ସୁଖ ନାହିଁ; ସବୁବେଳେ ଆଖି ଛଳ ଛଳ, ଘର ଭିତରକୁ ଆସି ଦିନେକାଳ କାହାରିକୁ କିଛି ନ କହି ଗୋଟେ ଘରେ ପଡ଼ିରହିଲା; ତା’ର ସ୍ତ୍ରୀ ପଦ୍ମା ସିମିତି ଗୋଟେ ଘରେ ଜାକିଜୁକି ହୋଇଥାଏ-। ଏକେତ ନୂଆ ଲୋକ, ତା’ପରେ ପୁଣି ଏ ଦୁଃଖ; କାହାକୁ କ’ଣ କହିବି ? କାହାକୁ ବା ଚିହ୍ନିଚି ? ମୁଁ ଯାଇ ହାତ ଓଠ ଧରି ବହୁତ ବୁଝାଏଁ; ଏ ଓଳି ସେ ଓଳି ଭିଡ଼ାଭିଡ଼ି କରି ଖାଇବାକୁ ବସାଏଁ । ସେ କ’ଣ ଗୁଣ୍ଡେ ଦିଗୁଣ୍ଡା ମୁହଁକୁ ନିଏ କି ନାହିଁ ଉଠିଯାଏ । ତହିଁ ଆରଦିନ ନୀଳାମ୍ୱର ମୋ ପାଖକୁ ଆସି କାନ୍ଦ କାନ୍ଦ ହୋଇ କହିଲା–‘‘ମଣି ନାନି ! ଘର ଦୁଆର ତୁମର, ତୁମେ ସାଇତିଲେ ଏ ସବୁ ରହିବ; ନଇଲେ ଭାଜି ଭୁଜି ଯିବ । ମୁଁ ସଂସାରର କି ଜାଣେ ?’’ ନୀଳାମ୍ୱରକୁ ଦେଖି ତ ମୋର କୋହ ଉଠୁଥିଲା, ମୁଁ କୌଣସିମନ୍ତେ ତା’କୁ ଢୋକି କହିଲି–‘‘ବାବା, ବାହାକୁଢ଼ା ହେଲୁ; ଏଣିକି ସଂସାର ତୋର । ଘରକୁ ଘରଣୀ ଆଣିଲୁ ସେତ ଘର ବୁଝିବ; ମୁଁ ଉଡ଼ି ଆସିଲା ଚଢ଼େଇ, ମୋ ପନ୍ଥାଧରି ଯିବି; ଆଶୀର୍ବାଦ କରୁଚି, ତୁମେ ସୁଖରେ ଘର ଦୁଆର କରି ରହ ।’’

 

ନୀଳାମ୍ବର ମୋ କଥାକୁ ନ ଶୁଣିଲାପରି ଅଣ୍ଟାରୁ ଚାବି ଗୋଛାଟିଏ ବାହାର କରି ପାଦତଳେ ରଖିଦେଇ କହିଲା,–‘‘ଏ ମା’ଙ୍କର ହାତ ଚାବି, ତୁମେ ରଖ । ଯାହା ଯେଉଠି ଅଛି ଆ’ତେଇବ; ମୁଁ ପରା ତୁମର ସାନ ଭାଇ, ତୁମେ ମତେ ନ ପଚାରିଲେ ଆଉ ମୋର କି, ଅଛି ?’’ ଏତିକି କହି ଫଡ଼୍‌କରି ମୁହଁ ଫେରାଇ ଚାଲିଗଲା । ମୁଁ ଚାବି ବିଡ଼ାଟି ଉଠେଇ ନେଇ ପଦ୍ମା ପାଖକୁ ଯାଇ କହିଲି–‘‘ତୁମ ଶାଶୂଙ୍କର ଚାବି ଏ, ରଖ; ଘର ସଂସାର ବୁଝ; ଇମିତି ପଡ଼ି ରହିଲେ କ’ଣ ହବ-? ଶୁଦ୍ଧକ୍ରିୟା ତ କରିବାକୁ ହବ । ଏତେ ଦାସଦାସୀ, ପୋଇଲିପରିବାରି, ଏମାନଙ୍କୁ ଆତେଇବା କ’ଣ ସହଜ କଥା ? ସେ କେଜାଣି କିମିତି ଜାଣିପାରିଥିଲା ଯେ ମୁଁ ଘର ସଂସାର ଚଳାଏ । ସୁତରାଂ ଆଖିରେ ଆଖିଏ ଲୁହ କରି ମୋ ହାତରେ ଚାବିତକ ଗୁଞ୍ଜି ଦେଲା । ତା’ପରେ ଠାରି କହିଲା, ତୁମେ ବୁଝ; ମୁଁ କ’ଣ ଜାଣେ ? ମୁଁ ଯେ ପିଲା; ତୁମେ ମତେ ଚାଳି ନ ନେଲେ ମୁଁ ଚଳିବି କିମିତି ? ଘର ଦୁଆର ସବୁ ତୁମର ମୁଁ କାହୁଁ ଅଇଲି ସିନା !’’ ୟା ଉପରେ ଆଉ କି ଜବାବ-? ମୁଁ ତାକୁ କୁଣ୍ଢାଇ ପକେଇ ଅସରାକ କାନ୍ଦିଲି । ତା’ପରେ ଘର ସଂସାର ଚିନ୍ତା ଲାଗିଗଲା-। ମୁଁ ଘରେ ସର୍ବେସର୍ବା ହେଲି; ମା’ ସା’ନ୍ତାଣୀ ଜିଇ ଥାଉଁ ଥାଉଁ ମୋର ଯେତେ ହାକିମ ଥିଲା, ବର୍ତ୍ତମାନ ତା’ର ଦୁଇ ଗୁଣ । କେହି ଦାସୀ ପଦ୍ମାକୁ କିଛି ପଚାରିବାକୁ ଗଲେ ସେ ମୋ ପାଖକୁ ପଠେଇ ଦିଏ । ସେମାନେ ଏହିପରି ଥରେ ଦିଥର ଚେଁଖି, ଆଉ ତାକୁ କିଛି ପଚାରନ୍ତି ନାହିଁ-

 

ପଦ୍ମା ପ୍ରଥମେ ପ୍ରଥମେ ମତେ କଥା କହୁ ନ ଥିଲା । ହାତେ ଲମ୍ୱର ଗୋଟେ ଓଡ଼ଣା ପକେଇ ଚୁଁ ଚୁଁ କରୁଥିଲା । ମୁଁ ତା’କୁ ଯେତେ ବୁଝେଇଲେ ହସି ଦେଇ ଚାଲିଯାଏ, ମୋଟେ ଶୁଣେ ନାହିଁ । ଶେଷରେ ମୁଁ ଦିନେ ଯାଇ ନୀଳକୁ ଧରି ବସିଲି,–‘‘ଦେଖ ନୀଳ, ତୋ ଭାରିଯା ଯେବେ ମତେ କଥା ନ କହିବ, ମୁଁ ନିଶ୍ଚେ କହୁଚି, ତୁମଘର ଛାଡ଼ି ଚାଲିଯିବ । ମୁଁ କଣ ଶାଶୂ ନା ବଡ଼ ଯା ଯେ ମତେ ଏତେ ମାଇନ ? ଲେଖା ଯୋଖାରେ ନଣନ୍ଦ ସିନା ? ନଣନ୍ଦକୁ କୁଠି ଲୋକେ ଚୁଁ କରୁଥାନ୍ତି ?’’ ତା’ ଆରଦିନ ନୀଳ ତାକୁ କ’ଣ କହିଲା କେଜାଣି, ସେ ଆଉ ଚୁଁ ନ ମାରି କଥାବାର୍ତ୍ତା କଲା । ଏଥରକ ସଂସାର ବେଶ୍‌ ଚାଲିଲା । ପିତାମାତାଙ୍କର ଅନ୍ତ୍ୟେଷ୍ଟି ସରିଯିବା ପରେ ନୀଳାମ୍ୱର ଜମିଦାରୀ କାର୍ଯ୍ୟପତ୍ର ନେଇ ବ୍ୟସ୍ତ ଥାଏ । ଯେତେବେଳେ ଟିକିଏ ବିଶ୍ରାମ ପାଏ, ସେତେବେଳେ ଖଞ୍ଜା ପଟେ ତା’ ବସିଲା ଘରେ ଆସି ପଢ଼ାପଢ଼ି କରେ; ପଦ୍ମା ତା’ ପାଖରେ ବସି ସିମିତି ପଢ଼ାପଢ଼ି କେତେବେଳେ ହସ ଖେଳ କରେ । ମୋଟ କଥାରେ ନୀଳ ଆଉ ପଦ୍ମା ବଡ଼ ସୁଖରେ ଦିନ କାଟିବାକୁ ଲାଗିଲେ ।

Image

 

ବିଷମଞ୍ଜି ବୁଣା ହେଲା

 

କିନ୍ତୁ ନୀଳର ଏ ସୁଖରେ ମୁଁ ସୁଖୀ ହୋଇପାରିଲି ନାହିଁ । କେଜାଣି କାହିଁକି ପଦ୍ମାପ୍ରତି ତା’ର ସ୍ନେହ ଆଦର ଯେତେ ବଢ଼ିଲା, ମୋର ମନରେ ସେହି ପରିମାଣରେ ଅବିଶ୍ୱାସ, ରାଗ, ହିଂସା ହେବାକୁ ଲାଗିଲା । ସେମାନେ ଏକାଠି ବସି କଥାବାର୍ତ୍ତା ହେଲାବେଳେ ମୁଁ ଲୁଚି କରି ସବୁଶୁଣେ । ତାଙ୍କର ସେ କଥାବାର୍ତ୍ତା, ସେ ଚାହାଣି, ସେ ସ୍ପର୍ଶ ଦେଖି, ଶୁଣି ମୋର ହୃଦୟ ଜଳି ଯାଉଥାଏ । ତଥାପି ମୁଁ ଲୁଚି ସବୁ ଦେଖେଁ । ଏ ଯନ୍ତ୍ରଣା ଯେପରି ମୋର ଚିରଭାଗ୍ୟ, ଚିରଭୋଗ୍ୟ ! ମୁଁ କଳେବଳେ କୌଶଳେ ଯେତେପାରେ ପଦ୍ମାକୁ ନୀଳ ପାଖରୁ ଅଲଗା କରିବାକୁ ଚେଷ୍ଟା କରେଁ । ପ୍ରଥମେ ଦିନେ ଦି ଦିନ ନୀଳ ଖାଇ ବସିଲାବେଳେ ପଦ୍ମା ତା’ ପାଖରେ ଯାଇଁ ବସେ; କିନ୍ତୁ ମତେ ତା’ ଅସହ୍ୟ ହେଲା । ମୁଁ ତାକୁ କହିଲି, ‘‘ହଇଲୋ, ତୁ କାଲି ବୋହୁଟା, ତୋର ଟିକିଏ ସରମ ନାହିଁ, ସବୁବେଳେ ନୀଳ ପାଖରେ ବସୁଚୁ କଥାକହୁଚୁ ଯେ ପୋଇଲି ପରିବାରୀଗୁଡ଼ାକ ଦେଖି ପଛରେ ଛି ଛି କରୁଛନ୍ତି-। ଆମର ହିନ୍ଦୁଘର ପରା ?’’ ପଦ୍ମାର ମୁହଁ ଲାଜରେ ଲାଲ୍ ପଡ଼ିଗଲା ।

 

ସେ ସେତିକିବେଳୁ ଆଉ ନୀଳ ଘରକୁ ନୀଳ ଥିଲାବେଳେ ଯାଏ ନାହିଁ । ନୀଳ ମଧ୍ୟ ସେ ଦିନ କଚେରିରୁ ଆସି ନିଜ ପଢ଼ିଲା ଘରେ ସବୁଦିନ ପରି ପଦ୍ମାକୁ ନ ଦେଖି ଏଣିକି ତେଣିକି ଟିକିଏ ଚାହିଁଲା; ଗୋଟାକେତେ ଖଁଖାର ଖା ମାଇଲା, କେହି ନ ଆସିବାର ଦେଖି ଘରେ ଯାଇ ବସିଲା । ମୁଁ ଲୁଚିଲୁଚି ସବୁ ଦେଖୁଥାଏ । ପଢ଼ିବା ପାଇଁ ବହି କାଢ଼ିଲା । କିନ୍ତୁ ପଢ଼ିପାରିଲା ନାହିଁ ଟେବୁଲ୍‌ ଉପରେ ବୁହେ ହାତ ଟିପି ଟିପି କଲା; ପରେ ବାହାରକୁ ଆସିଲା । ଶେଷକୁ ସମ୍ଭାଳି ନ ପାରି ମତେ ଡାକିଲା । ମୁଁ ମୁହଁ ହସ ମୁହଁରେ ମାରି, ଯାଇ କହିଲି, ‘‘କ’ଣ କିଏ-ଏ-ରେ ନୀଳ ? ନିଆଁଲଗା ଘରେ କ’ଣ ନାକପୋଛିବାକୁ ଟିକିଏ ତର ମିଳିଲା ? ପୁଅଟା କଅଣ ଖାଇଲା, କ’ଣକଲା ଟିକିଏ ଦେଖି ପାରିଲି ନାହିଁ । ଦେ, କ’ଣ କହିବୁ କହିବୁଟି, ମୁଁ ବେଗେ ଯିବି ।’’

 

ନୀଳ–ନାଇଁ; ପଚାରୁଥିଲି, ଚାକର ଚାକରାଣୀମାନଙ୍କର ସବୁ ଭଲ ତ ?

 

ମୁଁ–‘‘କାହିଁକି ? ଆଜି ସେ କଥା କାହିଁକି ମନେ ଗଲାମ ? ଦିନେ ନାହିଁକି କାଳେ ନାହିଁ; ଆଜି ଏ ସାନ୍ତେଇ କାହିଁକି ? ଆଉ କ’ଣ କଥା ଅଛି ବୋଇଲେ କହ ।’’

 

ମୁଁ ଦେଖିଲି ନୀଳର ଲାଜରେ ମୁହଁ ଲାଲ୍ ହୋଇଗଲା ମୁଁ ତାକୁ ଦେଖି ନ ଦେଖିଲା ପରି ହୋଇ କହିଲି, ‘ବେଶ୍‌ ତୁ ମିଛୁରୁ ମୋ ସାଙ୍ଗରେ ଲାଗିଛୁ; ମୁଁ ଯାଉଚି ।’’ କହି ଚାଲି ଆସିଲି ।

 

ମୋର ଏ ପରିବର୍ତ୍ତନ କାହିଁକି ? ଏ ଯୁବକ ଯୁବତୀ ଦିହିଁଙ୍କୁ ଏ କଷ୍ଟଦେଇ ମୋର ବା କି ଲାଭ ? ନୀଳକୁ ମୁଁ କେତେ ଭଲ ପାଏ ଆଉ ପଦ୍ମା, ସେ କେଡ଼େ ସରଳା, କେଡ଼େ ସୁନ୍ଦରୀ; ତା’ର ଉପର ଯେପରି ସୁନ୍ଦର, ଭିତର ମଧ୍ୟ ସେଇପରି; ତଥାପି ମୋର ଏ ଭାବ କାହିଁକି ? ପଦ୍ମା ନୀଳର ସବୁ କାମ କରେ; ଏଣିକି ତା’ କାମଭିତରୁ ଗୋଟେ ଦିଟା ଲୁଚେଇ ଚୋରେଇ କରି ପାରିଲେ ମୋର କାହିଁକି ଏଡ଼େ ଆନନ୍ଦ ? ପଦ୍ମା ନୀଳପାଇଁ ପାନଭାଙ୍ଗି ବସିଲାବେଳେ, ମୁଁ ଯାଇ ତାକୁ ସାହାଯ୍ୟ କରିପାରିଲେ ଯେପରି କୋଟିନିଧି ପାଏଁ । ପଦ୍ମାଭାତ ବାଢ଼ି ବସିଲେ ମୁଁ ମୁରୁଜ ଦେଇ ବସେଁ । ପଦ୍ମା ତା’ର ବହିପତ୍ର ସବୁ ସଜାଡ଼ି ଦେଇ ଆସେ, ମୁଁ ଯାଇ ଦେଖେ ପଦ୍ମା କିଛି ଭୁଲ କରିଛି କି ନାହିଁ । ସେ ଯେଉଁଦିନ ଗୋଟେ ବହି ଖଣ୍ଡେ କାଗଜ ତଳେ ଛାଡ଼ି ଯାଇଥାଏ, ସେ ଦିନ ସେଉଟିକି ଯଥାସ୍ଥାନରେ ରଖି ପଦ୍ମାକୁ କେତେ ଆଶୀର୍ବାଦ କରେ । ଏସବୁ କ’ଣ ? ମୋର ହେଲା କ’ଣ ? ଘର କାର୍ଯ୍ୟରେ ବି ସେତେ ମନ ଲାଗୁନାହିଁ । ସବୁବେଳେ ନୀଳ ପଛରେ ନୋହିଲେ ପଦ୍ମା ପଛରେ ! ତଥାପି ମୁଁ ତ ପଦ୍ମାକୁ ସ୍ନେହ କରେ; -ଭଉଣୀ ପରି ଦେଖେ ! କିନ୍ତୁ ଏ କି ସ୍ନେହ ଅନାବିଳ କି ? ହାୟ ! ମୁଁ ଯେ ବିଧବା !

Image

 

ମୋର ଅବିଶ୍ୱାସ

 

ଏ ଦୀର୍ଘ ଚାରିବର୍ଷ କାଳ ମୁଁ ଅନେକ ଦୁଃଖ ଭୋଗିଚି । ଜପ ତପ ବାର ବ୍ରତ କରି ମନକୁ ବାନ୍ଧି ରଖିବାକୁ ଖୁବ୍‌ ଚେଷ୍ଟା କରିଚି; କିନ୍ତୁ ପଦ୍ମାକୁ ବି କମ୍‌ ଭୋଗେଇ ନାହିଁ । ତଥାପି ପଦ୍ମାର ମନରେ ଏପରି ବିଷାଦ, ଏପରି ଦୁଃଖ କେବେ ତ ଦେଖି ନାହିଁ । ଦୁଇ ତିନି ଦିନ ହୋଇଗଲା ପଦ୍ମାର ମନ ସେହିପରି ଅଛି । ନୀଳକୁ ଦେଖିଲେ, ନୀଳ କଥା ଶୁଣିଲେ ତା’ର ମୁହ କ୍ଷଣକ ପାଇଁ ଉଜ୍ଜ୍ୱଳ ହୋଇ ଉଠେ, କିନ୍ତୁ ପରକ୍ଷଣରେ ପୁଣି କଳାହାଣ୍ଡିଆ ମେଘଛାଇ ଦିଏ । ପ୍ରଥମେ ପ୍ରଥମେ ନୀଳ ତା’ର ଏ ଭାବାନ୍ତର ଲକ୍ଷ୍ୟ କରି ନ ଥିଲା; କିନ୍ତୁ ପରେ ସେ ଲକ୍ଷ୍ୟ କରି ସାରିଚି । ସେଦିନ କଥା ମୋର ମନେଅଛି । ନୀଳ ପଦ୍ମା ପଢ଼ିଲାଘରେ ବସି ଖଣ୍ଡେ ଖଣ୍ଡେ ବହି ନେଇ ଓଲଟ ପାଲଟ କରୁଥାନ୍ତି, ମୁଁ ପଢ଼ିବା ଘର ଆଗସାମନା ପିଣ୍ଡାରେ ବସି ଚଉରା ବଳିତା କାଟୁଚି; ଆଉ ସେ ନୂଆ ନୂଆ ଭାବ ନାହିଁ । ତିନି ଚାରି ବର୍ଷ ଘରକରି ସାରିଲା ପରେ ପ୍ରଥମ ବିବାହର ଲାଜ ଆସ୍ତେ ଆସ୍ତେ ମରିଯାଏ । ହଠାତ୍‌ ନୀଳ ବହି ରଖିଦେଇ କହି ବସିଲା–‘‘ଏ, ମୁଁ ତୁମକୁ ଗୋଟେ କଥା କହିପାରି ନାହିଁ ।’’ ପଦା ମଧ୍ୟ ବହି ଖଣ୍ଡ ଥୋଇଦେଇ କହିଲା, ‘‘ନ କହି ଚ ତ ନ କହିଚ; କ’ଣ ହୋଇଗଲା ? ତୁମେ କ’ଣ ଦାଣ୍ଡରେ ଯାହାକର ସବୁ ମୋ ଆଗରେ କହ ?’’

 

ମୁଁ ୟା ଭିତରେ ବଳିତା ଗୋଛାଟା ଘେନି, ଆର ପିଣ୍ଡାରେ ବୁଲି ତା’ଙ୍କ ପାଖ ଘରେ ଆସି ବସିଲି । ଏ ଘର କାନ୍ଥରେ ଗୋଟେ ଛୋଟ ଜଳାକବାଟି; ସେ ବାଟେ ଚାହିଁଲେ ତାଙ୍କ ପଢ଼ିଲା ଘର ଟେବୁଲ ପାଖ ସବୁ ଦିଶେ । ମୁଁ ତା’ରି ପାଖରେ ଠିଆ ହେଲି; ନୀଳ ଆସ୍ତେ ଆସ୍ତେ ଉଠିଯାଇ ପଦ୍ମାର କାନ୍ଧ ଉପରେ ହାତ ରଖି କହିଲା,- ‘‘ନା, ବଡ଼ ସୁସମ୍ୱାଦ; ଖୁବ୍ ଭଲ ଖବର’’ ! କାନ୍ଧରୁ ନୀଳର ହାତଟି ଆସ୍ତେ ଖସାଇ ଆଣି ପଦ୍ମା ନିଜ ହାତ ଭିତରେ ରଖି କହିଲା- ‘‘କ’ଣ ଶୁଣେ ?’’

 

ନୀଳ–ଆମର ଜଣେ ନୂଆ କର୍ମଚାରୀ ରହିଛନ୍ତି; ତହସିଲ୍‌ଦାର ବୁଢ଼ା ହେଲେଣି, ୟା ମଧ୍ୟରେ ବି ଜମିଦାରୀର ଆୟ, ଆୟତନ ଖୁବ୍‌ ବଢ଼ି ଯାଇଚି, ସେଥିପାଇଁ ତା’ଙ୍କୁ ଜଣେ ସାହାଯ୍ୟ ନ କଲେ କାମ ଚଳିଲା ନାହିଁ । ଗୋଟିଏ ନୂଆ ନାଏବ ମୁକରିର୍‌ ହୋଇଛନ୍ତି ।

 

ନାଏବ ନା’ଟା ଶୁଣି ପଦ୍ମାର ମୁହଁ ଯେପରି ଶୁଖି ଆସିଲା । ସେ କିଛି କହି ନ ପାରି ଗୋଡ଼ ବୁଢା ଆଙ୍ଗୁଠି ନଖରେ ଭୁଇଁରେ ଗାର କାଟି ବସିଲା; ତା’ପରେ ହଠାତ୍‌ ମୁହଁଟେକି କହି ପକାଇଲା–‘‘ତା’ଙ୍କ ଘର ? ତାଙ୍କ ନାଁ ?’’ କିନ୍ତୁ ମୁଁ ଠିକ୍‌ ଦେଖିଚି ସେ ଏତକ ପଚାରିଦେଇ ନୀଳର ମୁହଁ ଆଡ଼କୁ ଯେପରି କଣେଇ କରି ଚାହିଁଲା, ସେଥିରେ ଭୟ, ଆଶଙ୍କା ଷୋହଳପଣ ପୂରା ! ନୀଳ କିନ୍ତୁ କିଛି ଜାଣିପାରିଲା ନାହିଁ । ସେ; କହିଲା,–‘‘ମୁଁ ସବୁ କାଗଜରେ ନୋଟିସ୍‌ ଦେଇଥିଲି; ଅନେକ ଲୋକ ଦରଖାସ୍ତ କରିଥିଲେ । ତା’ଭିତରେ ମୋର ଜଣେ ପୁରୁଣା ସାଙ୍ଗ ବି ଦେଇ ଥିଲେ । ମୁଁ କଟକ କଲେଜରେ ପଢ଼ିଲାବେଳେ ତା’ଙ୍କର ମୋର ଏକା ବସାରେ ଥିଲୁଁ । ପିଲାଟି ବେଶ୍‌ ବୁଦ୍ଧିମାନ୍‌, ବେଶ୍‌ ଚାଲାକ, ତାକୁ କଲେଜ ପିଲେ ‘ବୃଦ୍ଧଚାଣକ୍ୟ’ ବୋଲି ଡାକୁଥିଲେ । ସେତେବେଳେ ତାଙ୍କର ମୋର ବେଶ୍‌ ଘନିଷ୍ଠତା ଥିଲା । କିନ୍ତୁ ପରେ ତା’ଙ୍କ ବାପା ପଇସାପତ୍ର ଦେଇପାରିଲେ ନାହିଁ । ସେ ପାଠ ପଢ଼ାଛାଡ଼ି ଗାଁରେ ଯାଇ ଜମିବାଡ଼ି କଥା ବୁଝୁଥିଲା । କ’ଣ ହେଲା କେଜାଣି, ଗୋଟେ କି ମୋକଦମାରେ ତା’ଙ୍କର ଯାନ ଆସ୍ଥାନ ଉଠିଗଲା । ଘରଦ୍ୱାର ଛାଡ଼ି ବୁଢ଼ା ବାପାଙ୍କୁ ନେଇ ସେ ସୋଆଲୋ ଗାଁ ଜମିଦାରଙ୍କ ପାଖରେ–’’

 

ପଦ୍ମା ବାଧାଦେଇ କହିଲା–‘‘କାହାକଥା କହୁଚ ଶୁଣେ ? ଇତିହାସଟେ ଆାରମ୍ଭ କରି ବସିଲ ଯେ !’’

 

‘‘ଆଉ କାହାକଥା କହିବି ? ସେଇ ନାଏବଙ୍କ କଥା’’ ପଦ୍ମା ‘ଓ’ ବୋଲି ଚୁପ୍‌ହେଲେ, ନୀଳ କିଛି ସମୟ ପରେ କହିଲା,–‘‘ବାଃ, ତୁନି ପଡ଼ିଲ ଯେ !’’

 

ପଦ୍ମା–‘‘ମଲା, ତୁମେତ କହୁଚ, ଆଉ କ’ଣ ପାଲା କରୁଚ ଯେ ମୁଁ ପାଳି ଧରିବି ? ତା’ପରେ କ’ଣ ହେଲା ?’’

 

ନୀଳ–‘‘ସୋଆଲୋ ଗାଁ ଜମିଦାରଙ୍କ ସିରସ୍ତାରେ କ’ଣ ଟଙ୍କା ଦଶଟାରେ କାମ କରୁଥିଲେ; ପୋଷେଇଲା ନାହିଁ ବୋଲି ଏଠିକି ଆସିଚନ୍ତି ।’’

 

ପଦ୍ମା–ବେଶ୍‌ତ, ମୋର ସେଥିରେ କ’ଣ ଗଲା ? ମୋର କିଛି ସିଲୁଅ ହବ ?’’

 

ତା’ପରେ ଗୋଟେ କିଏ ଡାକ ପକେଇଲା ବୋଲି ମୁଁ ଚାଲି ଆସିଲି । କିନ୍ତୁ ସବୁକଥା ମୋ ମନରେ ଲାଖି ରହିଚି । ନାଏବଙ୍କ କଥା ଶୁଣି ପଦ୍ମାର ମୁହଁକଳା ପଡ଼ିଯିବା, ପୁଣି ତା’ଙ୍କ ଘର କେଉଁଠି ବୋଲି ପଚାରିବାବେଳେ ଭୟରେ ଥରିଉଠିବା ଏ ସବୁର କାରଣ କ’ଣ ? ନାଏବଙ୍କ ସହିତ ପଦ୍ମାର କି ସମ୍ୱନ୍ଧ ? ସେତ ଆସିଛନ୍ତି ଏଇ ସପ୍ତାହ ହବ; ପଦ୍ମା ତା’ଙ୍କୁ ଦେଖିଲା କେଉଁଠାରେ-? ଠିକ୍‌ ଠିକ୍‌, ପଅରିଦିନ ନାଏବ ଗାଈ ଗୁହାଳଟା ଦେଖିବାକୁ ଆସିଥିଲେ, ପଦ୍ମା ଖାଇବାକୁ ଯାଉଥିଲା, ତା’ଙ୍କୁ ଦେଖି ପଳେଇ ଗଲା ! ଠିକ୍‌ । ସେଇଦିନୁତ ପଦ୍ମାର ମନରେ ଏ ପରିବର୍ତ୍ତନ । ତେବେ କି ? ଧୁର; ସେ କି ସମ୍ଭବ ? ଚକ୍ଷୁ ପଡ଼ିଲା ମାତ୍ରକେ ପ୍ରେମ ହୋଇଯିବ ? ସେ କେବଳ ଭୂତ କଥା ! ଉପନ୍ୟାସ ଲେଖକମାନଙ୍କୁ କିଛି ମିଳେନାହିଁ ବୋଲି ଅସମ୍ଭବକୁ ସମ୍ଭବବୋଲି ଧରି ନେଇ ନେଇ ଗୁଡ଼େ ଏଣୁତେଣୁ ଲେଖି ବସନ୍ତି । ଯଦିବା କାହାରିଠାରେ ସେ ରକମ କିଛି ଦେଖାଯାଏ, ତେବେ ସେ କେବଳ ଅତୃପ୍ତ ଆଶା, ଅଛନ୍ଦା କଳ୍ପନା, ଏବଂ ଗରମ ମେଜାଜର ଫଳ । ପଦ୍ମା ପାଖରେ ସେ ସମ୍ଭବ ନୁହେଁ । ବିଶେଷତଃ କୁ ଗୁଣରେ ! ନା, ନା, ତା’ ନୁହେଁ । ତେବେ ? –ତେବେ-,

Image

 

ପରୀକ୍ଷା

 

ଏଘଟନାର ତିନିଦିନ ପରେ ନୀଳକୁ ଭାରି ଜର ହେଲା । ସେ ତା’ ଶୋଇଲା ଘରୁ ଉଠି କୁଆଡ଼େ ଯାଇନାହିଁ; ପଦ୍ମା ବରାବର ତା’ ପାଖରେ ବସିଚି । କେବଳ ଡାକ୍ତର ଆସିଲାବେଳେ ବା ଖାଇବା ପାଇଁ ଯାହା ସେ ଘରୁ ବାହାରକୁ ଆସେ । ଦିନେ ଦିନେ ମଧ୍ୟ ଡାକ୍ତର ଆସିଲାବେଳେ କବାଟ କ’ଣରେ ଠିଆ ହୋଇ ଯାଇ କବାଟଟାକୁ ନିଜ ଉପରେ ମଡ଼ାଇ ରଖେ । ଆଜି ଜର ଟିକିଏ କମିଚି; ନୀଳ ପୁଞ୍ଜେ ପାଚିରି ମାଣ୍ଡି ଉପରେ ଠେସ ଦେଇ ବସିଛି; ମୁଁ ଓଷଧ ଶିଶିରୁ ଠିପି ବାହାର କରି ତା’ ଶେଯ ପାଖରେ ଗୋଟେ କାଚ ଗିଲାସକୁ ଓଷୁଧ ଢାଳୁଚି; ପଦ୍ମା ଗୋଡ଼ ତଳେ ବସି ଗୋଡ଼ ଉପରେ ହାତ ବୁଲାଉଚି, ଏପରି ସମୟରେ ସଇତା ପାଇକ ଆସି ସମ୍ୱାଦ ଦେଲା, ନାଏବ ସାହେବ କ’ଣ କାଗଜ ପତ୍ର ଘେନି ସେଠାକୁ ଆସୁଚିନି । ମୁଁ ବୁଲି ଦେଖିଲି ପଦ୍ମାର ମୁହଁରେ କୌଣସି ଭାବନାର ଚିହ୍ନ ନାହିଁ । ଯଦିବା କିଛି ଆସିଥିଲା; ତା’ହେଲେ ସେ ତା’କୁ ମୋ ଚାହିଁବା ପୂର୍ବରୁ ଘୋଡ଼ାଇ ନେଇଛି । ସେ ଖଟ ଉପରୁ ଓହ୍ଲାଇ ତର ତର ହୋଇ କବାଟ କୋଣକୁ ଯାଉଚି, ନାଏବ ଆସି ଦୁଆର ମୁହଁରେ; ନାଏବଙ୍କ ଦୃଷ୍ଟି ପଦ୍ମାର ମୁହଁରେ; ପଦ୍ମାର ଦୃଷ୍ଟି ମଧ୍ୟ ନାଏବଙ୍କ ଉପରେ! ଦିହାଁଯାକ ଥକାମରା ହୋଇ ଠିଆ ହୋଇଗଲେ, ଯେପରି ଆଗ ସାମନାରେ ଭୀଷଣ ବିପଦ ! କ୍ଷଣେମାତ୍ର; ତା’ପରେ ପଦ୍ମା କବାଟ କ’ଣକୁ ଓ ନାଏବ ଖଟ ପାଖକୁ ଧୀରେ ଧୀରେ ଚାଲି ଆସିଲେ । କିନ୍ତୁ ସେ କ୍ଷଣକ ମଧ୍ୟରେ ସେମାନଙ୍କର ମୁହଁର ଭାବ ମୁଁ ବେଶ୍‌ କରି ଲକ୍ଷ୍ୟକରି ନେଇଚି-! ବିସ୍ମୟ, କ୍ରୋଧ ଏବଂ ଆନନ୍ଦ ନାଏବଙ୍କ ମୁହଁରେ; ଆଶଂକା ଓ ଭୟ-ସର୍ବନାଶରେ ଯେ ଭୟ ସେହି ପଦ୍ମାର ମୁହଁରେ ନାଚି ଉଠୁଥିଲା । ନାଏବ କାଗଜପତ୍ର ଘେନି ଆସିଥିଲେ ସତ, କିନ୍ତୁ ବୁଝାଇଲାବେଳେ ଅନ୍ୟମନସ୍କ; ପଦେ ପଦେ ହୁଡ଼ୁଥାନ୍ତି । ଏହା ପରେ ପ୍ରତ୍ୟକ୍ଷ ପ୍ରମାଣ ଆଉ କ’ଣ ଥାଇ ପାରେଁ ?

 

ପଦ୍ମାର ଜାତି, କୂଳ, ଗ୍ରାମ ବିଷୟରେ ସମସ୍ତେ ଅନଭିଜ୍ଞ; ମୋର ବର୍ତ୍ତମାନ ପୂର୍ଣ୍ଣଧାରଣା, ଏଠାକୁ ଆସିବା ପୂର୍ବରୁ, ବାପଘର ଗାଁରେ ପଦ୍ମାର ନାଏବଙ୍କ ସହିତ କୌଣସି ସମ୍ପର୍କ ଥିଲା, ଆଉ, ସେ ସମ୍ପର୍କ କଦାପି ସୁଧାର ନୁହେଁ । ପଦ୍ମା ଜୀବନର ଏ ରହସ୍ୟ ମତେ ଭେଦ କରିବାକୁ ହବ, ମୋ ଜୀବନର ଏ ଆଜିଠାରୁ ଏକ ବ୍ରତ, କିନ୍ତୁ କାହିଁକି ? ପର ପାଇଁ ମୋର ଏତେ ମୁଣ୍ଡ ବଥା କ’ଣ ଲାଗି ? ପଦ୍ମାର ରହସ୍ୟ ଭେଦକରି ଦାଣ୍ଡରେ ପକେଇବାରେ ମୋର କି ଲାଭ ? ପରର ବିପଦରେ ମୋ ମନରେ ଆନନ୍ଦ ଆଣିବାର ଶିଖିଲି କେଉଁଠାରୁ ? ନୀଳାମ୍ବର ମୋର ଅନ୍ନଦାତା; ପଦ୍ମା ମୋର ବିଶ୍ୱସ୍ତ ସଖୀ; ଏମାନଙ୍କ ଅପବାଦରେ, ଦୁଃଖରେ ମୋର କି ସୁଖ ଥାଇ ପାରେ ?

 

ମୁଁ ଯେ ମୋ ନିଜ ପ୍ରତି ଗୋଟିଏ ସମାସ୍ୟା ହୋଇ ପଡ଼ିଛି, ତା’ ଆଉ ମତେ ନୂଆ କରି ଶିଖିବାକୁ ହବ ନାହିଁ । କିନ୍ତୁ ଗୋଟେ କଥା ବଡ଼ ସ୍ପଷ୍ଟ ଅନୁଭବ କରିଚି, ମୋ ମନ ଏତେ ତୀବ୍ର ଗତିରେ କେବେ ଚାଲି ନ ଥିଲା; ମୋ ହୃଦୟରେ ଏପରି ସ୍ପନ୍ଦନ କେବେ ଆସି ନ ଥିଲା; ମୋର କଳ୍ପନା ଦ୍ୱାର ଏତେ ଉନ୍ମୁକ୍ତ କେବେ ହୋଇ ନାହିଁ । ଏ ନୂତନ, ନୂତନ ମଦିରା ପରି ଏହାର ନିଶା ବଡ଼ ଟାଣ; ଆଉ ବଡ଼ ପ୍ରଲୋଭନପୂର୍ଣ୍ଣ । ନାଏବଙ୍କ ସହିତ ପଦ୍ମାର ପୂର୍ବ ସମ୍ବନ୍ଧ ମନେ ମନେ ଠିକ୍ କରି ନେଇ ମୁଁ ବର୍ତ୍ତମାନ ଲାଗି ପଡ଼ିଲି, ନାଏବଙ୍କ ନାମ ଓ ଗ୍ରାମ ବୁଝିବାରେ, ସେଥିପାଇଁ ମତେ ବେଶୀ କଷ୍ଟ ସହିବାକୁ ହୋଇ ନ ଥିଲା । ରାମା ଭଣ୍ଡାରି ପଇସା ଗଣ୍ଡାକ ଲୋଭରେ ବୁଝି ଆସି କହିଲା, ତା’ଙ୍କର ଘର ମାହେନ୍ଦିପୁର ଶାସନ; ପୁରୀ ଜିଲ୍ଲାରେ, ଆଉ ତା’ଙ୍କର ନାମ, ସୋମନାଥ ଦାସ । ମୁଁ ସେଇଦିନ ଯାଇ ନୀଳ ପାଖରେ ବସି ତା’ ଗୋଡ଼ରେ ହାତ ବୁଲେଇ ଦଉଦଉ କଥାବାର୍ତ୍ତାର ସୁଅ ନାଏବଙ୍କ ଆଡ଼ିକି ଟାଣି ଆଣିଲି । ତା’ଠାରୁ ନାଏବଙ୍କ ପୂର୍ବ ଜୀବନ ନୃତାନ୍ତ ଆଉ ଥରେ ଶୁଣି, ମୁଁ ହାତେ ଜିଭ କାଢ଼ି ଦେଇ କହିଲି,–

 

‘‘ହଇରେ ନୀଳ, ସେ ତୋର ପିଲାଦିନର ସାଙ୍ଗ, ତା’ଙ୍କର ଆଜି ଗ୍ରହ ମନ୍ଦ ପଡ଼ିଲା ବୋଲି, ତୋ ଦୁଆରେ ଗୋଲାମି କରିବାକୁ ଆସିଚନ୍ତି ବୋଲି କ’ଣ ତୁ ସବୁ କଥା ଭୁଲି ଗଲୁ ? ସେ ମନରେ କ’ଣ ଭାବୁ ଥିବେଟି ! ତୁ ତା’ଙ୍କୁ ଦିନେ ଘରକୁ ଖାଇବାକୁ ଡାକିଲୁ ନାହିଁ; ଥାଉ ଆଉସବୁ କଥା, ମୁଁ ହୋଇଥିଲେ ତ ତା’ଙ୍କୁ ଆଣି ଖଞ୍ଜା ଭିତରେ ରଖାଇଥାନ୍ତି ।’’

 

ନୀଳ–ମୋ ମନରେ ସେ କଥା ଅନେକ ଦିନୁ ହେଲାଣି ମଣିନାନୀ, କେବଳ ତୁମେ ସବୁ ମନରେ କ’ଣ ଭାବିବ ବୋଲି କହୁ ନ ଥିଲି । ତୁମେ ଯଦି କହିବ, ତା’ ହେଲେ ଆଜି ତା’ଙ୍କ ଜିନିଷପତ୍ର ଆମ ଖଞ୍ଜା ଭିତରକୁ ଘେନି ଆସିବା । ମଝି ଖଞ୍ଜା ଆଡ଼ିଘରେ ରହିଲେ ଟିକିଏ ନିକାଞ୍ଚନିଆ ହବ ।

 

ମୁଁ–ହଉ, ହଉ, ଭଲ କଥା । ଆହା ବିଚରା, ଦଇବ କ’ଣ ନ କରେ ! ଆଜି ଯେ ରାଜଗାଦିରେ କାଲି ସେ ଗୋବର ଖାତରେ, ଏ ତ ସଂସାର ନିୟମ ।

 

ନୀଳ–ଆଉ କାହାରି କିଛି ଆପତ୍ତି ନାହିଁ ତ ?

 

ଏହା କହି ସେ ପଦ୍ମା ଆଡ଼କୁ ଅନାଇ ରହିଲା । ପଦ୍ମା କ’ଣ ଗୋଟେ କହିବାକୁ ଯାଉଥିଲା, ତା’କୁ ଢୋକି ଦେଇ ଦଣ୍ଡେକାଳ ଚୁପ ହୋଇ କହିଲା ‘‘ତୁମର ଆଉ ନାନୀଙ୍କର ଇଚ୍ଛା ହେଲେ ଆଉ ନାହିଁ କରିବାର ଅଧିକାର କାହାର ଅଛି ? ମୁଁ କ’ଣ ତୁମ କଥାରୁ ବାହାରେ ?’’ ଏ କଥାଗୁଡ଼ାକ ଏତେ ପିଙ୍ଗାଫୋପଡ଼ା, ଓପରଠାଉରିଆ ଯେ ସେଥିରେ ତା ହୃଦୟର କଣିଚାଟାଏ ନ ଥିବାର ମୁଁ ବେଶ୍ ଅନୁଭବ କରିପାରିଲି । ଯାହାହଉ କଥା ମୁତାବିକେ ସିଇଲେ ହୁକୁମ ହେଲା, ନାଏବଙ୍କୁ ଡାକି ଆଣ । ପଦ୍ମା ଉଠିଯିବ ବୋଲି ହଉଥିଲା, ମୁଁ ବାଧା ଦେଇ କହିଲି, ‘‘କିଲୋ ଝିଅଟା, ଏତେ ଥର ଉଠୁଚୁ ବସୁଚୁ କିଆଁ ? ନାଏବ ଘରରଲୋକ; ନୀଳର ସାଙ୍ଗ, ସେ କ’ଣ ଆମର ପର ? ଚାରି ବର୍ଷ ହେଲା ଘର କଲୁଣି, ଦଇବ ଦେଇ ଥିଲେ ତ ଯୋଡ଼ି ପୁଅର ମା’ ହୋଇଥାନ୍ତୁ; ଏତେ ଲାଜ କାହିଁକି ମା’ ?’’ ନୀଳ ମଧ୍ୟ ମୋ କଥାରେ ଦୁଆ ଦେଲା । ପଦ୍ମା ଅଗତ୍ୟା ରହିଲା । ନାଏବ ଆସିଲେ ଏ ବାର ମୁଁ ବରାବର ଲକ୍ଷ୍ୟ କରିଚି, ନାଏବ ଆମ ସହିତ କଥାବର୍ତ୍ତା କରୁଥାନ୍ତି ସତ, କିନ୍ତୁ ଦୃଷ୍ଟିଟା ପଦ୍ମା ଉପରେ । ମୁଁ ଗୋଟେ ଛଳ କରି ପଚାରିଲି, ‘‘ହଇଲୋ ପଦ୍ମା, କୁଞ୍ଚିଗୁଡ଼ାକ କେଉଁଠି ରଖିଲୁ । ?’’

 

ପଦ୍ମା–‘‘ମୋ ପାଖରେ ତ ନାହିଁ ।’’

 

ପ୍ରଥମ ଶବ୍ଦରେ, ପଦ୍ମାର ନା’ ଧରି ଡାକିବାରେ, ମୁଁ ଠିକ୍ ଦେଖିଚି ନାଏବ ଚମକି ପଡ଼ିଲେ, ପଦ୍ମାର ସ୍ୱର ଥରୁଥିଲା !

Image

 

ରହସ୍ୟ ମୁଁ ଭେଦକରି ପାରିବିତ ?

 

ଏ ରହସ୍ୟଭେଦ କରିବା ନିମନ୍ତେ କି ଉପାୟ ନବା ଭଲ ଏ କଥା ମୁଁ ଭାବି ଭାବି ଠିକ୍ କଲି, ପଦ୍ମା ଓ ନାଏବଙ୍କ ଗତିବିଧି ଲକ୍ଷ୍ୟ କରିବା ହିଁ ପ୍ରକୃଷ୍ଟ ପନ୍ଥା । ପଦ୍ମାର ଅତୀତ ଜୀବନ ରହସ୍ୟପୂର୍ଣ୍ଣ ! ଆଉ ରହସ୍ୟର ଚାବି ନାଏବଙ୍କ ହାତରେ, ବର୍ତ୍ତମାନ ଅନ୍ତତଃ ଯେତେଦୂର ଜଣାଯାଇଚି, ନାଏବ ପଦ୍ମାର ଆତ୍ମୀୟ କେହି ନୁହନ୍ତି । ବୋଧହୁଏ ଶତ୍ରୁ ସ୍ଥାନୀୟ; ନ ହେଲେ ପଦ୍ମାର ମନରେ ଏ ଆଶଙ୍କା, ଆବେଗ କାହିଁକି ହୁଅନ୍ତା ? ସୁତରାଂ କଳେବଳେ କୌଶଳେ ନାଏବକୁ ଏ ସ୍ଥାନରୁ ତଡ଼ାଇବା, ନତୁବା ତାଙ୍କୁ ହାତ କରିନବା ନିମନ୍ତେ ପଦ୍ମା ଖୁବ୍ ଯତ୍ନ କରିବ । ତଡ଼ାଇବା ତା’ପକ୍ଷରେ ସୁବିଧା ଜନକ ନୁହେ; କାରଣ ନାଏବ ସନ୍ଦେହ କରି, ଯିବା ପୂର୍ବରୁ ହୁଏତ ରହସ୍ୟ ପ୍ରକାଶ କରି ଦେଇ ପାରନ୍ତି ! ନା, ତାଙ୍କୁ ହାତକରି ନେବାରେ ହିଁ ପଦ୍ମାର ଲାଭ । କିନ୍ତୁ କି ଉପାୟରେ, ଅର୍ଥଦାନ ବା ଆତ୍ମଦାନ ଛଡ଼ା ଆଉ କ’ଣ ହୋଇପାରେ ? ତା’ ହେଲେ ଏ ଦିହିଁଙ୍କ ଭିତରେ ଏଣିକି ଯେ ଚିଠିପତ୍ର ଦିଆନିଆ ଚାଲିବ, ସେଥିରେ ସନ୍ଦେହ ନାହିଁ । ସୁତରାଂ ମୁ ପଦାକୁ ଗୋଡ଼େ ଗୋଡ଼େ ଜଗିଲି । ମୋର ଅନୁମାନ ମିଥ୍ୟାନୁହେ;–ଦେଖିଲି ପଦ୍ମା ମଧୁଆ ମା’କୁ ଡାକି କ’ଣ ଫୁସ୍ ଫୁସ୍ କରି କହୁଚି ! ଦିନେ ନାହିଁ, କାଳେ ନାହିଁ, ଏତେ ତୁନି ତୁନି କଥାବାର୍ତ୍ତା କାହିଁକି ? ମଧୁଆ ମା’ ତା’ ହେଲେ କ’ଣ ଦୂତୀ ?

 

ପଦ୍ମାର ବୁଦ୍ଧି ଅଛି, କାରଣ ସେ ଠିକ୍ ଲୋକକୁ ଧରିଚି । ମଧୁଆ ମା’ ବଡ଼ ଖାଣ୍ଟି ଲୋକ-। ପଦ୍ମାକୁ ମଧ୍ୟ ଭାରି ଭଲ ପାଏ । ତା’ ହାତରେ ଯଦି ଚିଠିପତ୍ର ପଡ଼େ ତା’ହେଲେ ଆଦାୟ କରିବା ବଡ଼ କଷ୍ଟ । ସଂସାରରେ ସମସ୍ତେ ପଇସା ଲୋଭରେ ନିଜ ବାପକୁ ଫାଶୀ ଦେଇ ପାରିବେ; କିନ୍ତୁ ମଧୁଆ ମା’ ରାଜ୍ୟ ଲୋଭରେ ବି ଏତେ ଟିକିଏ ବିଶ୍ୱାସ କଥା କାହାରିକୁ କହିବ ନାହିଁ । ମୁଁ ଯଦି ଆଜି ଯାଇ ତାକୁ କିଛି କହେ, ତାହେଲେ ସେ ସାଙ୍ଗେ ସାଙ୍ଗେ ପଦ୍ମା ଆଗରେ ଫୋଡ଼ିଦବ । ପଦ୍ମାର ମନରେ ସନ୍ଦେହ ହେଲେ ମୋର ସବୁଶ୍ରମ ପଣ୍ଡ ହୋଇଯିବ । କିନ୍ତୁ ଚିଠିଖଣ୍ଡ ତ ହାତ କରିବା ଦରକାର ? କି ଉପାୟରେ ? ଆଉ ମଧୁଆ ମା’କୁ ଏସ୍ଥାନରୁ ନ ତଡ଼େଇଲେ ବି ଭବିଷ୍ୟତ ସୁବିଧାଜନକ ନୁହେଁ ! କ’ଣ କରିବି, ଠିଆହୋଇ ଭାବୁଚି, ଦେଖିଲି ମଧୁଆ ମା’ ମଝି ଖଞ୍ଜା ଆଡ଼କୁ ଗଲା । ମୁଁ ତା’ର ପଛେ ପଛେ ଗଲି । ସେ ନାଏବଙ୍କ ଘରଭିତରେ ପଶିଲା; ମୁଁ ଫେରି ଆସିଲି । ମଧୁଆ ମା’ ଚିଠିଦେଇ ଆସିଲା ମୁଁ ତାକୁ କହିଲି;–‘‘କିଲୋ କୁଣ୍ଡରେ ପାଣି ପୂରେଇ ସାରିଚୁ ?’’

 

ମଧୁଆ ମା’–ଲାହି ଗୋ ଲାଲି, ଯାଉଚି ଅଇଛିକା କରିଦେବି । ମୁଁ–ତୁ ଆଗ କାମ ଆଗ ନ କରି ଏତେବେଳ ଯାଏ କ’ଣ କରୁଥିଲୁ ? ମୁଁ ଆଉ ଏ ଅଛଦରି, ଅଇଣ୍ଠା ଗୋଟେଇଟାକୁ ପାରିଲି ନାହିଁ ! ଭୋଜନ ମାଇଲାବେଳକୁ ତ ଫାଲୁଆଗୁଣ୍ଡା ଗଳ ଗଳ ଗଳି ଯାଉଚି, କାମ କଲାବେଳକୁ ଗଣ୍ଡି ଭାଜିଯାଏ କାହିଁକି କେଜାଣି ?

 

ମଧୁଆ ମା’–‘‘ଏ ଲାଲି, ତମକୁ କ’ଣ ବାଇ ଲାଗିଚି କିଏ ? ସକାର ଟାତ, ଇଲେ କ’ଣ କିଏ ଲାଉଚି ? ମୁଁ ତ ଘଡ଼ିକ ଭିତରେ ସବୁ ଠିକ୍ ଠାକ୍ କରିଦେବି !

 

ମୁଁ–‘‘ହାଡ଼ିଆଣୀ କୁ ଠାର, ଯା’, ଇଠୁ ପଳା,’’

 

ଏହା କହି ମୁଁ ତାକୁ ଧକ୍କେ ପକେଇଲି । ସେ ମୁହଁ ମାଡ଼ି ପଡ଼ିଗଲା, ମୁଁ ସେଠାରୁ ଚାଲିଗଲି । ମୁଁ ଠିକ୍ କରି ଜାଣେ ମଧୁଆ ମା’ ଏହାପରେ ଆଉ ଏଠି ନ ରହେ, ସୁତରାଂ ମୁଁ ବୁଲି ବାଲି କାମ ସାରି ଆସିଲାବେଳକୁ ମଧୁଆ ମା’ ପାଣି ଯୋଗାଡ଼ କରୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲି-। ମଧୁଆ ମା’ କିପରି ରହିଲା ? ସେତ ଏସବୁ ସହି ରହିବା ଲୋକ ନୁହେଁ ! ତା’ହେଲେ କ’ଣ ପଦ୍ମାର କଥାରେ ? ମୋର ଏତେବେଳକୁ ହୋସହେଲା; ମଧୁଆ ମା’ ପ୍ରତି ଏପରି ବିନା କାରଣରେ ରାଗ ଦେଖାଇ ମୁଁ ପଦ୍ମାର ମନରେ ଅଯଥା ସନ୍ଦେହ ଆଣି ଦେଇଚି । ସୁତରାଂ ଆଉ ବେଶୀଦୂର କଥାଟାକୁ ନ ନେଇ ମୁଁ ତୁନି ପଡ଼ିଗଲି ।

 

ଚିଠି ଖଣ୍ଡ ହାତକରି ନ ପାରି, ପୁଣି ମଧୁଆ ମା’କୁ ତଡ଼ି ଦେବାର ଉପାୟରେ ନିଷ୍ଫଳ ହୋଇ ମୋର ମନଟା ପଦ୍ମାପ୍ରତି ରାଗରେ ଉଛୁଳି ଉଠିଲା । ମୁଁ ବିଳମ୍ବ ଆଉ ସହି ପାରିଲି ନାହିଁ । ଦିନେ ମଝି ଖଞ୍ଜାକୁ ଯାଇ ଦେଖିଲି, ନାଏବଙ୍କ ଘରମେଲା, କେହି ନାହାନ୍ତି ତୁନି ତୁନି ହୋଇ ଘରଭିତରେ ପଶି ତାଙ୍କର କୋଟ ପକେଟ ଭିତରୁ ଚାବି ଥୋଲାଟା କାଢ଼ି ନେଲି । ସେଥିରୁ ଗୋଟିଏ ଚାବି କାଢ଼ି ତାଙ୍କର ହାତ ବାକ୍ସରେ ଲଗେଇବାକୁ ଯାଉଚି, କାହାର ପାଦଶବ୍ଦ ବାହାରେ ଶୁଣି ଫେରି ଆସିଲି । କିନ୍ତୁ ଘରୁ ବାହାରି ଯିବାର ଆଉ ଉପାୟ ନାହିଁ । ନାଏବ ଆସି ଦୁଆର ମୁହଁରେ । ମୁଁ ଝଟକିନି ଦକ୍ଷିଣ ପଟ କାନ୍ଥ ମୂଳେ ମୋର ଥିବା ସିନ୍ଧୁକର ପଛାଡ଼େ ତୁନିହୋଇ ବସିଗଲି । ଚାବି ଗୋଛାଟି ମୋର ହାତରେ ରହିଲା । ନାଏବ ଘର ଭିତରକୁ ଆସିଲେ । ତାଙ୍କ ପଛେ ପଛେ ଆଉ ଗୋଟାଏ ଅଜଣା ଲୋକ ଆସିଲା । ଲୋକଟା ଦେଖିବାକୁ ବଡ଼ କଦାକାର,–ପାଞ୍ଚହାତ ଲମ୍ବା, କିନ୍ତୁ ହାତେ ଓସାର ! ନାକ ଅଗଟା ଉପରକୁ ଉଠିଯାଇଚି ଆକ୍ଷି ଦୁଇଟା ଲାଲ, କିନ୍ତୁ ଅତି ଛୋଟ । ଓପର ଓଠଟା ବହୁତ ଆଗକୁ ବାହାରି ଯାଉଚି । ମୋଟ ଉପରେ ଠିକ୍ ଯମଦୂତ ପରି । ନାଏବ ନିଜ ଖଟ ଉପରେ ବସି ଅନ୍ୟ ଲୋକଟିକୁ ପାଖ କୁରୁଚିରେ ବସିବାକୁ ସଂକେତ କଲେ । ଲୋକଟା ବସି ସାରିଲା ପରେ ନାଏବ କହିଲେ–‘‘ମୁଁ ତୋର କି କ୍ଷତି କରିଚି ଯେ ତୁ ମୋ ସାଙ୍ଗରେ ଏପରି ଲାଗିବୁ ? ତୋର ଦାଉରେ ଦେଶ ଛାଡ଼ିଲି, ଭାଇବନ୍ଧୁ କୁଟୁମ୍ବ ସବୁ ଛାଡ଼ିଲି; ଚୋର ଡକେଇତଙ୍କ ପରି ଇଠେଇଁ ସିଠେଇଁ ମୁଣ୍ଡ ଗୁଞ୍ଜି ରହିଲି, ତଥାପି ତୋର ତୃପ୍ତି ହେଲାନାହିଁ ? ଆଉ କ’ଣ ଚାହୁଁ ? ମୋର ତ ଆଉକିଛି ନାହିଁ; ଅଦ୍ୟଭେକ ହୋଇ ଆସି ଏଠାରେ ଭାତ ମୁଠାକ ପାଇଁ ରହିଚି, ତୁ ପୁଣି ମୋ ପଛରେ କିଆଁ ?

 

ଆଗନ୍ତୁକ–‘‘ତୋ’ ସବୁ କଥାର ଜବାବ ହାମେ ଏକାଥରକେ କେମତି ଦେବି ! ହାମେ କିଆଁ ଆସିଚି ତା’ ତୋତେ ବେଶ୍ ମାଲୁମ୍ ହାମର ଟଙ୍କା ଦରକାର, ତା’ ତେତେ ଦବାକୁ ହେବ ।’’

 

ବାପ୍‌ରେ କି ଗର୍ଦ୍ଦଭ ସ୍ୱର ! ସେ ସ୍ୱରରେ ପୁଣି କି ଶ୍ମଶାନ ବିଭୀଷିକା !

 

ନାଏବ–‘‘ଟଙ୍କା ? ଟଙ୍କା ମୁଁ କୁଠଉଁ ପାଇବି ? ମୋର ଯାହାଥିଲା ସବୁ ତ ନେଇଚୁ ? ମୁଁ ଯେ ଟଙ୍କା କୋଡ଼ିଏଟାର ଚାକର !’’

 

ଆଗନ୍ତୁକ–‘‘ତୁ ଚୋରି କର, ଡକେଇତି କର, ହାମଇ ଟଙ୍କା ଦରକାର, ଦରକାର ।’’

 

ନାଏବ–‘‘ଦେଖ୍ ଭାଇ, ମୁଁ ତୋ ଗୋଡ଼ତଳେ ପଡ଼ୁଚି, ତତେ ନେହୁରା ହଉଚି, ମତେ ଆଉ କଲ ବଲ କର ନାହିଁ । ମୁଁ ଖୁବ୍ ଭୋଗିଚି; ଥିଲି ଭଦ୍ର ଶିକ୍ଷିତ ଯୁବକ, କିନ୍ତୁ ତୋର ଦାଉରୁ ନ କରିଚି ଏପରି ପାପନାହିଁ । ମୁଁ ଏଠାରେ ଟିକିଏ ଜୀବନଟାକୁ ସଳଖି ନେବି ବୋଲି ଭାବିଚି; ତୁ ପୁଣି ଆସି ବାଧାଦେଲେ ସବୁ ଭାଜିଯିବ; ଏ ଆତ୍ମାର ଆଉ ସଦ୍‍ଗତି ହୋଇଁ ପାରିବ ନାହିଁ ।’’

 

ଆଗନ୍ତୁକ–ହାମେ ଆତମା ଫାତମା କି ଜାଣୁ ? ହାମର ଟଙ୍କା ଚାହିଁ, ପାପ ପୁନିଅ କରିବୁ ବୋଇଲେ ତୁ କରିବୁ, ହାମର କ’ଣ ଗଲା ! ହାମେ ଯେବେ କଷ୍ଟ କରି ତୁନି ହୋଇ ରହିବୁଁ ତା’ହେଲେ ତ ହାମର ବକସିସ ପାଇବା ଫାବେଁ ।’’

 

ନାଏବ–ତେବେ ବେଶ, ମୋ ପାଖରେ ଟଙ୍କାନାହିଁ; ମୁଁ ଟଙ୍କା ଦବାକୁ ରାଜି ନୁହେଁ ।’’ ଆଗନ୍ତୁକ–‘‘ଭଲ ଭଲ; ଏଇଯେ ମରଦକା ବାତ୍ । ଥାଆ ହାମ ଯାଉଚି ।’’ ଏହାକହି ଉଠିଲେ । ନାଏବ ବ୍ୟସ୍ତ ହେଇ ଆଶଂକା ଜଡ଼ିତ ସ୍ୱରରେ କହିଲେ–‘‘କୁଆଡ଼େ ?’’ ଆଗନ୍ତୁକ–‘‘ପାଣ୍ଡିକି, ଆଉ କୁଆଡ଼େ ?’’

 

ନାଏବ-ଓଃ, ଭଗବାନ । ତମର ରାଜ୍ୟରେ କି ନ୍ୟାୟ ନାହିଁ ? କ୍ଷମା ନାହିଁ ? ଗୋଟାଏ ସାମୟିକ ଦୁର୍ବଳତାରେ; ଇନ୍ଦ୍ରିୟର ଗୋଟାଏ ଚଳନ୍ତ ଉତ୍ତେଜନାରେ ଯାହା କରିବାକୁ ହୁଏ, ତା’ର କି ଶାସ୍ତି ଏତେ କଠୋର ? ଗଭୀର ଅନୁତାପରେ; ଦୁଃସହ ଯନ୍ତ୍ରଣାରେ କି ସେଇ ଗୋଟିଏ ପାପର ପ୍ରାୟଶ୍ଚିତ ହୋଇ ନ ପାରେ ? ରକ୍ତମାଂସର ଶରୀର ପାଇଁ, ପ୍ରଲୋଭନ ସହଜ ଇନ୍ଦ୍ରିୟ ବୃତ୍ତି ପାଇଁ ସଂସାରକୁ ଆସିବାକୁ ଭ୍ରୂଣ ତୁମକୁ ଅନୁରୋଧ କରି ଥିଲାକି ? ଗୋଟାଏ ଦଦରା ଡଂଗାରେ ତାକୁ ବସେଇ ଦେଇଁ ଅକୂଳ ସାଗରରେ ଛାଡ଼ିଦେଲେ ସେ ଯେ ବୁଡ଼ିଯିବ ସେଥିପାଇଁ ଦାୟୀ କିଏ ? ନା, ନା, ଭୁଲ; ନ୍ୟାୟ ଅନ୍ୟାୟ, ପାପପୁଣ୍ୟ, ସ୍ୱର୍ଗ ନରକ, ସବୁ ଭୁଲ । ସଂସାରରେ ଏକମାତ୍ର ସତ୍ୟ, ସୟତାନ ଓ ତା’ର ରାଜ୍ୟ ନରକ ! ତା’ହେଲେ ମୋର ଏ ପାପର ଭୟ, ଅମୁକ୍ତିର ଆଶଙ୍କା–

 

ଆଗନ୍ତୁକ–‘‘ହା, ହା, ବେଶ୍ କହିବୋଲି ପାରୁତ ! କିନ୍ତୁ ଭାଇ ହାମର ଟଙ୍କା ଦରକାର ଖାଲି ହାଉଆରେ ତ ପେଟ ପୁରିବ ନାହିଁ !

 

ନାଏବ–ଠିକ୍, ଏସବୁ ଖାଲି ହାଉଆ,-ସବୁ ! ସତ ଏକା ଟଙ୍କା ଯେ କୌଣସି ଉପାୟରେ ପାଇବାକୁ ହବ । ତା’ ବେଶ୍, ମତେ ଗୋଟିଏ ଦିନ ସମୟ ଦେ; ମୁଁ କିଛି ଯୋଗାଡ଼ କରି ତତେ ଦେଇ ପାରିବି ।’’

 

ଆଗନ୍ତୁକ–‘‘ଆଚ୍ଛା, ହଉ, ଆଉ କ’ଣ କରାଯାଏ ? କାଲି ଏତିକିବେଳକୁ ପାଞ୍ଚଶ ଟଙ୍କା ନ ପାଇଲେ–’’

 

ନାଏବ–‘‘ନାଇଁ, ଆଉ କହିବା ପ୍ରୟୋଜନ ନାହିଁ । ପରଦିନ ସକାଳେ ଆସି ନେଇଯିବୁ-।’’

 

ଆଗନ୍ତୁକର ମୁହଁରେ ନରକର ଆନନ୍ଦ-ନାଏବଙ୍କର ଆକ୍ଷିରେ ଶୟତାନର ଦପ !!

Image

 

ନାଏବଙ୍କ ପତ୍ର

 

ମୁଁ ସିନ୍ଧୁକ ପଛାଡ଼େ ବସି ସବୁ ଶୁଣିଚି । ଲୋକଟା କିଏ ? ଏତ ସ୍ଥାନୀୟ କେହିନୁହେଁ, ୟାର ନାଏବଙ୍କ ଉପରେ ଏ କିପରି ପ୍ରଭାବ ? ନାଏବଙ୍କର ପିତା ମୋକଦ୍ଦମା କରି ସର୍ବସ୍ୱ ଖୁଆଇଥିଲେ ବୋଲି ଶୁଣିଚି । କିନ୍ତୁ ତାଙ୍କ କଥାରୁତ ଯେପରି ଶୁଣୁଚି ନାଏବଙ୍କ ଧନତକ ଏଇ ଦଇବିଛଡ଼ାଟାର ପେଟରେ ! ବାପ୍‌ରେ, ‘କି ସେ ରୂପ ! କି ସେ ସ୍ୱର ! ଲୋକଟା କେଡ଼େ ନିଷ୍ଠୁର ! ନାଏବ ଯେପରି ହତାଶାରେ କଥାଗୁଡ଼ାକ କହିଲେ, ଜଣାପଡ଼ିଲା ଯେପରି ତା’ଙ୍କ ଅନ୍ତଦୁହିଁ ହୋଇ ଆସୁଚି । କିନ୍ତୁ ଲୋକଟାର ଚିତ୍ତ ଟିକିଏ ଟଳିଲା ନାହିଁ । ମୁଁ ତ କାନ୍ଦି ପକେଇଥିଲି, କୋହ ଆସୁଥିଲା, ଧରାପଡ଼ି ଥିଲିତ । କିନ୍ତୁ ନାଏବ ଏତେ ବିଚଳିତ କାହିଁକି ? ଚଳନ୍ତ ଉତ୍ତେଜନାର କେଉଁ ପାପ ସେ ଘୋଡ଼ାଇବାକୁ ଚାହାନ୍ତି । ସେ ପାପ ଯେ ନିଶ୍ଚେ ଗୁରୁତର ସେଥିରେ ସନ୍ଦେହ ନାହିଁ । ବୋଧହୁଏ ନରହତ୍ୟା,–ନାଏବ ନରହନ୍ତା ? ନା, ନା, ତା’ହେଲେ କ’ଣ ଚୋରି, ଡକେଇତି ? କ’ଣ, କିଏ କହିବ ? କିପରି ଜାଣିବି ? ଏଇ ପାପର ରହସ୍ୟ କି ପଦ୍ମାର ରହସ୍ୟ ? ପଦ୍ମା କ’ଣ ଏସମ୍ବନ୍ଧରେ ଜାଣେ-? ନା ସେ ସେଥିରେ ଭାଗୀ-? ନା, ପଦ୍ମାର ରହସ୍ୟ ସହିତ ଏ ରହସ୍ୟର ସମ୍ବନ୍ଧ ନାହିଁ ? ଏ ଲୋକଟା କ’ଣ ଜାଣେ-? ସେ ଯାହା ଜାଣେ ତା’ ଯଦି ପଦ୍ମାର ରହସ୍ୟ ହୋଇଥାଏ ? ନ ହୋଇଥିଲେ ମଧ୍ୟ ସେ ଯେତେବେଳେ ନାଏବଙ୍କ ସମ୍ବନ୍ଧରେ ସବୁଜାଣେ, ଆଉ ନାଏବ ପଦ୍ମାର ପୂର୍ବ ଜୀବନ ଜାଣନ୍ତି, ଏଲୋକ ତ ସେ କଥା ଜାଣିଥିବ ? ମୋର କି ଉପାୟ ଅବଲମ୍ବନ କରିବା ଉଚିତ ?

 

କିଛି ଠିକ୍‌ କରିପାରିଲି ନାହିଁ । ରହସ୍ୟର ମଧ୍ୟରେ ନୂତନ ଏକ ରହସ୍ୟର ଛାଇ ଆସି ପଡ଼ିବାରୁ ହୃଦୟଟା କିମତି ଗୁଡ଼େଇ ତୁଡ଼େଇ ହେଇଗଲା; ମୋର ପୂର୍ବଚିନ୍ତିତ ଉପାୟଗୁଡ଼ାକ ସବୁ ଯେପରି ଗୋଟାଏ ପବନର ଫୁତ୍କାରରେ ଉଡ଼ିଗଲା । ମତେ ଲାଗିଲା, ଯେପରି ଏ ରହସ୍ୟର ଫଳ ବଡ଼ ଭଲ ନୁହେଁ । ରହସ୍ୟ ଯାହାଇଛା ତା’ହଉ ଏ ଲୋକଟା ବଡ଼ ନିଷ୍ଠୁର-ପ୍ରକୃତି, ଟଙ୍କାପାଇଁ ସେ କରି ନ ପାରେ ଏପରି କାର୍ଯ୍ୟନାହିଁ । ସେ ନାଏବଙ୍କ ଉପରେ ଯେ ହାତ ପାଇଚି ସେଥିରେ ସେ ନିଜର ଇଚ୍ଛାମତେ ନାଏବଙ୍କ ଖେଳାଇ ପାରେ । ନାଏବଙ୍କର ପ୍ରଭାବ ପଦ୍ମା ଉପରେ ଖୁବ୍‌ ବେଶୀ ନିଶ୍ଚୟ । ସେ ଏ ପିଶାଚର ଦାଉରେ ପଡ଼ି ପଦ୍ମାକୁ ଖେଳେଇବ । ନୀଳ ପଦ୍ମାକୁ କେତେଭଲ ପାଏ । ମୁଁ ଦେଖିଲି ଏରହସ୍ୟର ଫଳାଫଳସ୍ୱରୂପ ନୀଳର ସର୍ବନାଶ ! ମୋର କଲିଜା ଥରି ଉଠିଲା ।

 

ସେ ସନ୍ଧିରୁ ବାହାରି ଥଣ୍ଡା ପବନରେ ବସି ଟିକିଏ ପୂର୍ବାପର ଭାବିନେବି ବୋଲି ମୁଁ ଚାହିଁ ଦେଖିଲି, ନାଏବ ବସି କ’ଣଗୁଡ଼େ ଲେଖୁଚନି । କିଛିସମୟ ପରେ ସେ ଯେ କାଗଜ ଖଣ୍ଡକ ଉପରେ ଲେଖୁଥିଲେ ତାକୁ ଲେଉଟାଇ ପକେଇ ବାହାରକୁ ଚାଲିଗଲେ । ମୁଁ କିଛି ସମୟ ସେହିପରି ଅପେକ୍ଷା କରି ରହିଲି । ଦେଖିଲି ସେ ଫେରିଆସିଲେ ନାହିଁ । ଆସ୍ତେ ଆସ୍ତେ ସିନ୍ଧୁକ ପଛାଡ଼ୁ ବାହାରି ଆସିଲି । ଉଣ୍ଡି ଦେଖିଲି ପିଣ୍ଡାରେ କେହି ନାହାନ୍ତି, ପାଚିରି କବାଟ ମେଲା । ସମ୍ଭବତଃ ମୋରି ପରି ମେଜାଜ । ଗରମ ହୋଇ ଯିବାରୁ ନାଏବ ଦାଣ୍ଡକୁ ଟିକିଏ ଥଣ୍ଡା ପବନରେ ସବୁକଥା ଭାବିନେବେ ବୋଲି ଯାଇଚିନି । ମୁଁ ଟେବୁଲ ପାଖକୁ ଫେରି ଆସି ସେ କାଗଜ ଖଣ୍ଡି ଓଲଟେଇ ଦେଖିଲି, ସେ ପଦ୍ମା ପାଖକୁ ଚିଠି । ମୋରପ୍ରାଣ ଆନନ୍ଦରେ ନାଚି ଉଠିଲା । ଅବଶେଷରେ ମତେ ବୋଧହୁଏ ସମୁଦାୟ ରହସ୍ୟ ଭେଦ କରିବାକୁ ସୁବିଧା ମିଳିଲା । ଧନ୍ୟ ଭଗବାନ ! ତାପରେ ଚିଠିଖଣ୍ଡି ପଢ଼ିଲି, ତାହା ଏହି–

 

ପଦ୍ମାମୋର,

 

ତୋର ଚିଠିଖଣ୍ଡି ଆଜି ପାଇଥିଲି । ମୁଁ ଯେ ଏଠାକୁ ଆସିଚି ତୋର ଅନୁସରଣ କରି; ଏ ଆଶଂକା ତୋର ଭୁଲ୍ । ତୁ ଏଠାରେ ଅଛୁବୋଲି ମୁଁ ଜାଣେନାହିଁ । ସେଦିନ ରୋଗଶେଯ ପାଖରେ ଦେଖି ମନରେ ଟିକିଏ ସନ୍ଦେହ ହୋଇଥିଲା ମାତ୍ର, କିନ୍ତୁ ପରେ ଅସମ୍ଭବ ଭାବି ମୁଁ ତାକୁ ପାସୋରି ପକେଇଁଥିଲି । ତା’ପରେ ଯେତେବେଳେ ଦ୍ୱିତୀୟଥର ତୋ ସହିତ ସାକ୍ଷାତ୍‍ ହେଲା, ତୋର ନାମ ଶୁଣିଲି, ତୋସ୍ୱର ମୋ କାନରେ ବାଜିଲା, ସେତେବେଳେ ଅବଶ୍ୟ ସବୁ ସନ୍ଦେହ ତୁଟିଗଲା । କିନ୍ତୁ ତୁ ଏଠାରେ କିପରି ? ଲେଖିଚୁ, ତୁ ନୀଳାମ୍ବର ବାବୁଙ୍କର ବିବାହିତା ପତ୍ନୀ । ମୁଁ ବିଶ୍ୱାସ କରିବି କିପରି ? ତୋର ପୂର୍ବଜୀବନ ଯେ ଏହାର ପ୍ରତିକୂଳ ? ତୁ ଯଦି ଧର୍ମର ଭୟ ନ କରି ସାମାଜିକ ପ୍ରଥାକୁ ଖାତିର ନ କରି ଏ କାର୍ଯ୍ୟ କରିଥାଉ, ତା’ ହେଲେ ହାୟ ହତଭାଗିନୀ ! ଏହାର ପରିଣାମ କ’ଣ ହବ ? ଯଦି କେବେ ଏ ରହସ୍ୟ ନୀଳାମ୍ବର ବାବୁ ଜାଣିପାରନ୍ତି, ବା ତାଙ୍କ ଜାଣିବା ପୂର୍ବରୁ ଏ ଗ୍ରାମରେ ରାଷ୍ଟ୍ର ହୋଇପାରେ ତା’ହେଲେ ତୋର କି ଦଶା ହବ ? ନୀଳାମ୍ବରଙ୍କର ମଧ୍ୟ କି ଅପମାନ ହେବ ? କିନ୍ତୁ ତୋର ବିବାହ ଯେ ଏକ ରହସ୍ୟ । ମୁଁ କିଛି ବୁଝିପାରୁ ନାହିଁ । ଯାଉ ସେ କଥା; ଯାହା ହେବାର ହେଇଁଚି । ବର୍ତ୍ତମାନ ପାଇଁ ଅନ୍ତତଃ ମୋ ଛଡ଼ା ଏ ରହସ୍ୟ ଭେଦର ଉପାୟ ଅନ୍ୟନାହିଁ । ସେଥିପାଇଁ ତୁ ମତେ ଅନୁରୋଧ କରୁଚୁ, ପୂର୍ବ ସ୍ନେହର ଖାତିରିରେ ମୁଁ ଏଠାରୁ ଚାଲିଯିବ ? ମୁଁ ତ ସେହି ପୂର୍ବସ୍ନେହର ଜିନର ଦେଇ କହିପାରେଁ ତତେ ଯେତେବେଳେ ପାଇଁଚି, ତୋ ସହିତ ମିଳନର ଆଶା ନ ରଖି ଥିଲେହେଁ, ତୋର ପାଖଛାଡ଼ି ଆଉ କୁଆଡ଼େ ଯିବିନାହିଁ । ପଦ୍ମା, ପଦ୍ମା, ଏକେତଦିନ ମୁଁ ଯାହା କାନ୍ଦିଚି, ଯାହା ଭୋଗୁଛି ! ତୁ କାଶୀ ଚାଲିଯିବା ଦିନଠାରୁ ଏସଂସାର ମୋ ପକ୍ଷରେ ଅନ୍ଧାର ହୋଇଗଲା । ବସନ୍ତର ସେ ବୀଣା; ଉଦ୍ୟାନର ସେ ହାସ୍ୟ; ପ୍ରକୃତିର ସେ ସପ୍ତସ୍ୱରା, ସବୁ ଯେପରି ହଠାତ୍ ବନ୍ଦ ହୋଇଗଲା ! ନିରାଶ, ନିରାନନ୍ଦ ଯେପରି ମତେ ଘୋଡ଼େଇ ରଖିଥିଲା । ତତେ ନୀଳାମ୍ବଙ୍କର ପତ୍ନୀସ୍ୱରୂପ ଦେଖି ମୋ ମନରେ ନା, ମୋର ଯିବାର ଟିକିଏ ବିଳମ୍ବ ଅଛି । ମୁଁ ଗରିବ; ପେଟ ଦାଉରେ ଏଠାରେ ଚାକିରି କରୁଚି । ଏତେଶୀଘ୍ର ଚାଲିଗଲେ ଯେ ମତେ ଓପାସରେ ରହିବାକୁ ହବ ? ଅନ୍ତତଃ ଆଉ ଖଣ୍ଡେ ଚାକିରି ଯୋଗାଡ଼ କରିବା ପର୍ଯ୍ୟନ୍ତ ମୁଁ ଏଠାରୁ ଟଳି ପାରୁନାହିଁ । ତେବେ ତୁ ଯଦି କାଲି ରାତିରେ ଥରେ ଏଠାକୁ ଆସି ପାରନ୍ତୁ, ମୋର କେତେଗୁଡ଼ିଏ କଥା ଅଛି, ମୁଁ କହିବି; ତା’ପରେ ତା’ପରେ,-ଯାଉ; ମୋର ଭାଗ୍ୟ ନେଇ ମୁଁ ବୁଲିବି । ତୁ ସୁଖରେ ଅଛୁ, ଜାଣିଲି, ଏଇ ମୋ ପକ୍ଷରେ ଯଥେଷ୍ଟ । ମୋର ଅନୁରୋଧ ଥରେମାତ୍ର କାଲିରାତିରେ ସାକ୍ଷାତ୍‍ ହେବ । ତା’ପରେ ଈଶ୍ୱରଙ୍କ ଶପଥକରି କହୁଚି, ମୁଁ ତୋରି ବାଟ ମାଡ଼ିବି ନାହିଁ । ମୁଁ ଚେଷ୍ଟାକରି ନୀଳାମ୍ବରଙ୍କୁ ସ୍ଥାନାନ୍ତରିତ କରୁଚି, କାଲି ଦିନକ ପାଇଁ । ନିଶ୍ଚୟ ଆସିବୁ । ଆସିଲେ ମୁଁ ଯିବି; ସେଥିରେ ତୋର ମଧ୍ୟ ମଙ୍ଗଳ । ସାଙ୍ଗରେ ଟଙ୍କା କିଛି ଆଣିଥିବୁ । କାରଣ ମୁଁ ଚାଲିଗଲେ, କିଛିଦିନ ତ ଅନ୍ତତଃ ବଞ୍ଚି ରହିବି ? କ’ଣ ଭାବୁଚୁ ପଦ୍ମା, ମତେ ଆଜି ଟଙ୍କା କେତେଟା ଲାଗି ତୋ ଦୁଆରେ ଭିକ୍ଷା ମାଗିବାକୁ ହେଲା,-ତୋର ଦୁଆର !

 

ଅଭାଗା

ସୋମନାଥ

 

ମୁଁ କଞ୍ଚି ବିଡ଼ାଟି ଯଥାସ୍ଥାନରେ ରଖିଦେଇ ଚାଲି ଆସିଲି ।

Image

 

ଚୋରର ଘରେ ସିନ୍ଧି

 

ମନୁଷ୍ୟର ଆଶାଗୁଡ଼ାକ ପାଣିଫୋଟକା ପରି । ଦଇବ ଯେପରି ଆଢ଼ୁଆଳରେ ବସି ମନୁଷ୍ୟର ଏଇ ଆଶାଗୁଡ଼ାକ ଫୁଟି ଉଠିବାର ଦେଖି ହସୁଥାଏ; ତା’ର ସେହି ହସ-ପବନରେ ସେ ଫୋଟକା ପୁଣି ପାଣିରେ ମିଳେଇ ଯାଏ । ମୁଁ କେତେ ଆଶାକରି ଚିଠି ଖଣ୍ଡି ଉଠେଇ ନେଇଥିଲି; ଭାବିଥିଲି ଚିଠିରୁ ରହସ୍ୟ ଭେଦହବ । କିନ୍ତୁ ଚିଠିରେ ତ ସେପରି କିଛି ଦେଖିଲି ନାହିଁ । କେବଳ ଏତିକି ବୁଝିପାରିଲି ପଦ୍ମା ଆଜି ରାତିରେ ନିଶ୍ଚେ ନାଏବଙ୍କ ଘରକୁ ଯିବ, ସେଠାରେ ସେମାନଙ୍କ ମଧ୍ୟରେ ଯେ କଥାବର୍ତ୍ତା ହବ ତାହା ଶୁଣିପାରିଲେ ମୋର ସବୁ ପରିଶ୍ରମ ସଫଳ ହେବ । ଏଇ ଆଶାରେ ହୃଦୟ ବାନ୍ଧି ମୁଁ ଘର କାମରେ ସକାଳୁ ଉଠି ଲାଗିଗଲି ।

 

ଆଜି ସ୍ୱୟମ୍ବରଦଶମୀ, ରାତିରୁ ଦାସିଆ ମା’, ମାଳତୀ, ପିଠଉ ବାଟି ଚୂନାକୁଟି ରଖିଥିବେ-। ବ୍ରାହ୍ମଣ ପଚାଶ ଜଣଙ୍କର ଖଟଲା । ସୁତରାଁ ମୁଁ ତର ତର ହୋଇ ହାଣ୍ଡିଶାଳକୁ ଗଲାବେଳେ ଦେଖିଲି ମଧୁଆ ମା’ ମୋ ଆଡ଼କୁ ଆସୁଚି । ସେ ମତେ ଦେଖି କହିଲା, ‘‘ସା’ନ୍ତାଣି, ଛୋଟ ମା’ଙ୍କୁ ଭାରିଜର; ସେ ଶେଯରୁ ଉଠି ପାରୁନାହନ୍ତି ମତେ ପାଖରେ ବସି ମୁଣ୍ଡ ଚିପିବାକୁ କହୁଚନ୍ତି; ମୁଁ କ’ଣ କରିବି’’ ଏହାର ମାନେ ? –ମତେ ଠକି ଦେଇ ମଧୁଆ ମା’କୁ ହାତରେ ରଖିବାକୁ ଉଦେଶ୍ୟ ନୁହେଁ ତ ? । ପଦ୍ମା କ’ଣ ଚିଠି ଏତେଶୀଘ୍ର ପାଇ ସାରିଲାନି ?

 

ମୁଁ କପଟ ବିସ୍ମୟରେ କହିଲି, ‘‘–ମଲା, ପୋଡ଼ପାଡ଼ କପାଳ । ଆଜି ସମ୍ବରଦଶମୀ; କେତେ ପିଠାପଣା ହବ, ବାରଲୋକ ଖାଇବେ; ଆଉ ଘର ବୋହୂଟା ପାଟିରେ ଟିକିଏ ଲାଗିବ ନାହିଁ ? ପୁଅଟା ତ ଜରରୁ ଉଠିଛି ଯେ ଖାଇବକି ନାହିଁ; ସେ ତ ତହିଁକି ପିଠା ପଣାକୁ ଯୁ ସୁଖ ପାଏ-! ମୁଁ ଏବେ କାହିଁକି ଏତେ ସେକିଚିଲି କରୁଚି ? ତୁ ଯା, ହାଡ଼ି ନାନୀକି କହିବୁ, ଆରିସା, ଛିଞ୍ଚ ପିଠାହେରିକା ଯାହା କରୁଥିଲେ ସବୁ ବନ୍ଦ କରିବେ । ଖାଲି ବ୍ରାହ୍ମଣଙ୍କ ପାଇଁ, ଆଉ ଘରର ଚାକର ବାକରଙ୍କ ପାଇଁ ଯାହା ହବାର କଥା ହବ । ମୁଁ ଯାଉଚି ପଦ୍ମାକୁ ଟିକିଏ ଦେଖି ଆସେଁ ।’’

 

ମଧୁଆ ମା’ ଚାଲିଗଲା, ମୁଁ ଯାଇଦେଖିଲି ସତରେ ପଦ୍ମାକୁ ଭାରିଜର; ଦିହରେ ଧାନ ପକେଇ ଦେଲେ ଖଇ ଫୁଟିଯିବ ! ମୁଣ୍ଡ ବ୍ୟଥାରେ ବିକଳ ହୋଇ ସେ ଛାଟିପିଟି ହେଉଚି । ମୋ ମନରେ ଟିକିଏ ଦୁଃଖ ହେଲା–ନଦେଖି ବିଚାରୀକୁ କେତେ ସନ୍ଦେହ କରିଥିଲିଟି ! ତା’ ପାଖରେ ବସି ମୁଁହରେ ହାତରେ ଟିକିଏ ଟିକିଏ ହାତ ବୁଲେଇ ଦେଲି । ସେ ଆଖି ଫିଟେଇ ମୋ ଆଡ଼କୁ ଟିକିଏ ଚାହିଁଲା । ତା’ପରେ ବଡ଼ କ୍ଷୀଣ କଣ୍ଠରେ କହିଲା–‘‘ନାନୀ, ଭାରି ଶୋଷ’’ କ’ଣ କରିବି ? ଜର ହେଇଚି, ପାଣି ଦଉଚି କିମିତି ? ଦଉଚି ବୋଲି କହି ମୁଁ ସେଠାରୁ ଉଠି ଆସିଲି । ଦିଇଟା ପୋଇଲି ତା’ପାଖକୁ ପଠେଇ ଦେଇ ନୀଳକୁ ଡକେଇ ପଠେଇଲି । ନୀଳର ମନରେ ସୁଖ ନାହିଁ । ସେ ବୋଧହୁଏ ୟାକୁ ଜରହବାର ଦେଖି ଯାଇଚି । ମୁଁ ତାକୁ କହିଲି, ‘‘ଆରେ, ବୋହୂଟାକୁ ସାତସାଇ ଜର; ଟିକିଏ କାହାକୁ ଡାକି ପଠାନ୍ତୁ ? ଶୋଷ ଶୋଷ ବୋଲି ଆଉଟି ହୋଇଗଲାଣି !’’

 

ନୀଳ–‘‘ହରି କବିରାଜଙ୍କ ପାଖକୁ ମଣିଷ ପଠେଇଚି । ସେ ଆସୁଥିବେ । ସହରକୁ ଡାକ୍ତର ପାଇଁ ତା’ର କରିଚି; ସେ ଆସୁ ଆସୁ ଅନ୍ତତଃ ସନ୍ଧ୍ୟା । ରାତିରେ ତାଙ୍କ ଖାଇବା ପିଇବା ଯୋଗାଡ଼ ହବ । ମୁଁ କିଛି ଖାଇବି ନାହିଁ; ପେଟଟା କାହିଁକି ଭଲ ଲାଗୁ ନାହିଁ।’’

 

ମୁଁ–‘‘ୟା କୁ ସଂସାରରେ ହେଲାନି ? ଆଜି ସମ୍ବରଦଶମୀ; କେତେଲୋକ କେତେ କରି ଖାଇବେ । ଆଉ ତୁ ଠିଆ ଉପାସରେ ରହିବୁ କିପରି ମ ? ୟାତ ହୋଇପାରିବ ନାହିଁ !’’

 

ନୀଳ–‘‘ନ ହୋଇ ପାରିଲେ ଆଉ କ’ଣ ମରିକରି ଖାଇବି ? ଯେବେ କରିବ, ତେବେ ମୋପେଇଁ ଭାତପୁଞ୍ଜେ; ଆଉ ପିଠା ଫିଠା ମୁଁ କିଛି ଛୁଇଁବି ନାହିଁ ।’’

 

ଏତିକି କହି ସେ ଫଡ଼୍‌କିନି ବାହାରିଗଲା । ହରି କବିରାଜ ସେଇଗାଁର ଲୋକ । ସେ ଶୁଣିଲାକ୍ଷଣି, ବିଚରା ଶେଯରୁ ଉଠିଥିଲେ, ମୁହଁ ଧୋଇଚନ୍ତି କି ନାହିଁ, ତାଙ୍କର ବଟୁଆଟି କାଖରେ ଜାକି ଧାଇଁଲେ । ନୀଳ ତା’ଙ୍କୁ ସାଙ୍ଗରେ ଘେନି ଆସିଲାବେଳକୁ ମୁଁ ସେଠାରେ ଅଛି । କବିରାଜଙ୍କୁ ନୀଳସାଙ୍ଗରେ ଦେଖି ପଦ୍ମା କାନ୍ଥଆଡ଼କୁ ମୁହଁ ବୁଲାଇ ଯାକିଯୁକି ହୋଇ ଶୋଇ ରହିଲା । ମୁଁ ତା’ର ବାଁ ହାତଟି ଲୁଗାଭିତରୁ ବାହାର କରିଆଣି କବିରାଜଙ୍କୁ ଦେଲି । କବିରାଜ ହାତକୁ ଥରେ ଦିଥର ସାଉଁଳି, କାନ ପାଖରେ ଧରି, ଟପ୍ ଟପ୍ ବୁହେ କରି କହିଲେ,–‘‘ପିତ୍ତଶ୍ଲେଷ୍ମା ଜର; ସ୍ତ୍ରୀ ଅଙ୍ଗରେ ଏଉଟା ଭଲ ନୁହେଁ । ତେବେ ଆପଣଙ୍କର ଚିନ୍ତା କ’ଣ ? ମୁଁ ଚାରିପାନ ଔଷଧ ଦେଇ ଯାଉଚି, ତା’କୁ ଇ’ଲେ ପାନେ, ଆଉ ତିନିପାନ ସନ୍ଧ୍ୟାବେଳ ଭିତରେ, ମହୁ ପିପ୍ପଳୀ ପରିକ୍ଷ କରି ଅଦା ରସରେ ଖାଇବାକୁ ଦିଅନ୍ତୁ ।’’

 

ମୁଁ କହିଲି–‘‘ଭାରି ଶୋଷ ହଉଚି ବୋଲି କହୁଚି, ପିଇବାକୁ କ’ଣ ଦିଆହବ ?’’

 

କବିରାଜ–‘‘ଅଳେଇଚ ଚୋପା କିମ୍ବା ମସୁର ଡାଲି ଶିଝେଇ ତା’ ପାଣି ଥଣ୍ଡା କରି ଦିଅନ୍ତୁ-।’’

 

ଏତିକିବେଳେ ପଦ୍ମା ମୋ ହାତ ଧରି ଟାଣିଲା, ମୁଁ କାନ ତା’ ମୁହଁ ପାଖକୁ ନେଲାରୁ କହିଲା, ‘‘ମୁଣ୍ଡବଥା ଭଲହବ ନାହିଁ ?’’ ମୁଁ ସେ କଥା କିବରାଜଙ୍କୁ ବୁଝେଇ ଦେଲି । ସେ ଗୋଟେ କ’ଣ ଗୁଣ୍ଡ ଦେଲେ । କହିଲେ,–‘‘ୟାକୁ ଲୁଖୁରାବଳିତା ଭିତରେ ପୁରେଇ ଶୁଙ୍ଘିଲେ ମୁଣ୍ଡବ୍ୟଥା ଠକ୍ କରି ରହିବ ।’’ କବିରାଜ ଚାଲିଗଲେ; ମୁଁ ମଧ୍ୟ ମୋ ଧନ୍ଦାରେ ଆସିଲି ।

 

କିନ୍ତୁ ଗୋଟେ କଥା ମୋର ମନେହେଲା, ପଦ୍ମାର ଦିହ ବ୍ୟସ୍ତ ହୋଇ ମୋର ଗୁପ୍ତ ରହସ୍ୟ ଭେଦଟା ଅନେକ ପଛକୁ ଘୁଞ୍ଚିଯିବ, କିନ୍ତୁ ନାଏବଙ୍କର କ’ଣ ହବ ? ସେ ଲୋକଟାକୁ କାଲି ସକାଳେ ଟଙ୍କା ଦେବାକୁ ହବ, ସେଥିପାଇଁ ପଦ୍ମାକୁ ଡକାଇଥିଲେ, ତା’ଠାରୁ କିଛି ଆଦାୟ କରିବାର ଅଭିପ୍ରାୟରେ । ପଦ୍ମା ଯାଇପାରିବ ନାହିଁ ଚିଠି ପାଇପାରିବକି ନାହିଁ ସେଥିରେ ବି ସନ୍ଦେହ, ତା’ ହେଲେ ନାଏବଙ୍କର ବା କି ଉପାୟ ?

 

ଏଇସବୁ କଥା ଲେଉଟେଇ ପାଉଟେଇ ମୋ ମନରେ ହେଉଥାଏ । ଖା’ ପିଅ ସରିଲା; ସବୁ କାମଦାମ ସାରି ମୁଁ ଯାଇଁ ନିଶ୍ଚିନ୍ତରେ ଟିକିଏ ବିଶ୍ରାମ ନେଲି । ଖବର ନେଇ ବୁଝିଲି ପଦ୍ମାର ଜର ଅଳ୍ପ କମିଥିଲେ ମଧ୍ୟ, ତା’ର ଉଠିବାର ଶକ୍ତି ନାହିଁ । ଶୋଇକରି ଭାବୁ ଭାବୁ ହଠାତ୍ ଗୋଟେ ବୁଦ୍ଧି ଦିଶିଲା, ମୁଁ ଖୁବ୍ ଖୁସି ହୋଇ ଉଠି ବସିଲି । ଦେଖିଲି ବେଳ ରତ ରତ ହଉଚି । ସନ୍ଧ୍ୟା କିପରି ହବ, ଖା’ ପିଅ ସବୁ କିପରି ସରିବ, ସମସ୍ତେ କିମିତି ଶୋଇବେ, ଏଇ କଥା ଭାବୁ ଭାବୁ ବେଳ କୁଆଡ଼େ ଚାଲିଗଲା, ତୁଳସୀ ମୂଳରେ ବସି ମାଳା ଗଡ଼ଉଥାଏଁ, କିନ୍ତୁ ମନ ଥାଏ ଆଉ ଠା’ କରେ । କାହାରି ସମୟ ବସିରହେ ନାହିଁ; ବାଇଶିବର୍ଷର ପୁଅ ଖାଇ ବସିଚି ଯେ ମା’, ତା’ର ବି ଦିନ ସରି ଯାଉଚି । ରାତି ଦେଢ଼ପହରବେଳକୁ ଯେ ଯୁଆଡ଼େ ଶୋଇ ପଡ଼ିଲେ । କେବଳ ପଦ୍ମାଘରେ ମିଟି ମିଟି କରି ଦୀପ ଜଳୁଚି । ଯାଇ ଦେଖିଲି ନୀଳ ସେ ଘରେ ଆଗପଟ କାନ୍ଥକୁ ଲଗାଇ ଆଉ ଗୋଟେ ଖଟ ଆଣି ପକାଇ ତା’ଉପରେ ଗଡ଼ତ ପଡ଼ତ ହେଉଚି । ପଦ୍ମା ଟିକିଏ ତନ୍ଦ୍ରାରେ ପଡ଼ିଚି । ଜର କମ୍-। ମଧୁଆ ମା’, ଶାମି ମା’, ଦିଜଣ ବସି ତା’ ଗୋଡ଼ରେ ପିଠିରେ ହାତ ବୁଲଉଚନି, ମୁଁ ତୁନି ହୋଇ ସେଠାରୁ ଖସିଆସିଲି । ମୋ ଘରକୁ ଯାଇ ଦେଖିଲି ଘର ଅନ୍ଧାର । ସେହି ଅନ୍ଧାରରେ ବାକସ ଫିଟାଇ ଯାହା ହାତରେ ପଡ଼ିଲା, ତାକୁ ଧରି ନାଏବଙ୍କ ଘରଆଡ଼କୁ ଚାଲିଲି । ଘର ବନ୍ଦ ଥିଲା; ବଡ଼ ସାହାସରେ ହାତ ମାଇଲି । ନାଏବ ଦୁଆର ଫିଟାଇ ମତେ ଦେଖି ଟିକିଏ ଆଶ୍ଚର୍ଯ୍ୟ ହେଲେ । କିନ୍ତୁ ତା’ପରେ ଆତ୍ମସଂଯମ କରି ନେଇ କହିଲେ ‘‘ମଣିନାନୀ ଯେ, ଏ ଗରିବର ଘରକୁ କି ଉଦ୍ଦେଶ୍ୟରେ-?’’

 

ମୁଁ–‘‘ଉଦ୍ଦେଶ୍ୟ ନ ଥାଇ ଏତେ ରାତିରେ ମୁଁ ତୁମ ଘରକୁ ଆସନ୍ତି କାହିଁକି ?’’ ନାଏବ ଦୁଆର ମେଲାକରି ଆସ୍ତେ ଆସ୍ତେ ଯାଇ ଟେବୁଲ ପାଖରେ ଠିଆହେଲେ, କୁରୁଚି ଗୋଟିଏ ଦେଖାଇଦେଇ କହିଲେ ‘‘ଆସିଚ ଯେବେ ତେବେ ଟିକିଏ ବସିପଡ଼; କ’ଣ ଉଦ୍ଦେଶ୍ୟ ଶୁଣେ ?’’

 

ମୁଁ କୁରୁଚିରେ ବସିଲି, ସେ ମୋର ସାମନାରେ ଠିଆହୋଇ ନଥି ବିଡ଼ାଟାଏ ଧରି ଓଲଟେଇ ଲାଗିଲେ । ମୁଁ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରିବି କିପରି ଭାବି ଠିକ୍ କରି ପାରୁ ନ ଥିଲି-। ନାଏବ ତା’ର ଉପାୟ ବତାଇ ଦେଲେ ‘‘ସାନ ମା’ଙ୍କ ଦେହ କିପରି?’’

 

ମୁଁ–ମୁଁ ତାରି ପାଖରୁ ତୁମ ପାଖକୁ ଆସୁଚି; ତା’ର ଦେହ ତେତେ ଭଲ ନାହିଁ । ସକାଳ ଭଳି ଜର ନାହିଁ । ତେବେ ବଡ଼ ହାଲିଆ ହୋଇ ପଡ଼ିଚି । ସେ ନ ଆସିପାରି ମୋତେ ପଠାଇଚି ।

 

ନାଏବ ଟିକିଏ ବିସ୍ମିତ ହେଲେ । ତାଙ୍କର ଭ୍ରୁଲତା ଦୁଇଟି ସଂକୁଚିତ ହୋଇ ଲାଗିଗଲାପରି ଜଣାଗଲା । କହିଲେ ‘‘ମୋ ପାଖକୁ ? ଆପଣଙ୍କୁ ? ମୁଁ କିଛି ବୁଝିପାରୁ ନାହିଁ ଯେ ? ଟିକିଏ ଖୋଲିକରି କହନ୍ତୁ ଦେଖି ?’’

 

ମୁଁ–ଦେଖ ସମନାଥ ବାବୁ ! ତୁମେ ଯେରକମ ଲୋକ, ସେଥିରେ ତୁମସାଙ୍ଗେ କଥାବାର୍ତ୍ତା କରିବା କେତେଦୂର ଯୁକ୍ତିସଂଗତ ମୁଁ ଦେଖି ପାରୁନାହିଁ, ତୁମେ କ’ଣ ଆମକୁ ସବୁ ଏମିତି ପିଲାକରି ଦେଖିଚ ଯେ ଆମ ଆକ୍ଷିରେ ଧୂଳି ପକେଇ ଦେଇ ଚାଲିଯିବ, ଆଉ ଆମେ ସେଥିରୁ ଟିକିଏ ବୁଝି ପାରିବୁ ନାହିଁ । ତୁମେ ସାମାନ୍ୟ ଦରମାର ଚାକର, ନୀଳର ପିଲାଦିନ ସାଙ୍ଗ ବୋଲି ଆଣି ତୁମକୁ ଘରେ ରଖିଲୁ । ଅଥଚ ତୁମେ ସେ ବନ୍ଧୁତା’ର କି ମର୍ଯ୍ୟାଦା ରଖିଚ ଶୁଣେ ? ତୁମେ ପର ପୁରୁଷ; ଗୋଟେ କୂଳଭୂଆଷୁଣୀ ପାଖକୁ ଚିଠି ଲେଖିବାକୁ କିପରି ସାହାସ କଲ କହିଲ ! ତା’ପରେ ତୁମର ଏତେ ସାହସ ଯେ ତୁମେ ତାକୁ ରାତି ଅଧରେ ତୁମ ସାଙ୍ଗରେ ଦେଖା କରିବାକୁ କହିଚ ? କଥାପଡ଼ିଲା ବେଳକୁ କହୁଚ କ’ଣ ନା ମୁଁ କିଛି ବୁଝିପାରୁ ନାହିଁ । ଟିକିଏ ଖୋଲିକରି କହନ୍ତୁ ?

 

ନାଏବ କ୍ଷଣକପାଇଁ ଚୁପ୍‍ ହେଲେ । ତାଙ୍କର ମୁହଁରେ ସନ୍ଦେହ, ଅବିଶ୍ୱାସ, ଆଶଙ୍କା ଗୋଟିକ ପରେ ଗୋଟିଏ ଖେଳିଗଲା । ତା’ପରେ ଧୀର ଗମ୍ଭୀର ଅଥଚ ବଡ଼ ବିନୀତଭାବରେ କହିଲେ ‘‘କ୍ଷମାକର ମଣିନାନୀ; ମୋର ପ୍ରକୃତରେ ଦୋଷ ହୋଇଁଚି, ତୁମକୁ ସେ ଚିଠି ଦେଖାଇଚି ବୋଲି ମୁଁ ଜାଣିଲି କିପରି ? ତୁମେ ଯାହା କହିଲ ସେ ସବୁ ସତ; ତାଙ୍କ ପାଖକୁ ଚିଠି ଦେବା ମୋର ଅନ୍ୟାୟ, କିନ୍ତୁ ତୁମେ ଯେତେବେଳେ ମୋ’ ଚିଠି ଦେବା କଥାଜାଣ, ତେବେ ଜାଣିଥିବ ବୋଧହୁଏ ଯେ ସେ ପ୍ରଥମେ ମୋ’ପାଖକୁ ଲେଖିଥିଲା । ମୁଁ ତା’ର ଉତ୍ତର ଦେଇଁଥିଲି ମାତ୍ର । ଏଥିରେ କି ମୋର ଦୋଷ ହୋଇପାରେ ?

 

ମୁଁ–ତା’ ନିଶ୍ଚୟ ନୁହେଁ । ମୋର ଅନେକ କାମ । କ’ଣ ତାକୁ କହିବ ବୋଲି ଲେଖିଥିଲ ମତେ କହ । ସେ ନ ଆସି ପାରି ମତେ ପଠାଇଚି । ତୁମ ତା’ ମଧ୍ୟରେ ଯେ ସମ୍ପର୍କ ସେଥିରେ ତୁମେ ଯେ କେତେବେଳେ କ’ଣ କରିବାକୁ ଭାବୁଥିବ ତା’ ନ ଜାଣିଲେ ସେ ମୂହୂର୍ତ୍ତକ ପାଇଁ ନିଶ୍ଚିନ୍ତ ହୋଇପାରିବ ନାହିଁ । ସେଥି ନିମନ୍ତେ ମତେ ପଠାଇଚି । ଆଉଦେଖ ତୁମେ ଟଙ୍କାପାଇଁ ଲେଖିଥିଲ; ତା’ପାଖରେ ତ ନଗଦ ଟଙ୍କା ନାହିଁ । ସେ ଏ ହାରଟି ଦେଇଛି । ୟାର ଦାମ ପ୍ରାୟ ଦୁଇଶଟଙ୍କା ହେବ-। ତାକୁ ବନ୍ଧା ରଖି ତୁମର ବର୍ତ୍ତମାନ କୃତ୍ୟ ଚଳାଇ ପାର । ନତୁବା ବିକ୍ରି କରି ଏ ସ୍ଥାନ ଛାଡ଼ି ଚାଲିଯାଇ ପାର । ତୁମେ ଅନ୍ୟଠାରେ ଚାକିରି ପାଇବା ପର୍ଯ୍ୟନ୍ତ ଏଇତକରେ ଚଳିଗଲତ ଭଲ-। ତା’ ନ ହେଲେ ଯୁଠେଇଁ ଥାଆ ମୋ ପାଖକୁ ଲେଖିଲେ ମୁଁ ଆଉ କିଛି ପଠାଇବାର ଯୋଗାଡ଼ କରିବି ।

 

ଏହାକହି ମୁଁ ଗୋଟିଏ ସୁନ୍ଦର କାଗଜ ପୁଲିନ୍ଦା ତାଙ୍କ ହାତକୁ ବଢ଼ାଇ ଦେଲି । ସେ ତା’ ଭିତରୁ ଗୋଟିଏ ମାଳୀ; ଜୟପୁର ସୁନାର ବାହାର କରି ଏପଟ ସେପଟ କରି ଦେଖି ଲାଗିଲେ । ତାଙ୍କର ମୁହଁରେ ପୁଣି ପୂର୍ବର ସେହି ସନ୍ଦେହର, ଆଶଙ୍କାର ଚିହ୍ନ ଦେଖାଗଲା, କିନ୍ତୁ ଏଥର ସେତେ ପ୍ରକାଶ୍ୟ ଭାବରେ ନୁହେଁ ତା’ପରେ ସେ ମୋଆଡ଼କୁ ଅନେଇ କହିଲେ ‘‘ତାକୁ କହିବ, ମୁଁ ତା’ପାଖରେ ଚିରୠଣୀ । ଅବଶ୍ୟ ତା’ର ମଙ୍ଗଳ ସକାଶେ ମୁଁ ଏସ୍ଥାନ ଛାଡ଼ି ଚାଲି ଯାଉଚି, ତଥାପି ସେ ଇଚ୍ଛା କରିଥିଲେ ମତେ ଅଦ୍ୟଭେକ କରି ଛାଡ଼ିପାରିଥାନ୍ତା, ମୋର ଆଉ ବେଶୀ କିଛି କହିବାର ନାହିଁ । କେବଳ ଏତିକି ମୋ କଥା ଯେପରି ବେଳେବେଳେ ମନେ ପଡ଼ୁଥାଏ ।’’

 

ମୁଁ ଦେଖିଲି ନାଏବ ଅସଲ କଥାଟି ଲୁଚେଇଲେ । କେଜାଣି କାହିଁକି ତାଙ୍କର ମନରେ ମୋପ୍ରତି ଅବିଶ୍ୱାସ ଆସିଛି ତାହାହେଲେ ତ ମୋର ସବୁଶ୍ରମ ବୃଥା ହୋଇଗଲା । ଏଇସବୁ ଭାବି ମୁଁ କହିଲି ‘‘ତୁମେ କ’ଣ ଏଇକଥା କହିବାକୁ ତାକୁ ଡାକି ପଠାଇ ଥିଲ ? ତା’ ତ ଚିଠିରେ ଲେଖିଥିଲେ ଭଲ ହୋଇଥାନ୍ତା । ନାଏବ ଅବିଚଳିତ ଭାବରେ- ‘‘ନା ମୋର ବିଶ୍ୱାସ ନ ଥିଲା ଯେ ସେ ମୋର ଉପରେ ଏତେଗୁଡ଼େ ଅନୁଗ୍ରହ କରିବ; ସେଥିପାଇଁ ଲେଖିଥିଲି ଆସିବାକୁ । ସେ ଆସିଥିଲେ କନ୍ଦାକଟା କରି କୌଣସିମତେ ମତେ ସାହାଯ୍ୟ କରିବାକୁ ମଙ୍ଗାଇଥାନ୍ତି । ସେ ସବୁତ ଆଉ ଚିଠିରେ ହୁଏ ନାହିଁ ।

 

ମୁଁ ଦେଖିଲି ଧରିବାକୁ ଆସି ନିଜେ ଧରାଟେ ପଡ଼ିଲି ପରା ! ବଡ଼ ସାହସ କରି ଅନେକ ଏଣୁ ତେଣୁ ଭାବି ପଚାରିଲି ‘‘ତା’ ହେଲେ ମୁଁ ଯାଉଚି, କିନ୍ତୁ ସାବଧାନ ସେ କଥା ଯେପରି ପ୍ରକାଶ ନ ହୁଏ ।’’ ନାଏବ ଆଶ୍ଚର୍ଯ୍ୟ ହେଲାପରି ପଚାରିଲେ ‘‘ସେ କଥା, କି କଥା ସେ ?’’

 

ମୁଁ–‘‘ଚେଇଁ ଶୋଇବ ଯେ, ତାକୁ ଉଠେଇବ କିଏ ? ସତେ ଅବା ଯିମିତି କିଛି ଜାଣନ୍ତି ନାହିଁ । ମତେ କ’ଣ ତେବେ ଫିଟାଇ କହିବାକୁ ହେବ ?’’

 

ନାଏବ, ଦେଖିଲି ବଡ଼ ଭାବନାରେ ପଡ଼ିଲେ । ହଠାତ୍‌ ତାଙ୍କର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ସେ କ’ଣ କହିବାକୁ ଯାଉଥିଲେ; ଏଇ ସମୟରେ ମଧୁଆ ମା’ ଆସି କହିଲା ‘‘ସାତାଣି, ସାତାଣି, ଛୋଟମା’ଙ୍କର ଦିହ ଭାରି ବେରାମ; ସାନ୍ତେ ଡାକୁଚତି, ସଅଳ ଆସ ।’’ ମୁଁ ମଧୁଆ ମା’ ମୁହଁକୁ ଥରେ, ନାଏବଙ୍କ ମୁହଁକୁ ଥରେ ଚାହିଁଲି । ତା’ପରେ ଚାଲିଗଲି । ସମୟ ନ ଥିଲା । ସୁନାହାରଟା ନାଏବଙ୍କ ହାତରେ ରହିଗଲା ।

Image

 

ନାକ କାଟି ନାକ ହାତରେ

 

ଯାହା କହନ୍ତି ପରପାଇଁ ଯେ ଟୋପ ଖୋଳିବାକୁ ହୁଏ ସେଇଥିରେ ଶେଷରେ ଲୋକକୁ ପଡ଼ିବାକୁ ହୁଏ ବୋଲି, ମୁଁ ଆଜି ହାତେ ହାତେ ତାହା ଅନୁଭବ କଲି । ଯାଇଥିଲି ପଦ୍ମାର ରହସ୍ୟ ଭେଦ କରିବି ବୋଲି, ଶେଷରେ ମୋର ଏକ ରହସ୍ୟ ଆରମ୍ଭ ହେଲା । କାହାକୁ କହିବି ? ଚୋର ମା’ କାନ୍ଦେନି, ଯେବେ କାନ୍ଦେ ତେବେ ଦୁଆର ଦେଇ । ମୁଁ ପଦ୍ମାର ଶୋଇଲା ଘରକୁ ଯାଇ ଦେଖିଲି, ପଦ୍ମାର ଦିହରେ ଜର ପୂର୍ଣ୍ଣମାତ୍ରାରେ । ଠିକ୍‍ ସକାଳଭଳି; କବିରାଜ ମହାଶୟ ଖଟପାଖରେ ଗୋଟେ କୁରୁଚିରେ ହାତ ଗୋଡ଼ ଜାକିଜୁକି ହୋଇ ଖୁଣ୍ଟଟି ପରି ବସିଚନି । ନୀଳ ଘରର ଏ ମୁଣ୍ଡୁ ସେମୁଣ୍ଡ ଯାଏ ଥରକୁ ଥର ଯା’ ଆସ କରୁଚି । ମତେ ଦେଖି ବିରକ୍ତିଆ ହୋଇ କହିଲା ‘‘ଜର ଫେର୍‌ ଲେଉଟାଇଲା, କବିରାଜ କହିଚନ୍ତି ତାଙ୍କ ପାଖରେ କି ବଟିକା ଅଛି, ତାକୁ ସୁନାଘୋରା ପାଣିରେ ଖାଇବାକୁ ହେବ । ନୂଆସୁନା ଦରକାର । ମୁଁ କାଲି ଯେଉଁ ମାଳିଟା ଦେଇଥିଲି, ତାକୁ ଆଣିଲେ, ସେଥିରୁ ଗୋଟେ ପଦକ ଘୋରି ଓସୁଧ ଦେବା; ଶୀଘ୍ର ନେଇ ଆସ’’ ! ମୁଁ ତରବର ହୋଇ ମୋ ଘରକୁ ଯାଇ, ବାକସ ଫିଟାଇ ଦେଖେଁତ, ସେ ମାଳୀଟି ନାହିଁ। ଆଉରି ଅନେକ ହାରଅଛି । କିନ୍ତୁ ସେ ଗୋଟିକ ନାହିଁ । ମୋ ମୁଣ୍ଡରେ ଆକାଶ ଭାଜିପଡ଼ିଲା । କ’ଣ କଲି କ’ଣ କଲି ବୋଲି ଭାବୁ ଭାବୁ ମୋର ହୋସ ହେଲା, ଏଇ ମାଳଟା ନେଇତ ମୁଁ ନାଏବଙ୍କୁ ଦେଇଆସିଚି; ସେତେବେଳେ ଅନ୍ଧାରରେ ଯାହା ହାତରେ ପଡ଼ିଲା ନେଇଗଲି, ଜାଣିଥିଲିକି ଆଉ ଇମିତି ଦଶା ହବବୋଲି ? ଭାବିଥିଲି ସିନା ! ଏଇ ମାଳଟାର ଛଳରେ ନାଏବଙ୍କ ରହସ୍ୟ ଓଟାରି ଆଣି ତାପରେ ଭୟ ଦେଖାଇ ହେଉ ବା କୌଶଳରେ ହେଉ ମାଲୁଟା ଆଦାୟ କରି ଆଣିବି । ନାଏବ ଏକାବେଳକେ ବୋକା ବନିଯିବେ ।

 

କିନ୍ତୁ ଦେଖିଲି ଯେ ହିତେ ବିପରୀତ । ତାଙ୍କ ହାତରେ ରହିଲା ହାର, ମୁଁ ଏବେ ପୋଡ଼ପାଡ଼ କରୁଚି କ’ଣ ? ନୀଳକୁ କହିବି କ’ଣ ? ଯେବେ କହୁଚି ନାଏବଙ୍କ ପାଖରେ ଅଛି, ମୁଁ ନେଇ ତାଙ୍କୁ ଦେଇଥିଲି, ତା’ହେଲେ ସେ ମନରେ କ’ଣ ଭାବିବ ? ହାର ତାଙ୍କ ପାଖକୁ ଗଲା କିଆଁ-। ଯେବେ କହୁଚି, ହଜିଗଲା ବୋଲି, ତା’ହେଲେ ଇଲାଗେ ଘରେ ତୁମୁଳ କାଣ୍ଡ ଲାଗିବ । ନ ନେଇ କରି ବା ଯାଉଛି କିପରି ? ଇମିତି ସାତପାଞ୍ଚ ଭାବି ଠିକ୍‌ କଲି, କାଲି ଗନ୍ତେଇତଙ୍କ ଘର ଯୁମାଳଟା ବନ୍ଧା ପକେଇ ମୋ’ଠାରୁ ଶହେଟଙ୍କା ନେଇଚନି, ତାକୁ ନେଇ ଦେବି । ସେଉଟାତ ନୂଆ, ଇଲାଗେ କାମ ଆଗ ଚଳିଯାଉ; ପଛ କଥା ପଛେ ବିଚାର ହେବ ।

 

ଏଇୟା ଥିରକରି ମୁଁ ସେଇ ହାରଟା ନେଇଗଲି । ନୀଳ ତାକୁ ଦେଖି କହିଲା ‘‘କାହିଁକି ସେଇଟା କ’ଣ ହେଲାକି? ନୂଆସୁନାପରା ଦରକାର ବୋଲି କହିଲି ?’’

 

ମୁଁ–‘‘ଆରେ ପୁଅ, ପଦ୍ମାର ଏ ଅବସ୍ଥା ଦେଖି କ’ଣ ହାତ ଗୋଡ଼ରେ ପଶୁଚି ? କଞ୍ଚି ମାଳଟା କୁଠେଇଁ ରଖିଦେଲି ମନେପଡ଼ୁ ନାହିଁ । ମନ ତ ଯାଇ ସାତସମୁଦରରେ ବୁଲୁଚି, ମା’ ବିରଜା କରନ୍ତେ: ପଦ୍ମ ମୋର ଆକ୍ଷି ମେଲି ଚାହଁନ୍ତା, ମୁଁ ଡାହାଣମାହାଣ ବୋଦା ଦିଅନ୍ତି । ମା’ଲୋ, ମୋ ଝିଅଟା ଗୋଟେ ଦିନ ଜରରେ କି କଳାକାଠ ପଡ଼ିଗଲାଣିଟି । ଦେ ଦେ, ମୁଁ ଘୋରେ, ଏଉଟା ବି ନୂଆ ସୁନାମ, ପରଦିନ ପରା ବଣିଆ ଘରୁ ଆସିଚି’’ ନୀଳ ଆଉକିଛି କହିଲା ନାହିଁ । ଆଜି ରାତିଟା ଅନ୍ତତଃ ନିଶ୍ଚିତ ହୋଇଗଲି । କିନ୍ତୁ ତା’ପରେ କି ବିଚାର ? ଆଜି ନ ହେଲେ କାଲି ତ ପୁଣି ସେ ହାରକଥା ପଡ଼ିବ । ପଦ୍ମାର ଦିହ ଭଲ ହୋଇଗଲେ ନୀଳ ଖୋଜିବ । ତା’ରିପାଇଁ ଗଢ଼ାଇ ଆଣିଥିଲା-। ମୁଁ ଭାବି ଦେଖିଲି, ଏ କାମଟା କରିଦେଇ କୁରାଢ଼ୀ ନିଜ ବେକକୁ ଆଣିଚି । ହାରଟା ନାଏବଙ୍କର ହାତରେ । ଆଉ ସେ ଦିନ ନାଏବ ସେ ଲୋକଟାର ଭୟରେ ଯେପରି ଛଟପଟ ହେଉଥିଲେ ସେଥିରୁ ଜଣାଯାଉଚି ସେ ଟଙ୍କାତ ପାଇବେ ନାହିଁ । ଏଇ ହାରଟା ଦେଇ ତାକୁ ସନ୍ତୁଷ୍ଟ କରିବେ । ନତୁବା ମୋର କଥା ଅନୁସାରେ ତାକୁ ବିକ୍ରି କରି ସେଇ ପଇସାରେ ଏସ୍ଥାନ ଛାଡ଼ି ଚାଲିଯିବେ । କ’ଣ କରିବି ? କି ଉପାୟରେ ମାଳଟା ପାଇବି ! ମତେ ଆଉ ରାତିରେ ନିଦ ହେଲାନାହିଁ । ଏପଟ ସେପଟ ହୋଇ ଭାବି ଭାବି ଠିକ୍‌ କଲି ଦେବାସମୟ ଆସିଲେ ବୁଦ୍ଧିକି ଯିମିତି ଦିଶିବ ସେହିପରି ପନ୍ଥା ଧରିବି । ଏ ଦୁର୍ବଳ ହୃଦୟର ସାନ୍ତ୍ୱନା । ପ୍ରୟୋଜନୀୟ କାମରେ ଗୋଟେ ଉପସଂହାରକୁ ନ ଆସି ପାରି ଗଡ଼େଇ ଗଡ଼େଇ ରଖିଲେ କି ମନଶାନ୍ତ ହୁଏ ?

 

ତା’ ଆରଦିନ ସକାଳେ ହରେକୃଷ୍ଣବାବୁ ଡାକ୍ତର ଆସି ପହଞ୍ଚିଲେ । ସେ ରୋଗୀର ଲକ୍ଷଣସବୁ ଦେଖି କହିଲେ ଏଇଟା ସେରିବ୍ରାଲ ମେଲେରିଆ; କିଛିଦିନ ଭୋଗିବାକୁ ହେବ । ବଡ଼ ଅକଡ଼ାବାଜୀ ରୋଗ, ଖୁବ୍ ସାବଧାନରେ ରହିବାକୁ ପଡ଼ିବ । ନୀଳର ସାଙ୍ଗ ସେ । ବହୁତ ଅନୁରୋଧରେ ଦି’ଚାରିଦିନ ସେଠାରେ ରହିବାକୁ ମଙ୍ଗିଲେ । ମତେ ମଧ୍ୟ ଅବକାଶ ଟିକିଏ ମିଳିଗଲା-। ସେ ଦିନ ସନ୍ଧ୍ୟାବେଳକୁ ମୁଁ ଅଗଣାରେ ବସି ଆକାଶକୁ ଚାହଁଚି, ମେଘ ପରିଷ୍କାର, ଗୋଟିଏ ଦିଓଟି ତାରା ଫିକା ଫିକା ହୋଇ ଜଳୁଛନ୍ତି । ଚାରିଆଡ଼ ଟିକିଏ କୁହୁଡ଼ିଆ ଦିଶୁଚି; କୌଣସିଠାରେ ଜୀବଜନ୍ତୁ ଦେଖା ନ ଗଲେ ସୁଦ୍ଧା ପୃଥିବୀ ଭିତରୁ ଯେପରି ଗୋଟେ ଅବ୍ୟକ୍ତ ଶବ୍ଦ ଗୁମୁରି ଗୁମୁରି ଉଠୁଚି; ସମ୍ଭାବିତ ବିପଦରେ ମନୁଷ୍ୟର ହୃଦୟ ହୁଏ ଯେପରି ! ଏହି ସମୟରେ ଉପରସାହିର ଗୁରୁବାରିଆ ମା’ ଆସି ଡାକିଲା, ସା’ନ୍ତାଣି ଏରେବର ସମ୍ବରଦଶମୀ ଗଲା, ମେତେ କିଛି ହୁକୁମ ହେଲା ନାହିଁ ?’’ ମୁଁ ବିରକ୍ତିଆ ହୋଇ କହିଲି ‘‘ତୁ ଆସିବୁ ବୋଲି କ’ଣ ସାଇତି ରଖିଥାନ୍ତି ? ଦେ ଦେଉଣୀ ଆସି କିଏ କାଲି ସଞ୍ଜରୁ, କିଏ ଆଜି ସକାଳେ ନେଇଗଲେ । ତୁ ହଲି ଦୋହଲି କରି ଆସୁଚୁ ଏତେବେଳକୁ ଯେ ମୁଁ କୁଠଉ କ’ଣ ଆଣିଦେବି ? କାହିଁକି ଏତେ ବେଳଯାଏ କ’ଣ କରୁଥିଲୁ କି, ଆଗରୁ ଆସିଲୁନି ?’’

 

ଗୁ:ମା–‘‘ଆଗୋ ମା’ ସା’ନ୍ତାଣି, କାହାକୁ କହିବି, ସେ ମୋ କପାର । ଘଇତା ବୋଲି ଯୁ ଅଛଦରାଟାର ହାତ ଧଇଲି ସେତ ହେଲା ପାଉଁଶ; ଆପଣା ସୁନା ତ ଭେଣ୍ଡି ! ପରସଙ୍ଗେ କାହିଁକି ଭିଡ଼ାଭିଡ଼ି ? ସେ ରଇଜରା ଯେତେବେରେ ହାଜତରେ ନ ଥିଲା, ସେତେବେରେ କୁଆଡ଼େ ତା’ର ଗୋଟେ ସାଙ୍ଗ କିଏ ତାକୁ ଭାରି ସାହାଇଜ ହୋଇଥିଲା । ସେ ଚୁଲିପଶା ଆସି ପହଞ୍ଚିଚି, ସପୁରି ଦିନଠୁ, ନିଜ ପେଟକୁତ ଘରେ ଖୁଦଟିଏ ନାହିଁ, ମୁଁ ୟାକୁ ଚରଚା କରିବି କୁଠଉ’’ ମୁଁ ଯୁଖିଣିକା କିଛି କରିକରି ନ ଦେଲି ସିଠଉ ଅରପେଇସ ମେତେ ମାଇଲା, ଗୋ ସା’ନ୍ତାଣି; ଦେଖିଲନି ମୋ ପିଠିରେ ଏତେ ବେରଯାଏ ନୋରା ବସି ଯାଉଚି, ମୁଁ ସିଠଉଁ କହିଲି ‘‘ଦେଖିତ ଦେଖିରେ କାଠେଇଖିଆ କିମିତି ତୁ ଆଜି ଗିରିବୁ’’ ୟା କହି ପରେଇଲି ମୋ ବାପ ଘରକୁ । ଦି ଦିନ କାର ରହିଲି, ଆଜି ଦଇବି ଛଡ଼ା ଯାଇ ହାତ ଗୋଡ଼ ଧରି କେତେ ନେହୁରା ହୋଇ ଡାକି ଆଣିଚି । ତା’ ନଇଲେ କି ଗୁରୁବାରିଆ ମା’ ଆଜିଯାଏ ଆସି ନ ଥାନ୍ତା । ମୋର ଭାତହାଣ୍ଡିଟି ଏ ଘର ।’’

 

ମୁଁ ଉଦାସ ଭାବରେ ଏଗୁଡ଼ାକ ଶୁଣୁଥିଲି । ଗୋଟେ କ’ଣ କହିବାକୁ ହେବ ବୋଲି ଯାହା ତୁଣ୍ଡକୁ ଆସିଲା କହି ପକାଇଲି, ‘‘ସେ ଲୋକଟା ଗଲାଣି ?’’

 

ଗୁ:ମା–‘‘ନାଇଁ ଗୋ ମା’, ସେ ନଇଶୁଆ ଆଇଚି ମତେ ଭିଣିଭିଣି କରି ଖାଇବ ବୋଲି । ମୁଁ ସିନା ଭାବିଥିଲି, ମୁଁ ବାପଘରକୁ ଚାଲିଗଲେ ଖାଇବାକୁ କ’ଣ ପାଇବ ଯେ, ବରେ ପରେଇବ; ଆସି ଦେଖେତ ଜରଜରଟା ଦରପୋଡ଼ା ଖୁଣ୍ଟଟି ଦେରିକା ବଇଚି; ମେତେ ଦେଖି କେତେ ସୁଆଗ, କେତେ କଥା, ଗଛଜରା ୟା ଭିତରେ କୋବେର ହେଇ ଗଲାନି । ମେତେ କଅଁରେଇଁ ସିରେଇ କେତେ କଥା କହିଲା । ତା ଉତ୍ତାରୁ ଟଙ୍କାଟିଏ ହାତରେ ଦେଇ କହିଲା ‘‘ଆମ ସଙ୍ଗାତୁଣୀଙ୍କି ଏଉଟି ଆମର ଭେଟି’’ । ଗଛଜରାର ଯୁରୂପ, ଯୁକଥା, ଆଉ ସବୁକଥାରେ’ ହାମେ, ହାମେ’, ଯିମିତି ଡିଲ୍ଲି ନବାବ ଆସିଛନି । ଆଉ ସ୍ୱରୁଟା, ମିଛନାଇଁ ଗୋ ସାଆନ୍ତାଣି ଗୋଟେ ଦଦରା ଆଟିକା ବାଡ଼େଇଲା ଦେରେ ।’’

 

ମୁଁ ଏଲୋକଟାର ବର୍ଣ୍ଣନା ଶୁଣୁଶୁଣୁ ଆସ୍ତେ ଆସ୍ତେ ନାଏବଙ୍କର ସେ ଅତ୍ୟାଚାର କଥା ଭାବି ଲାଗିଲି । ସେଇ ‘ହାମେ’ ‘ସେଇ କୁତ୍‌ସିତ ରୂପ’ ସେଇ ଦଦରା ସ୍ୱର, ଆସିଚି ସପୁରି ଦିନ ଏଠାକୁ ଆସିଥିଲା ପରଦିନ; ହୋଇପାରେ, ବିଚିତ୍ର କ’ଣ ? ମୁଁ ପଚାରିଲି ‘‘ଲୋକଟା କିମିତି ଲୋ ଦେଖିବାକୁ ?’’

 

ଗୁ: ମା–ଆଉ କିମିତି ଗୋ ମା’, ଗୋଟେ ଦର ପୋଡା ମସାଣି କାଠ ଦେରେ; ତୁଳିଆରେ ମୁଣ୍ଡ ନାଗୁଚି । ବଗ ଗୋଡ’ ଦେରେ ଗୋଡ଼, କରା ବିରାଡ଼ି ଦେରେ ଏଡ଼େ ଟିକିଏ ଟିକିଏ ଆଖି । ତର ଓଠୁଟା ନାକ ଓପରେ ଚାଖେଣ୍ଡେ ଭାରି ପଡ଼ିଛି । ଇମିତି ନୋକ ତେମେ ସା’ନ୍ତାଣି କେଭେ ଦେଖି ନ ଥିବ । ଅନ୍ଧାର ଆତିରେ ଦେଖିଲେ ଭୂତ ବୋଲି ଡରିବ ।’’ ସଂସାରରେ ଏପରି ଲୋକ କ’ଣ ଦୁଇଟା ହୋଇ ପାରନ୍ତି ? ମୁଁ ନାନାକଥା ଭାବୁ ଭାବୁ ତାକୁ ଉପର ଠାଉରିଆ କରି ପଚାରିଲି ‘‘ସେ ତତେ କ’ଣ କହିଲା ?’’

 

ଗୁରୂ–‘‘ମୁଁ ତମ ଘ’କୁ ଆସିଲା ବେରେ ମତେ ସାନ୍ତଙ୍କ କଥା ସାନ ସା’ନ୍ତାଣିଙ୍କ କଥା, ନୂଆ ନାଇବଙ୍କ କଥା କେତେ ପଚାରିଲା । ମୁଁ ତାକୁ କହିଲି ‘‘ଦଇବି ଛଡ଼ାଟାରେ, ତୋର ଏତେ କଥାରେ କ’ଣ ଅଛି ? ମୋ ସାନ ସା’ନ୍ତାଣି ଭଲ ହୁଅନ୍ତୁ ମନ୍ଦ ହୁଅନ୍ତୁ ତୋ ବାପର କ’ଣ ଗଲା ?’’ ସିଠଉ ଆଉ କିଛି କହିଲାନି । ଆଜି ମୁଁ ସକାରେ ଅନ୍ଧା ବଡ଼ା କରି ଶୋଇଚି, ଆର ଘରେ ଦିହେଁଯାକ ବସି ବସି କ’ଣ ଟୁପ୍‌ଟାପ୍‌ ଚାଲିଥାଏ, ମୁଁ କାନେଇ କରି ଶୁଣିଲି ଯେ ସବୁ କଥା କ’ଣ ଶୁଭିଲା ? ଖାଲି ଏତିକି ବୁଝିଲି, ସେ ଅରପେଇସର ଗୋଟେ କିଏ ସାଙ୍ଗ ଇଟେଇ ଭଲ କାମରେ ଅଛି । ତାକୁ କ’ଣଟେ କହି ଡରେଇ ଟଙ୍କା ନବାର ଫନ୍ଦି କରୁଥାନ୍ତି । ଆଜି ଫେରେ ମତେ କହୁଛି ‘‘ସଙ୍ଗାତୁଣୀ ସଙ୍ଗାତୁଣୀ ଆମେ ତମ ଘରେ ମାସେ ଖଣ୍ଡେ ରହିବା, ଟିକିଏ ଥାନ ଦବନାରୁ ?’’ ମଲା ମଲା ରେ ନାଗର ! ମୋ ମନ ଇମିତି ହେଲା, ଯୋଗନିଖିଆର ‘‘ତେଣ୍ଟିଆ ଗୋଡ଼ ଝାଡ଼ୁ ବାଡ଼ିରେ ଛୋଟା କରିଦିଅନ୍ତି ।’’

 

ମୁଁ ତାକୁ ବସିବାକୁ ଠାରି ଦେଇ ଘରକୁ ଗଲି । ଚାଉଳ ସେରେ ପନିପରିବା ଦିଟା ଆଣି ତାକୁ ଦେଲି, କହିଲି ‘‘କାଲି ଏତିକିବେଳେ ଟିକିଏ ଆସିବୁ’’ । ସେ କୃତ୍ୟ କୃତ୍ୟ ହୋଇ ଚାଲିଗଲା । ତା’ହେଲେ ସେ ଲୋକଟା ଏଠାରେ ମାସେ ଖଣ୍ଡେ ରହିବ ? ହାର ତାରି ପାଖରେ ନା ?

Image

 

Unknown

ଆତ୍ମ ପ୍ରକାଶ

 

ଆଜି ପଦ୍ମାର ରୋଗ ବେଶି ବଢ଼ିଚି । ତା’ର ହୋସ–ନାହିଁ । ବେଳେ ବେଳେ ଚମକି ଉଠୁଚି । ହାତ ହଲାଇ ଯେପରି କାହାରିକୁ ତଡ଼ି ଦେଉଚି । ହଠାତ୍‌ ଆକ୍ଷିଦୁଇଟା ଏଡ଼େ ଏଡ଼େ କରି ଚାହିଁ ରହୁଛି’, ଯେପରି ଛାମୁରେ କୌଣସି ଅସଂସାରି ଜନ୍ତୁ ତାକୁ ଗିଳିବାକୁ ଆଁ କରି ରହିଚି । ବେଳେବେଳେ ଜ୍ଞାନ ହୁଏ, ନୀଳକୁ ପାଖରେ ଦେଖି ହାତଠାରି ଡାକେ, ନୀଳ, ତା’ ପାଖରେ ବସି କାନ ପାଖକୁ ମୁହଁ ନେଲେ କ’ଣ କହିବ ବୋଲି ହଉଥାଏ’ କହିପାରେ ନାହିଁ । କେବେ କେବେ ମୁଣ୍ଡ ହଲାଇ ବାରଣ କରେ, କେବେ ବା ଏଣୁତେଣୁ ଗୁଡ଼େ କ’ଣ କହେ । ଡାକ୍ତର ଆସି ଦେଖିଲେ । ତାଙ୍କ ମୁହଁରେ ଗୋଟେ କଳା ବଉଦ ଭାସିଗଲା । ସେ ଧୀର, ମାତ୍ର ଦୃଢ଼ ସ୍ୱରରେ କହିଲେ ‘‘ନୀଳଭାଇ, ସତକଥା କହୁଚି । ବ୍ୟସ୍ତ ହବୁନାହିଁ । ରୋଗ ବଡ଼ ଗୁରୁତର ମୋର ଆଶଙ୍କା ଏ କେବଳ ଜର ନୁହେ । ମନରେ କୌଣସି ଦୁଶ୍ଚିନ୍ତା ରହି ତାଙ୍କ ବେଶି କାହିଲା କରି ପକାଉଚି । ତୁ କ’ଣ ଜାଣୁ ସେ ଦୁଶ୍ଚିନ୍ତା କ’ଣ ? କେହି କି ଜାଣେ ? ଯଦି ଜାଣ, ତା’ ହେଲେ ତା’ର କିଛି ପ୍ରତିକାର କରିପାରିବ କି ? ନୀଳର ମୁହଁ କଳାପାଉଁଶ ପଡ଼ିଗଲାଣି । ସେ ଜିଭରେ ତା’ର ଅଧର ଦୁଇଟା ଥରେ ଓଦା କରିନେଇ କହିଲା ‘‘ହରି, ମୁଁ ଆଉ ବେଶୀ କ’ଣ କହିବି ? ତୁ ୟାକୁ ରଖି ନ ପାରିଲେ ମୁଁ ସଂସାର ଛାଡ଼ି ଚାଲିଯିବ । ମୋର ଯେ ଆଉ କେହି ନାହିଁ ।’’ ୟା କହି ଡାକ୍ତରଙ୍କର ଗୋଟେ ହାତ ଧରି ପକାଇଲା । ଡାକ୍ତର ଆର ହାତରେ ଆକ୍ଷିରୁ ଦିଟୋପା ଲୁହ ପୋଛି କହିଲେ ‘‘ମୋର ଯେତେଦୂର ସାଧ୍ୟ, ଡାକ୍ତରୀ ଶାସ୍ତ୍ରରେ ଯେତେଦୂର ଯାହା ହୋଇପାରେ, ତା ମୁଁ କରିବି, କିନ୍ତୁ’’ । ଏତିକିବେଳକୁ ପଦ୍ମା ‘‘ଉଁ, ଉଁ, ଉଁ’’ କରି ଉଠିବସିବାକୁ ଚେଷ୍ଟାକଲା । ସମସ୍ତେ ଧରି ତାକୁ ଶୁଆଇ ଦେଲେ । ଡାକ୍ତର ଦେଖିଲେ, ନାଡ଼ି ବଡ଼ କ୍ଷୀଣ । ଟିକିଏ ମୁଣ୍ଡରେ ହାତ ଦେଇ ବସିଲେ । ତା’ପରେ ହଠାତ୍‌ ଉଠି ତାଙ୍କ ବାକସରୁ ଗୋଟେ ଡାମ୍ଫଣ, ଆଉ ଗୋଟେ ଓଷୁଅ ଶିଶି ବାହାରକରି ଓଷୁଅ ସେଥିରେ ପୂରାଇ ପଦ୍ମାର ଡାହାଣ ହାତରେ ଫୋଡ଼ିଦେଲେ । ଏହିପରି ଦୁଇଥର କରି କହିଲେ ‘‘ମୁଁ ବ୍ରୋମାଇଡ଼ ଇଞ୍ଜେକ୍ସନ୍‌ ଦେଲି; ଏଥିରେ ରୋଗ ଟିକିଏ ଆଶ୍ୱସ୍ତ ହେବ । ଯଦି ଆଜିରାତିଟା କୌଣସିମତେ ଟପିଯାଏ, ତା’ହେଲେ ଆଉ ଭୟ ନାହିଁ ।’’ ନୀଳର ଅନୁରୋଧରେ ସେ ରାତିଟା ରୋଗୀ ପାଖରେ ରହିବାକୁ ଠିକ୍‌ କଲେ । କିନ୍ତୁ ପାଖଘରେ ରହିବେ, କେତେବେଳ କ’ଣ ହେବ ଆମେ ଯାଇ ବୁଝି କହିବୁ, ଔଷଧ ମଧ୍ୟ ଦିଆଗଲା, ଚାହୁଁ ଚାହୁଁ ପଦ୍ମାକୁ ନିଦ ଆସିଲା, ତା’ର ସେ ପ୍ରଳାପ ବନ୍ଦହେଲା ।

 

ଆମ୍ଭେମାନେ ଜଗି ବସିଚୁଁ । ନୀଳ ମୁଣ୍ଡ ଉପରେ ବସି ପଦ୍ମାର ମୁହଁକୁ ଚାହିଁଚି । ମୁଁ ତା’ ପାଖରେ ବସିଚି । ଚାକର ଚାକରାଣୀ ପାଳିକରି ଯାଉଚନି ଆସୁଚନି, କିନ୍ତୁ ଆମର ବିଶ୍ରାମ ନାହିଁ । ରାତି ହବ ଦଶଘଡ଼ି, ପଦ୍ମାର ଅଧର ହଲିଲାପରି ଜଣାଗଲା । ତା’ପରେ ଏ ଶବ୍ଦ ହେଲା ‘‘ନା, ନା ତୁମେ ଏଠାରୁ ଚାଲିଯାଅ ।’’ ୟା ପରେ ବେଳେ ବେଳେ ଆଉରି କେତେ କଥା କହିଲା ‘‘ସାବଧାନ, ମତେ ଛୁଅଁନା‘ ‘ଛି’ ମୁଁ ଯେ ପରସ୍ତ୍ରୀ’ । ‘ତୁମ ଗୋଡ଼ତଳେ ପଡ଼ୁଚି, ମତେ ଛାଡ଼ି ଦିଅ, ମତେ ଛୁଅଁନା’-। ‘ତୁମେ ଜାଣିନାହ ? ମୁଁ ଯେ ବିଧବା’ ‘ମୁଁ ଯେ ବିଧବା ?’’ ଏଇକି ତା’ହେଲେ ପଦ୍ମାର ଗୁପ୍ତ ରହସ୍ୟ ? ମୋର ମନରେ ହେଲା ଲୋକ ଅସାବଧାନତାରେ ରୋଗଶଯ୍ୟାରେ ପଡ଼ିରହି ବେଳେ ବେଳେ ଅନେକ କଥା କହିଥାଏ । ଏ କ’ଣ ତେବେ ସତ ? ନା କେବଳ ପ୍ରଳାପ ?

 

ମୋର ଯେତେବେଳେ ଧ୍ୟାନ ଭାଙ୍ଗିଲା, ମୁଁ ଚାହିଁ ଦେଖିଲି ନୀଳର ଭ୍ରୂଲତା କୁଞ୍ଚିତ । ସେ କ’ଣ ୟା ସନ୍ଦେହ କରିଚି ? ଏଇ ସମୟରେ ପଦ୍ମାର ଫେରେ ପାଟି ଫିଟିଲା ‘‘ସ୍ୱାମୀ ପ୍ରଭୋ’’ ମତେ ଅବିଶ୍ୱାସ କରନାହିଁ । ମୁଁ ଯେ ତୁମ୍ଭର ଦାସୀ: ଦାସୀ ଉପରେ ରାଗକଲେ ସେ କାହାର ହେବ ? ମତେ ମାରିବ ମାର, କିନ୍ତୁ ତୁମେ ଅବିଶ୍ୱାସ କଲେ ମୁଁ ନିଶ୍ଚେ କହୁଚି ବିଷଖାଇ ମରିବି ।’’ ଠିକ୍‌ ତା’ର ପରେ ତା’ର ମୁଖ ଉଜ୍ଜ୍ୱଳ ହୋଇଉଠିଲା । ସେ କହିଲା ‘‘ମୁଁ ଜାଣିଥିଲି ତୁମେ ମୋତେ କ୍ଷମା କରିବ, ଜାଣିଥିଲି ତୁମେ ତୁମ ପଦ୍ମିନୀ ଉପରେ ରାଗକରି ରହି ପାରିବ ନାହିଁ, ତୁମେ ଯେ ଦେବତା ।’’ ତା’ର ମୁହଁରେ–ସେ ଶୁଖିଲା ମୁହଁରେ ମଧ୍ୟ ସେ ହସଟିକ କେଡ଼େ ସୁନ୍ଦର ।

 

ପଦ୍ମାକୁ ବେଶ୍ ରକମ ନିଦ ହୋଇଆସିଲା, ତା’ର ବିଧବା କଥାଟା ଶୁଣି ନୀଳର ମୁହଁରେ ଯେ ଚିନ୍ତାର ଲକ୍ଷଣ ଥିଲା ତାହା ଆସ୍ତେ ଆସ୍ତେ ଲିଭିଗଲା । ମୁଖ ପ୍ରଫୁଲ୍ଲ ହୋଇ ଉଠିଲା । ସେ ଧୀରେ ପଦ୍ମାର ହାତଟି ନିଜ ହାତଭିତରେ ଧରିନେଲା । ପଦ୍ମା ଟିକିଏ ଆଖି ଫିଟାଇ ନୀଳଆଡ଼କୁ ଚାହିଁଲା । ତା’ପରେ ନିରୀହ ପିଲାଟିପରି ଶୋଇପଡ଼ିଲା । ରାତି ପାହିଲା, ଡାକ୍ତର ଆସି ଦେଖି କହିଲେ ‘‘ଆଉ କିଛି ଭୟନାହିଁ, ନୀଳ, ତୋର ବଇରାଗ ହୋଇଯିବା ନ ହେଲା, କେବଳ ଟିକିଏ ସାବଧାନରେ ରହିବାକୁ ହେବ । କାଲି ରାତିର ସେ ଓଷୁଧ ଆଉ ଦବ ନାହିଁ । ଏ ନୂଆ ଓଷୁଧ ରଖ । ରୋଗୀ ଉଠିଲେ, ଖାଇବାକୁ ଦେବ । କିନ୍ତୁ ସାବଧାନ, କଞ୍ଚା ନିଦିଆ କରି ଉଠାଇବ ନାହିଁ, କବାଟଟା ମେଲା ରଖ, ଆଲୁଅ ଟିକିଏ ଆସୁ ।’’ ଏହାକହି ସେ ଦାଣ୍ଡଆଡ଼କୁ ଚାଲିଗଲେ ।

Image

 

ସ୍ୱର୍ଗେ ନରକ

 

ପଦ୍ମା ମରୁ ମରୁ ବଞ୍ଚିଗଲା । ମୋର ମଧ୍ୟ ଭାଳେଣି ବଢ଼ିଲା । ଆଉ ଦିନ ସାତ ଆଠଟା ମଧ୍ୟରେ ତ ଫେରେ ସେ ହାରଟି ଖୋଜା ପଡ଼ିବ, ମୁଁ ଦେବି କେଉଁଠାରୁ ? ନ ଦେଇପାରି କି ଜବାବରେ ବା ନୀଳକୁ ସନ୍ତୁଷ୍ଟ କରାଇବି ? ନୀଳ ଯେ କେତେ ଆଦରରେ ସେଉଟିକୁ ଗଢ଼େଇ ଥିଲା-। ତା’ ମନରେ ଯଦି ସେ ସମ୍ୱନ୍ଧରେ କୌଣସି ରକମ ସନ୍ଦେହ ହୁଏ, ତା’ହେଲେ ବା ମୋର ସ୍ଥାନ କେଉଁଠାରେ, ମୋର କି ଦଶା ହେବ ? ଏ ସଂସାରରେ ଯେ ମୋର ଆଉ ରାହା ନାହିଁ-। ଏହିପରି ଗୁଡ଼େ ଭାବି ଭାବି ସେଦିନ ରାତ୍ରରେ ନିଦ ହେଲାନାହିଁ । ଘରୁଟା କିମିତି ଉନ୍ଧୁରି ଲାଗିଲା, ମୁଁ କବାଟ ଫିଟେଇ ଧୀରେ ବାଡ଼ିପଟ ବଗିଚା ଆଡ଼କୁ ଗଲି । ମାଧବୀ କୁଞ୍ଜର ତଳେ ଗୋଟିଏ ପିଣ୍ଡି ତିଆରି ହୋଇଚି, ଏଠାରେ ନୀଳ ବେଳେ ବେଳେ ଆସି ବସେ । ହାତରେ ବହିଖଣ୍ଡେ ଧରି ଅନ୍ୟମନରେ କ’ଣଗୁଡ଼େ ଭାବୁଥାଏ । ଚନ୍ଦ୍ରପକ୍ଷ ରାତି, ସୋରିଷ ବୁଣିଦେଲେ ଗଣି ହୋଇଯିବ, ଏପରି ଚନ୍ଦ୍ରକିରଣ ପଡ଼ିଚି । ଜାଇ ଯୁଇ, ମଲ୍ଲୀ, ମାଳତୀ ସେବତୀ, ନିଆଳୀ, ଟଗର, ମନ୍ଦାର ପ୍ରଭୃତି ଫୁଲଗଛର ପତରରୁ ସେଇ ଚନ୍ଦ୍ରକିରଣ ଯେପରି ଝରି ତଳେ ଖସିପଡ଼ୁଚି, ମୁକ୍ତାହାରରୁ ମୁକ୍ତାଗୁଡ଼ିକ ଝରି ପଡ଼ିଲାପରି; ହୋସେନ୍ ‘ହେନାର ସୁବାସିତ ଗନ୍ଧେ’ କବିତା’ର ଢେଉ ଭାଙ୍ଗି ପଡ଼ୁଚି, କିନ୍ତୁ ସେଥିରେ ‘ଯୌବନର ମାଦକତା ନାହିଁ, ପ୍ରଳୟର ଉଚ୍ଛୃଙ୍ଖଳତା ନାହିଁ,’ ଧ୍ୱଂସର ଭେରୀ ନିନାଦ ନାହିଁ, ଅଛି, ଚୋରା ବସନ୍ତର ‘ମନ୍ଦ ମଧୁର ହାଉଆ’, ଅଛି ଶାନ୍ତି ଦେବୀର ଅର୍ଘ୍ୟ ବନ୍ଦାପନା, ଆଉ କୋମଳ ହୃଦୟର, ଶୀତଳ ସ୍ପର୍ଶର, ମୂକ ସହାନୁଭୂତିର, ଭରା ପ୍ରେମନଦୀର, ଶାନ୍ତ ଗମ୍ଭୀର ତରଳ ସାନ୍ତ୍ୱନା । ଉପନ୍ୟାସରେ ବାହ୍ୟ ଜଗତର ମନଉପରେ କାର୍ଯ୍ୟ ଅନେକ ପଢ଼ିଛି । ପଢ଼ି ଭାବିଥିଲି, ହୃଦୟରେ ନରକର ବହ୍ନିଜଳିଲାବେଳେ, ଉପରେ ଚନ୍ଦନ ଲେପନ କଲେ କି ଶାନ୍ତ ହେବ ? କିନ୍ତୁ ଆଜି ଅନୁଭବ କଲି, ଉନ୍ମତ୍ତ ନ ହେଲେ, ଅଧୀର ନ ହେଲେ, ଦୁର୍ବଳ ହୃଦୟ ନ ହେଲେ, ପ୍ରକୃତିର ଏ ସୁଶୃଙ୍ଖଳ ରାଜ୍ୟରୁ ଉଚ୍ଛୃଙ୍ଖଳ ପ୍ରେରଣା କେହି ପାଇ ନ ପାରେ । ମୋର ମେଜାଜ୍‌ ଥଣ୍ଡା ହୋଇ ଆସିଲା; ମୁଁ ବସିବସି ପୂର୍ବାପର ସବୁକଥା ଟିକିଏ ଟିକିଏ ଭାବି ନେଲି । ମନର ଗୋଳମାଳରେ ହୃଦୟର ଦୁର୍ବଳତା । ମୁଁ ସ୍ଥିର ମନରେ, ଦୃଢ଼ ହୃଦୟରେ ପ୍ରତିଜ୍ଞା କଲି, ଛଳେବଳେ କୌଶଳେ ଯେ କୌଣସି ପ୍ରକାରେ ହାରଟି ହସ୍ତଗତ କରିବି, ଆଉ ମୋର କାର୍ଯ୍ୟରେ ସାହାଯ୍ୟ କରିବ ଗୁରୁବାରିଆ ମା’ । ଏଥିରେ ଏଇ ପର୍ଯ୍ୟନ୍ତ ନିଶ୍ଚିନ୍ତ ହୋଇ ଭାବିଲି ପଦ୍ମାର ସେ ପ୍ରଳାପ କଥା । କଥାଗୁଡ଼ାକ କ’ଣ ଏକାବେଳକେ ଫାଙ୍କି ? ନୀଳ ସନ୍ତୁଷ୍ଟ ହୋଇପାରେ, କିନ୍ତୁ ମୁଁ ତ ହୋଇପାରୁ ନାହିଁ, ନାରୀ ହୃଦୟର କଥା ପୁରୁଷ ବୁଝିବ କଅଣ ? ସେଇ ପଞ୍ଜରା ଖଣ୍ଡକରେ ଯେ ସଂସାରଟା ଯାକର ଭାବନା, ନରକଟାର ଯନ୍ତ୍ରଣା ପୂରି ରହିଚି । ନାରୀ ଏକା ଏକଶ ଗୁପ୍ତ ସମସ୍ୟା-। କହନ୍ତି ନାରୀ ଜାତିଟା କିଛି ପେଟରେ ରଖିପାରେ ନାହିଁ, ଗୋଟିଏ କଥା କହିଲେ ତାକୁ ଫେଣେଇ ଫେଣେଇ ପଚାଶ କଥାକରି, ପାଞ୍ଚଜଣଙ୍କ ଆଗରେ ନ କହିବା ପର୍ଯ୍ୟନ୍ତ ତା’ ତୁଣ୍ଡ ଖଜବଜ ହେଉଥିବ । ଭ୍ରାନ୍ତ ! ନାରୀର ହୃଦୟ ତୁମେ କେବେ ଦେଖି ନାହଁ, ପ୍ରକୃତ ନାରୀ ତୁମେ ଚିହ୍ନି ନାହଁ, ତମେ ଚିହ୍ନିଚ ତମର ବିଳାସ ସାମଗ୍ରୀ । ହାତ ପୋଛା ମାଟି, ଗୋଟେ ରକ୍ତମାଂସର ସଖୀ କୁଣ୍ଢେଇ । ପ୍ରକୃତ ନାରୀ ତା’ଠାରୁ ଢେର ଉଚ୍ଚରେ, ଢେର ଗମ୍ଭୀରିରେ । ତୁମେ ତାକୁ ଖୋଜି ନାହଁ, ସୁତରାଂ ପାଇ ନାହଁ । ନୀଳ ଯେ ଭାବି ନେଲା, ପଦ୍ମା ତା’କୁ ଭାରି ଭଲ ପାଏ, ଆଉ ସେ ପ୍ରଳାପରେ ଯାହା କହିଲା, ସେଗୁଡ଼ାକ ପ୍ରଳାପ ମାତ୍ର ବୋଲି, ତା’ଛଡ଼ା ଜଗତରେ ବଡ଼ ନିର୍ବୋଧ କିଏ ? କିନ୍ତୁ ପଦ୍ମାକି ସତରେ ବିଧବା ? ବାପା ସାନ୍ତେ ଖାଣ୍ଟି ହିନ୍ଦୁ, ସବୁକଥା ନ ବୁଝି ସେ ତ କେବେ କୂଳକୁ ବୋହୂ ଆଣି ନ ଥାନ୍ତେ । ତେବେ ତାହାର ରହସ୍ୟ କ’ଣ କୌଣସି ବିଧବା ସମ୍ୱନ୍ଧରେ ? ମୋରିପରି କୌଣସି ହତଭାଗିନୀ ହେତୁରୁ ପଦ୍ମାର ବାଲ୍ୟ ଜୀବନରେ କି କୌଣସି ଏକ ନିଗୂଢ଼ ରହସ୍ୟ ଘଟି ଯାଇଚି ? ସୋମନାଥ କ’ଣ ସେ ବିଧବାର ସ୍ୱାମୀ, ବା, ସେ ବିଧବାର- ? ନା, ତେବେ ଆଉରି ଏପରି କେତେ କଥା ଭାବିଥାନ୍ତି, ହଠାତ୍ କିଛି ଦୂରରେ ଶବ୍ଦ ହେଲା ଧୂପ୍ । ମୁଁ ଚାହିଁ ଦେଖିଲି ପାଚେରି ଉପରେ ଗୋଟିଏ ମଣିଷ ବାହାର ବଗିଚା ଭିତରକୁ ଆସିବାର ଚେଷ୍ଟା କରୁଚି, କଚେରି ଘର ଦୂଆର ମୁହଁରୁ ଆମର ଏ ବଗିଚାଟା ଆରମ୍ଭ ହୋଇ ଖଞ୍ଜା ଚାରିଆଡ଼େ ବୁଲିଚି । ପୁଷ୍ପ ସାଗର ମଧ୍ୟରେ ଆମର ଘରଟି ଯେପରି ଗୋଟିଏ ଦ୍ୱୀପ । ମାଇପିମାନଙ୍କ ପାଇଁ ଏ ଖଣ୍ଡ ଅଲଗା କରିବାକୁ ବାଡ଼ିଘର ପାଡ଼ିଆ କାନ୍ଥ ସାମିଲ ଦୁଇଟା ପାଚେରି ବୁଲିଚି । ସୁତରାଂ ଏ ନିବୁଜ, ତେବେ ଏଥିରୁ ବାହାରି ଯିବାକୁ ବି ପାଚେରି ଦିହରେ ଦୁଇଟା ଦୁଆର ଅଛି । ଦୁଆର ଭିତରପଟୁ ବନ୍ଦଥାଏ । ମୁଁ ଲୋକ ଦିଟାଙ୍କୁ ଦେଖି କ’ଣ କରିବି ଭାବୁଚି ଏଇ ସମୟରେ ସେଇ ନୀରବ ନିସ୍ତବ୍ଧ ପବନ ଉପରେ ଭାଙ୍ଗି ପଡ଼ିଲା କାହାର ଘଡ଼ ଘଡ଼ି ସ୍ୱର । ଏ ଯେ ସେହି ଲୋକଟାର, ମୋର ଲେଶମାତ୍ର ସନ୍ଦେହ ନାହିଁ । ମୁଁ ଆଉକିଛି ନ ଭାବି ଧୀରେ ପାଚେରି ଦୁଆର ପାଖକୁ ଯାଇ କାନଡେରି ଠିଆ ହେଲି । ମୁଁ ଶୁଣିଲି, ଭୁଟୁରୁ ଭୁଟୁରୁ ଶୁଭୁଛି; ତା’ହେଲେ ସେ ଏକା ନୁହେଁ ? ହଠାତ୍ ପାଟି ବନ୍ଦ ହୋଇଗଲା, ପାଦଶବ୍ଦ ଟିକିଏ ଦୂରକୁ ଗଲାପରି ଶୁଭିଲା । ମୁଁ ଧୀରେ କବାଟଟା ମେଲେଇ ଆରପଟ ବଗିଚାକୁ ପଶିଲି; ଫୁଲଗଛ ଆଢ଼ୁଆଳରେ ଏଣିକି ତେଣିକି ଚାହିଁ ଯାଉ ଯାଉ ଦେଖିଲି, ଗୋଟେ ଝାମ୍ପୁଲା ଗଛମୂଳେ ତିନିଜଣ ଲୋକ ଠିଆ ହୋଇଚନି । ମୁଁ ଅନ୍ଧାରରେ ସେମାନଙ୍କର ଖୁବ୍ ନିକଟକୁ ଆସି ଯାଇଚି । ଚିହ୍ନିଲି ଏକ ନାଏବ; ଦୁଇ ସେ ଲୋକଟା ଆଉ ତା’ ସାଙ୍ଗରେ ଗୁରୁବାରିଆ ମା’ ବର । ମୁଁ ନିଃଶ୍ୱାସ ବନ୍ଦକରି ସେମାନଙ୍କ କଥା ଶୁଣିବାକୁ କାନ ଡେରି ରହିଲି । ପ୍ରଥମେ ନାଏବ କହିଲେ ‘‘ତୁ କହିଲୁ ଟଙ୍କା ପାଇଲେ ଚାଲିଯିବୁ ବୋଲି; ଫେରେ ରହିଲୁ କିଆଁ’’ ସେ ଲୋକ–‘‘ହାହାହା’’ (ବାପରେ ! ବାଘହସ ଶୁଣିଲା ପରି ଦିହଟା ଟାଙ୍କୁରି ଉଠିଲା) । ‘‘ତୁ ଭାବିଚୁ ହାମେ ଅଗୁଆର’’ ଆଉ ତୁ ଭାରି ଚଲାକ, ‘ହାହାହା’ ହାମେ ଇଠେଇଁ ରହିବା ବୋଲି ଠିକ୍ କରିଛି ।’’

 

ନାଏବ–‘‘ତା’ ବେଶ୍, ତୁ ରହିବାକୁ ତ ମୁ ମନା କରୁନାହିଁ । ତେବେ ଆଜି ରାତିରେ ଫେରେ ମୋ ସାଙ୍ଗରେ ତୋର କି ପ୍ରୟୋଜନ ? ମୁଁ ତତେ କହିଥିଲି, ନା, ଆଉ ମୁଁ ଏଣିକି ତତେ କିଛି ଦେଇପାରିବି ନାହିଁ ବୋଲି ? ବରଂ ପୁଲିସ ହାତରେ ଧରା ଦେବି; କିନ୍ତୁ ତୋ ଉତ୍ପାତ ଆଉ ସହିବି ନାହିଁ ।

 

ସେ ଲୋକ–‘‘ତୋ କଥା ତୁ ବୁଝିବୁ; ହାମର ସେଥିରେ କି ଯାଏ ଆସେ ? ତୁ ଯଦି ପୁଲିସ ହାତରେ ଧରା ଦବୁ, ଫାଶୀକାଠରେ ଲଟକିବୁ; ହେଣେ ତୋ ବୁଢ଼ା ବାପ ବସିଚି, ତା’ ମୁହଁରେ ଚୂନକାଳି ଦବୁ । ସାଙ୍ଗସାଥୀ ହସିବେ । ଆଉ ତୋର ସେ ସାଙ୍ଗ କାନ୍ଦି କାନ୍ଦି ମରିବ । ଏଗୁଡ଼ା ଯେବେ ତେତେ ଭଲ ଲାଗିବ, ତା’ହେଲେ ତୁ କର, ହାମକୁ ଲଗା ଗଲା କ’ଣ ? ହାମେ ସିନା ତୋରି ଫାଇଦା ପାଇଁ ଧାଇଁଥିଲି, ତୁ ଯଦି ନ ବୁଝିବୁ ତେବେ ନ ହେଲା । ଚାଲେ ସଇତା ଭାଇ ହାମର ଯିବା’’

 

‘‘ନାଏବ–‘‘ତୁ କ’ଣ କହିବାକୁ ଆସିଥିଲୁ ଶୁଣେ । ଏଇକଥା ତୋ’ଠାରୁ ଅନେକ ଥର ଶୁଣିଲିଣି । ଆଉ କିଛି ନୂଆ ଶଇତାନି ମତଲବ ଅଛି ବୋଇଲେ ବାହାର କର ଦେଖି ।’’

 

‘‘ସେ ଲୋକ ‘‘ଦେଖ, ସୁମନାଥ ଭାଇ, ତୁ ସବୁବେଳେ ହାମକୁ ଗାଳି ଦେଉଚୁ, ହାମେ ଶଇତାନ ଆଉ ତୁ କ’ଣ ଶଇତାନର ଗୋଲାମ ! ହାମେ ତୋର ସିଲୁଅ କଲେ ତୁ ହାମପାଇଁ ଖିଲ ସଜାଡ଼ୁଚୁ, ଏ କୁ ରାଇଜ କଥା କହନି ଭଲା ?’’

 

ନାଏବ–‘‘ବେଶ୍, ସେ କଥା ଥାଉ । ବର୍ତ୍ତମାନ ଆସିବାର ଉଦ୍ଦେଶ୍ୟ କ’ଣ ଶୁଣେ ?’’

 

ସେ ଲୋକ–‘‘ଏଇ ଦେଖ, ତୋର ଏକ ତିର୍ଲା ସାଙ୍ଗ ଅଛି । ସେ ଏଇ ଜମିଦାର ଘରର, କିଏ ତା’ ବି ହାମେ ବୁଝି ସାରିଚୁ; ତୁ ତାରି ହାତରେ ଭଉତୁ କାମ କରାଇ ନେବୁ । ହାମେ ବେଶୀ ମାଗୁ ନାହିଁ, ମାସରେ ଟଙ୍କା କୁଡ଼ିଏ କରି ହାମକୁ ଦେଲେ ବେଶେ କାମ ଚଳିଯିବ । ତୁ ରହିବୁ ନିଛିନ୍ତରେ । ହାମେ ବି ରହିବି ନିଛିନ୍ତରେ, ହାମେ ବି ବୁଲି ବୁଲି ଥକି ଗଲିଣି । ଘର ଦୁଆର କରି ବାହା କୁଢ଼ା ହୋଇ ଟିକେ ସୁଖରେ ରହିବି ।’’

 

ୟାର ବି ବାହା ହବାର ଇଛା !

 

ନାଏବ–‘‘କିନ୍ତୁ ଗୋଟେ କଥା ଭୁଲି ଯାଇଚୁ ଯେ ମୁଁ ଟଙ୍କା କେଉଁଠାରୁ ଆଣିବି, ମୁଁ ଯେ ନିଜେ କୋଡ଼ିଏ ଟଙ୍କାର ଚାକର । ତ କୋଡ଼ିଏ ଟଙ୍କା କରି କୁଠଉଁ ଦେବି ?’’

 

ସେ ଲୋକ–‘‘ନାଇଁ ନାଇଁ ହାମେ କ’ଣ କହୁଚି ତୁ ଦେବୁବୋଲି ? ତୋର ସେ ମାଇକିନିଆ ସାଙ୍ଗଦେବ ।’’

 

ନାଏବ–‘‘ସେ କିଏ ? ମୋର ତ ମାଇକିନିଆ ସାଙ୍ଗ କେହି ନାହାନ୍ତି ? ମୁଁ ଯେ ଏଠାକୁ ଆସିଚି ଦିନ ପନ୍ଦରଟା ହେବ କି ନାହିଁ ।’’ ସେ ଲୋକ–‘ଆରେ ପଗଲା, ପେରେମତ ଗୋଟେ ଆକ୍ଷି ମିଟିକାରେ ପକ୍କା, ପନ୍ଦର ଦିନ କ’ଣ ହବ? ହାମେ ସବୁ ଜାଣିଚି, ନୁଚେଇଲେ ହେଉ ନାହିଁ’’ ।

 

ନାଏବ–‘‘ତୁ କ’ଣ ଜାଣୁ ?’’

ଲୋକ–‘‘ଯେ ଜମିଦାରିଆଣୀ ତୋର ପେରେମରେ ପଡ଼ିଚି ?’’

 

ନାଏବ–‘‘ଶଇତାନ, ପାଜି ବେମାନ୍ । ଏଠାରୁ ଚାଲିଯା, ମୁଁ ତୋଠାରୁ କିଛି ଶୁଣିବାକୁ ଚାହେ ନାହିଁ ।’’

 

ଏହା କହି ନାଏବ ମୁହଁ ଫେରାଇଲେ । ବିକଟ ଅଟ୍ଟହାସ୍ୟ କରି ସେ ଲୋକଟା ତାଙ୍କର ପଛରେ କହିଲା ‘‘ଏକ ସଲାମ ନେହିଁ କରେଙ୍ଗା’’ ତ ଶହେ ସଲାମ କରେଙ୍ଗା । କାଲି ସଞ୍ଜଭିତରେ ତୋ ଜବାବ୍ ନ ପାଇଲେ ହାମେ ଚାଲିଲୁ ଠିକ୍ ଜାଗାକୁ ।’’ ଏହା କହି ସେମାନେ ମଧ୍ୟ ଯେପରି ଆସିଥିଲେ ସେହିପରି ଚାଲିଗଲେ । ମୁଁ ଘରକୁ ଫେରି ଆସିଲି ।

Image

 

ଛିନ୍ନଛତ୍ର

 

ଦେଖିଲି ହରେକୃଷ୍ଣବାବୁ ଜଣେ ଲାଏକ ଡାକ୍ତର, ତାଙ୍କର ଓଷଧଗୁଡ଼ାକ ଗାରିଡ଼ିମନ୍ତ୍ର ପରି ଧରେ । ପଦ୍ମାର ତ ଜର ନାହିଁ । ଏ କେତେଦିନ ଭିତରେ ତା’ର ଆଗ ଦିହ ଆସି ଗଲାଣି । ସେ ଆଗପରି ତା’ର ଦୁଃଖ ଧନ୍ଦାରେ ଲାଗିଚି । ତା’ର ଦିହ ଭଲ ହେଲା ଦିନ ବ୍ରାହ୍ମଣ ଭୋଜନ, ଦିଅଁ ଗାଧୁଆ ହେରିକା ହୋଇ ଯାଇଥିଲା । ନୀଳ ବର୍ତ୍ତମାନ ନିଶ୍ଚିନ୍ତ; ତା’ର ଆନନ୍ଦ କହିଲେ ନ ସରେ । ପଦ୍ମାର ମନରେ ମଧ୍ୟ ପୂର୍ବ ଚାଞ୍ଚଲ୍ୟ ନାହିଁ । କୌଣସି ବିଶେଷ ଭାବନାର ଚିହ୍ନମଧ୍ୟ ମୁଁ ଦେଖି ପାରିଲି ନାହିଁ । ତେବେ ହେଲା କ’ଣ ? କିନ୍ତୁ ସେକଥା ଭାବିବାକୁ ମୋର ସମୟ କାହିଁ ? ଦିନ ଅଧକ ଭିତରେ ଯେ ନୀଳ ତା’ର ସେ ହାରଟା ମାଗିବ ! ମୁଁ କ’ଣ କରିବି ? ସେଦିନ ଗୁରୁବାରିଆ ମା’ ଆସିଥିଲା । ତା’ ସହିତ ଅନେକ କଥାବାର୍ତ୍ତା କରି ମଧ୍ୟ କିଛି ଜାଣିପାରିଲି ନାହିଁ । ତାକୁ ବହୁତ ରାଣ ନିଆମ ପକାଇ କହିଚି ସେ ହାରଟା କୁଠେଇଁ ସେମାନେ ରଖିଚନି ବା କୁଠେଇଁ ବିକିଚଇଁ ସେକଥା ସେ ଯେମିତି ବୁଝିବ । ସେ ହଁ ଭରି ଯାଇଚି । କିନ୍ତୁ ମୁଁ ନିଶ୍ଚିନ୍ତ ହୋଇପାରୁ ନାହିଁ । ମୁଁ ଯେ ବାରଦ ଗଦାରେ ବସିଚି । ବେଳେ ବେଳେ ଭାବିଚି, କହିଦେବି, ହାରଟା ଚୋରିଗଲା ବୋଲି, କିନ୍ତୁ ତା’ହେଲେ ପଦ୍ମାର ହୋଇ ମୁଁ ଯେ ଯାଇଥିଲି ସେ ବିଶ୍ୱାସ ତ ନାଏବଙ୍କର ତୁଟି ଯିବ । ନାଏବ ଅବଶ୍ୟ ସେକଥା ପଦ୍ମାକୁ ସୁବିଧା ପଡ଼ିଲେ କହିବେ, କିନ୍ତୁ ସେ ନ କହିବା ପର୍ଯ୍ୟନ୍ତ ତ ଟିକିଏ ସମୟ ଅଛି । ୟା ଭିତରେ ରହସ୍ୟ ଭେଦ ହୋଇପାରେ । ବେଳେ ବେଳେ ଫେରେ ମନହୁଏ, ପଦ୍ମାର ରହସ୍ୟରେ ମୋର କି କାମ ? ମୁଁ ପରଲାଗି କାହିଁକି ନିଜମୁଣ୍ଡ ହରେଇବି ? କିଛି ଠିକ୍‍ କରିପାରୁ ନାହିଁ, ଏସବୁ ଚିନ୍ତା ଭିତରେ ଗୋଟିଏ ଚିନ୍ତା ମୋର ମନରେ ବଡ଼ ବେଶୀ ଲାଗିଚି, ହାରଟା ଯେ କୌଣସି ପ୍ରକାରେ ଉଦ୍ଧାର କରିବାକୁ ହେବ ।

ନାଏବଙ୍କ ସାଙ୍ଗରେ ସାକ୍ଷାତ୍‍ କଲେ କୌଣସି ଉପାୟରେ ହୁଏତ ହାରଟା ଠାବ କରିପାରିବି, ଏଇ ଆଶାରେ ତାଙ୍କ ଘରକୁ ଯାଇଥିଲି । ଦିନେ ଯାଇ ଦେଖିଲି, କବାଟ ଶକୁଳି ଦିଆ; ସେ ନାହାନ୍ତି । ଶିକୁଳି ଫିଟେଇ ଘର ଖୋଲିଲି । ଦେଖିଲି ନାଏବ ଯେପରି ଖୁବ୍ ତରବର ହୋଇ ଘରୁ ବାହାରି ଯାଇଚନି । ଜିନିଷପତ୍ରଗୁଡ଼ାକ ଏଣେ ତେଣେ ପଡ଼ିଚି । ଟେବୁଲ ଉପରେ କଲମଟା ଗୋଟାଏ ଛାପାକାଗଜ ଉପରେ ପଡ଼ିଚି । ବୋଧହୁଏ କିଛି ଲେଖୁଥିଲେ, କାଗଜଗୁଡ଼ିକ ଟେବୁଲଟା ଯାକ ବିଞ୍ଚା ହୋଇଛି । ଗୋଟିଏ ଖାମ ବାହାରି କରି ଉପରେ ରହିଚି । ଘରେ ଆଉ କିଛି ଦେଖିଲି ନାହିଁ । ତାଙ୍କର ଚାବି ଖୋଜିଲି, ତାକୁ ବି ପାଇଲି ନାହିଁ । ଏଣିକି ତେଣିକି ସିନ୍ଧୁକ ସନ୍ଧିକି ଉଣ୍ଡାଉଣ୍ଡି କଲି । ଦେଖିଲି ଘରର ଗୋଟାଏ କ’ଣରେ ସିନ୍ଧୁକ ପଛଆଡ଼େ ଖଣ୍ଡେ କାଗଜ ପଡ଼ିଚି, ତାକୁ ଉଠାଇ ଆଣି ଦେଖିଲି, ଗୋଟେ ଚିଠିରୁ ଅଧେ, ଚିଠିଟି ଦିଗଡ଼ ହୋଇ ଲମ୍ୱ ବାଗରେ ଚିରା ହୋଇଚି, ଏ ତା’ର ଫାଳେ, ଚିଠିଟା ଦେଖିଲା ବେଳୁଁ, ମୋର କୌତୁହଳ ହେଇଚି, କାରଣ ହସ୍ତାକ୍ଷର ପଦ୍ମାର । ଚିଠିଟା ପଢ଼ିଲି ।

ସମନାଥ ଭାଇ,

ମୋତେ ଏ କେତେଦିନ ମୁଁ ଆଉ ତୁମପତ୍ରର ଦେଇପାରି ନାହିଁ । କଲେ ମୁଁ ତୁମେ ଲେଖିଥିଲ କେହି ଜଣେଇଚି ବୋଲି ତୁମକୁ ଗୋଟାଏ ସେ କିଏ ? ମୁଁ କାହାରି ହାତରେ, ଯାହା ମଧୁଆ ମା’ ହାତରେ ଶତ୍ରୁ, କିନ୍ତୁ କିଏ ସେ ମୁଁ ଭାବି ଚଳି ବାକୁ ହେବ । ମୋ ସହିତ କେହି ଜାଣିଲେ ବଡ଼ ଖରାପ ଦବା ନବା ‘‘ସେ ଯାଉ’’ ମୁଁ ଜ୍ୱରରୁ ଥିବ, ଯାଇନାହିଁ ଯେତେବେଳେ ନାହିଁ । ତେବେ ଆମ ଭିତରେ ନ ହୁଏ, ଥରେ କେହି ଜାଣିଲେ ଭାବିଦେଖ । ମୋର ଅନୁରୋଧ ଖାତିରିରେ ତୁମେ ନିରବ,

ତୁମର, ପଦ୍ମା

 

ଏ ଚିଠି ପଦ୍ମା ସୋମନାଥଙ୍କ ପାଖକୁ ଲେଖିଛି । ଆଉ ଏଥିରେ ଶତ୍ରୁ ଯେ ମୁଁ; ଏବିଷୟରେ ମୋର ଆଉ ତିଳାର୍ଦ୍ଧ ସନ୍ଦେହ ନାହି । ମୋର ଏରହସ୍ୟଟା ସେମାନେ ଭେଦକରି ପାରିଚନି । କିନ୍ତୁ ଗୋଟାଏ କଥା, ଏ ଚିଠି ଅଧିକରୁ ଯେପରି ଜଣାଯାଉଚି, ନାଏବ ପଦ୍ମାକୁ ମୋର ନାମ କହି ନାହାନ୍ତି, କାହିଁକି ? ସେ ବିଷୟ ଘୋଡ଼ାଇ ରଖିବାରେ ତାଙ୍କର କି ଉଦ୍ଦେଶ୍ୟ ? ମୋ ସହିତ ଖେଳିବା କି ତାଙ୍କର ଅଭିପ୍ରାୟ ? ଦ୍ୱିତୀୟ କଥା, ପଦ୍ମା ମୋ ପ୍ରତି ସନ୍ଦେହ କରିପାରି ନାହିଁ, ତା’ର ପଛରେ କିଏ ଲାଗିଚି, ସେକଥା ସେ ଏପର୍ଯ୍ୟନ୍ତ ବୁଝିନାହିଁ, ସୁତରାଂ ତା’ର ଗତିବିଧି ଲକ୍ଷ୍ୟ କରିବା ମୋ ପକ୍ଷରେ ପୂର୍ବପରି ସହଜ । ଏ ଚିଠିରୁ ହାରର ମଧ୍ୟ କୌଣସି ସମ୍ବାଦ ପାଇଲି ନାହିଁ । ତାଙ୍କ ଟେବୁଲ ଉପର କାଗଜଗୁଡ଼ା ଘଣ୍ଟା ଘଣ୍ଟି କରୁ କରୁ ଗୋଟାଏ ରସିଦ୍ ପାଇଲି, ଦେଖିଦେବା ମାତ୍ରେ ବିକ୍ରି ରସିଦ ବୋଲି ଜାଣି ପାରିଲି । ସେଥିରେ ଲେଖା ହୋଇଚି ‘‘ଶ୍ରୀଯୁକ୍ତ ସୋମନାଥ ମହାପାତ୍ରଙ୍କଠାରୁ ଆଜଦିନ ପୌଷଶୁକ୍ଳ ଏକାଦଶୀ ୧୩୩୨ ସାଲ ସୋମବାର ଆମ୍ଭ ମୁକାମରେ ୭ଭରି ଜୟପୁରୀ ସୁନାର ଗୋଟିଏ ନୂଆହାର ୨୫୦ ଟଙ୍କାକୁ କ୍ରୟକରି ଏ ରସିଦ ଲେଖି ଦେଲୁଁ କି ଦରକାରବେଳେ କର୍ମରେ ଆସିବ । ଇତି’’ ଶ୍ରୀ ମୋହନ ସାମଲ; ସୁନାରୀ ମହାଜନ, ଶ୍ରୀରାମ ବଜାର ଯାଜପୁର । ରସିଦଖଣ୍ଡି ଦେଖି ମୋର ହାଲୁକ ଶୁଖିଗଲା । ହାରଟା ଯେ ଯାଇ ଯାଜପୁରରେ-। ମୁଁ କ’ଣ କରିବି ? ମୋ ପାଖରେ କିଛି ଟଙ୍କାଥିଲା ପ୍ରାୟ ପାଞ୍ଚଶ ହେବ । ମା’ ସା’ନ୍ତାଣିଙ୍କ ଅମଳରୁ ଆଜି ପର୍ଯ୍ୟନ୍ତ ମୁଁ ହାତ ଖରଚ ପାଇଁ ଯୁତକ ଟଙ୍କା ପାଏ ତାକୁ ବଢ଼େଇ କୁଢ଼େଇ ଏତିକି କରିଚି । ସେଇଥିରୁ କିଛିଦେଇ ହାରଟା ମୁକୁଳେଇ ଆଣିବି ବୋଲି ଠିକ୍ କଲି ।

Image

 

ଧରା ପଡ଼ିଲେ

 

ପଦ୍ମାର ଦିହ ଭଲ ହୋଇ ଯାଇଚି । ସେଥିପାଇଁ ସହରର ବିରଜା ଠାକୁରାଣୀଙ୍କି ମୁଁ ଭୋଗ ମନାସି ଥିଲି । କାଳୀ ଠାକୁରାଣୀ ଖାଶା ପ୍ରତ୍ୟକ୍ଷ୍ୟ ଦେବତା । ଭୋଗ ଦେବାରେ ଡେରି ହେବ, ମୁଁ ଯାଇ ଭୋଗକରାଇ ଦର୍ଶନ କରି ଆସିବି ବୋଲି ନୀଳକୁ ଧରି ବସିଲି । ନୀଳର ମନ ଦେଖିଲି କିମିତି ମରିଯାଇଚି । ତା’ର ମୁହଁରେ ସେ ହସନାହିଁ, ଆକ୍ଷିରେ ଗୋଟେ କିମିତ କିମିତି ତେଜ । ତା’ର ଅଙ୍ଗଭଙ୍ଗି ଚାହାଁଣି ସବୁଥିରେ ଗୋଟେ ଅସ୍ଥିରତା । ସେ ଯେପରି କୌଣସି ଗୋଟାଏ କଥା ନେଇ ବଡ଼ ବ୍ୟାକୁଳ ହେଉଚି । କିନ୍ତୁ କିଛି ଠିକ୍ କରିପାରୁ ନାହିଁ । ସେ ମୋ କଥା ଶୁଣି ମୋ ଆଡ଼କୁ ଯେପରି ଚାହିଁଲା, ସେଥିରେ ମୋର କଲିଜାଆଡୁ ଥରି ଆସିଲା । ସେ ଚାହାଁଣି ସନ୍ଦେହପୂର୍ଣ୍ଣ-। କିନ୍ତୁ ନାରୀର କପଟତା ଆଗରେ ପୁରୁଷର ସନ୍ଦେହ କେତେବେଳେ ଯାଏ ରହିପାରେ ? ମୁଁ କଥାଗୁଡ଼ିକ ଏପରି ମଜେଇ ସଜେଇ କହିଲି ଯେ, ସେ ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ ମଧ୍ୟ ଶେଷରେ ମଙ୍ଗିଲା । କାଲି ସକାଳେ ପାଣୁଆ ଗାଡ଼ି ଠିକ୍ କରିବ; ରାମା ଚାକର ଓ ଶ୍ୟାମା ମା’ ପୋଇଲି ସାଙ୍ଗରେ ଯିବେ ।

 

ମୁଁ ସବୁକଥା ଠିକ୍ ଠାକ୍ କରି ଆସି ଶୋଇଲି । ମନରେ ଆଜି ବେଶ୍ ଆଶ୍ୱସ୍ତି । ଶୁଖିଲା କଥାଟାରେ ମୋର ଏତେଗୁଡ଼େ ଟଙ୍କା ବ୍ୟୟ ହୋଇଯିବ ବୋଲି ଯେ ଦୁଃଖ ଟିକିଏ ମନରେ ହେଉଥିଲା ତାହା ଏ ପୋଡ଼ାପାଡ଼ ଗୋଳମାଳରୁ ରକ୍ଷା ପାଇବା ଆଶାରେ ତୁଟିଗଲା । ମୁଁ ସହରରେ ଯାଇ କ’ଣ କ’ଣ କରିବି ସେଇସବୁ କଥା ମନରେ ଓଲଟ ପାଲଟ କରି ଭାବୁ ଭାବୁ କେତେବେଳେ ଆଖି ନିଦରେ ଘୋଡ଼େଇ ହୋଇ ପଡ଼ିଲା । ଛାଇ ନିଦ ଆସି ଯାଇଚି । ହଠାତ୍ ଦୁଆରଟା ଟିକେ କେଁ କରିହେଲା । ମୁଁ ଚମକି ଉଠିଲି । ମତେ ଲାଗିଲା ଯେପରି କେହି ଧୀରି କରି କବାଟ ମେଲେଇ ଚାହିଁ ଦେଇ ବାହାରି ଗଲା । ମୁଁ ମଧ୍ୟ ସେହିପରି ତୁନି ହୋଇ ଶେଯରୁ ଉଠି ଧୀରେ ଧୀରେ ଦୁଆର ପାଖକୁ ଆସି ଦେଖିଲି, କିଏ ଜଣେ ପାଚେରି ପିଣ୍ଡାରେ ଗୋଡ଼ ଚିପି ଚିପି ଯାଉଚି । କିଏସେ ସେ ? ନୀଳ ? ନୀଳ କାହିଁକି ମୋ ଘରକୁ ଆସନ୍ତା ? ସେ ଯେ ବିଶେଷତଃ ଆଜି ନାହିଁ । ରାମ ରଥଙ୍କର ଝିଅବାହା; ସେ ବହୁତ ସାଧ୍ୟ ସାଧନା କରି କହି ଯାଇଥିଲେ ‘‘ଆପଣଙ୍କୁ ଯିବାକୁ ହେବ’’ । ନୀଳ କେବେ କାହାଘରକୁ ଯାଏ ନାହିଁ । ଆଜି ରଅଙ୍କ କଥା ଏଡ଼ି ନ ପାରି ଯିବ ବୋଲି କହିଥିଲା; ସେଠିକି ଯାଇଛି, ଆସୁ ଆସୁ ରାତି ଦିପହରରୁ କମ୍ ହେବ ନାହିଁ ? ତେବେ ଏ କିଏ ? ମୁଁ ସେହିପରି ଧୀରେ ଧୀରେ ତା’ର ପିଛା ଧଇଲି । ଅଷ୍ଟମୀର ଅନ୍ଧାର ରାତି । କେବଳ ସେଇ ଲୋକଟାର ଛାଇଛଡ଼ା ଆଉକିଛି ଦିଶୁନାହିଁ । ମୁଁ ଦେଖିଲି ଲୋକଟା ଅନ୍ଦର ମହଲା ଟପି ମଝି ଖଞ୍ଜାକୁ ଗଲା । ଧୀରେ ଧୀରେ ନାଏବଙ୍କର ଦୁଆରେ ହାତ ମାଇଲା; ଏ ତେବେ କ’ଣ ପଦ୍ମା ? ମୁଁ କିଛି ଦୂରରେ ନିଃଶ୍ୱାସ ବନ୍ଦକରି ଠିଆ ହୋଇଚି, କବାଟ ଫିଟିଲା । କବାଟ ଫାଙ୍କ ଭିତରୁ ଯେ ଆଲୁଅ ଆସି ଲୋକଟାର ମୁହଁରେ ପଡ଼ିଲା, ସେଥିରେ ଦେଖିଲି ମୋର ସନ୍ଦେହ ଠିକ୍, ପଦ୍ମା । ପଦ୍ମା ଘର ଭିତରକୁ ଗଲେ; ମୁଁ ଦୁଆର ପାଖରେ ଠିଆ ହୋଇ ରହିଲି । ଭିତରୁ ଭୁଟୁ ଭୁଟୁ ଶବ୍ଦ ଆସୁଥିଲା । ମୁଁ କାନ ଡ଼େରି ଶୁଣିଲି । ସବୁକଥା ମତେ ଶୁଭିଲା ନାହିଁ ।

 

ନାଏବ କହୁଚନି–ମୁଁ ବୁଝି ପାରୁଛି, ଏଠିକି ଆସି ତୁ କେତେ ବିପଦ ଡାକି ଆଣିଚୁ । କିନ୍ତୁ ଅନ୍ୟ ଉପାୟ ନ ଥିଲା । ଏ ବିଷୟର ଗୋଟେ କିଛି ମୀମାଂସା ନ କଲେ ଆଉ ବେଶୀଦିନ ଚଳୁ ନାହିଁ-। ତୁମର ଗାଁ ଛାଡ଼ି ଚାଲି ଯିବା ଦିନୁ ମୋର ମନରେ ଦିନକ ପାଇଁ ସୁଖ ଆସି ନାହିଁ । ତୁ ଥିବାତକ ମୁଁ ତତେ କେତେ ଭଲ ପାଇଥିଲି, ସେ କଥା ବୁଝି ପାରି ନ ଥିଲି । କିନ୍ତୁ ତୁ ଚାଲିଯିବା ପରେ ମତେ ଚାରିଆଡ଼ ଅନ୍ଧାର ଦିଶିଲା । ମୁଁ ପାଗଳଙ୍କ ପରି ହୋଇ ଏଣେତେଣେ ବୁଲୁ ଥାଏଁ । ମୋର ସବୁକାମ କେବଳ ଗୋଟାଏ କଳ ଚାଲିଲା ପରି ହେଉଁଥାଏ । ଭାବନା କରିବାର ଶକ୍ତି ରହିଲା ନାହିଁ-। ନିଜକୁ ଦବେଇ ରଖିବାର ପ୍ରବୃତ୍ତି ରହିଲା ନାହିଁ । ଏଇ ସମୟରେ ନନାଙ୍କ ନାମରେ ମଧୁପରୁ ପାଞ୍ଚୁ ମିଶ୍ରେ ଗୋଟାଏ ମକଦ୍ଦମା ଆଣିଲେ । ମିଛ ମକଦ୍ଦମା, ଜମିବାଡ଼ି ନେଇ; ଜମିଟା ଆମର, ବନ୍ଦୋବସ୍ତରେ ତା’ ନାମରେ ସେ କରେଇ ନେଇ ହଳ ପଠାଇଁଥିଲା ନନା ଜାଣିପାରି ଯାଇଁ ତା’ହଳ ଫିଟେଇଁ ଦେଲେ । ସେ ମକଦ୍ଦମା କଲା । କିନ୍ତୁ ଆମେ ହଳ ପଠାଇଲୁଁ । ଜମି ଚଷିଲୁଁ ଧାନ ବୁଣିବାକୁ ମୁଁ ଯାଇଁଥିଲି ମୋ ସଙ୍ଗରେ ଗୋଟାଏ ହଳିଆ.......

 

କାମଟା କରି ଦେଲି ରାଗରେ, କିନ୍ତୁ ଯେତେବେଳେ ଚେତନା ହେଲା, ମୋର ହାଲୁକ ଶୁଖିଗଲା । ମୁଁ କିଛି ଦିନ ଗାଁରେ ରହିଲି, ଗୋଳମାଳଟା ତୁଟି ଯିବା ପର୍ଯ୍ୟନ୍ତ; ତା’ପରେ ଚାକିରି ଛଳନାରେ ଗାଁ ଛାଡ଼ି ପଳେଇଁ ଅଇଲୁ, ସେଇଦିନୁ କେତେଆଡ଼େ ବୁଲିଚି । କିନ୍ତୁ ସେ ଲୋକଟା ମୋ ପିଛାଧରି ମତେ ବହୁତ କନ୍ଦେଇଁଚି । ଏଠାକୁ ଆସିଲି, ଏଠାରେ ମଧ୍ୟ ସେ । ଏପର୍ଯ୍ୟନ୍ତ ଜୀବନ ପ୍ରତି ମାୟା ମମତା ନ ଥିଲା । କିନ୍ତୁ ଏଠାକୁ ଆସି ତତେ ଦେଖି ପୁଣି ମୋର ପୂର୍ବ ଭାବ ଫେରି ଆସିଚି; ମୁଁ ପୁଣି ମଣିଷ..........ମତେ ଆଉ ନିରାଶ କରିବୁ ନାହିଁଟି ।

 

ପଦ୍ମା–ଛି, ସୋମନାଥ ଭାଇ......................ଯାହା ହୋଇଥିଲା ତା’ ତ ଇଲେ ନାହିଁ । ଆଉ ସେ ବା କି ଭାବ ? ଗୋଟେ ଖିଆଲ ମାତ୍ର; ବର୍ତ୍ତମାନ ମୁଁ ପର ସ୍ତ୍ରୀ । ଗୋଟେ କୂଳର ବୋହୂ, ଦେବତା ପରି ସ୍ୱାମୀର ଭାର୍ଯ୍ୟା । ଏତେବେଳେ ତୁମଠାରୁ ଏ ସବୁକଥା ଶୁଣିବାରେ ମଧ୍ୟ ମୋର ପାପ । କେବଳ ମୁଁ ତୁମକୁ ସେତିକି ଭଲଯାଏ ବୋଲି।

 

ନାଏବ–ତେବେ କ’ଣ ତୋର ସୁଖ, ତୋର ସ୍ୱାଚ୍ଛନ୍ଦ୍ୟ ପାଇଁ ମୁଁ ବଳି ଦିଆହେବି ? ମୋ ଜୀବନର କି ମୂଲ୍ୟ ନାହିଁ ?

 

ପଦ୍ମା–‘‘କାହିଁକି ? ତୁମେ ତ ଏଠାରେ ଅଛ । ବେଶ୍ ଅଛ, ତୁମର ଅଶାନ୍ତି ଅସୁବିଧା କେଉଁଠାରେ ?’’

 

ନାଏବ–ତୁ ପଚାରୁଛୁ ଅଶାନ୍ତି, ଅସୁବିଧା କେଉଁଠାରେ ? ହାୟ, ନାରୀ ! ତୋର ସ୍ୱଭାବ କି ଏହିପରି ଉଦାସ ? ଗଙ୍ଗାକୂଳରେ ରହି ଅଲକ୍ଷଣା ପରି ପାଣି ପିଇବାକୁ ଗଲେ, ଗଙ୍ଗାର ମଧ୍ୟ ପାଣି ଶୁଖିଯିବ; ମୋର କେଉଁ ଦୋଷରେ ? ତୁ ଯେ ମୋର ହୃଦୟରେ ଅଗ୍ନି ବୃଷ୍ଟି ସୃଷ୍ଟି କରିଛୁ ତା’ର ସାନ୍ତ୍ୱନା ତୋର ସେ ଅଧର.......

 

ପଦ୍ମା–ସମନାଥ ଭାଇ, ତୁମ୍ଭର ଏ ପାଗଳାମି ଶୁଣିବାକୁ ମୁଁ ଏଠାକୁ ଆସିନାହିଁ । ମୁଁ ଯେ.....

 

ନାଏବ–‘‘ହା, ହା, ହା, ତୁ ଯେ କୂଳବଧୂ ? ତୁଯେ ଶାସ୍ତ୍ରମତରେ ।

 

ତୋର ଏଠାରେ ରହିବାର କୌଣସି ଅଧିକାର ନାହିଁ । ମୋର ମଧ୍ୟ ସେହିପରି.............. ଉପରେ ଯେ ଅଧିକାର ଥାଏ ।’’

 

ପଦ୍ମା–(କାନ୍ଦକାନ୍ଦ ହୋଇ) ‘‘ତୁମେ କି ନିଷ୍ଠୁର ସୋମନାଥ ?’’

ନାଏବ–‘‘ମୁଁ ନିଷ୍ଠୁର, ନା, ତୁ ନିଷ୍ଠୁର’’ ?

ପଦ୍ମା–‘‘ତୁମେ ତେବେ ମତେ କ’ଣ କରିବାକୁ କହୁଚ ?’’

ନାଏବ–‘‘ଯେ ତୁ ମୋ ସଙ୍ଗରେ ...... ଆମେ ଦିହେଁ ଯାକ ଏ ସଂସାର ଛାଡ଼ି......।

 

ପଦ୍ମା–‘‘ନା, ନା, ତା’ ଅସମ୍ଭବ, ତା’ ମୁଁ କାହିଁକି କରିବି ? ଶଇତାନ ତୁ ସମନାଥ; ନରକ ତୁ; ନା, ନା; ମୁଁ ଭୁଲ କହିଚି, ରାଗନାହିଁ । ମତେ ରକ୍ଷାକର । ଏହାଛଡ଼ା ମୁଁ ଆଉସବୁ କରିବାକୁ ପ୍ରସ୍ତୁତ ଅଛି ।’’

 

ନାଏବ–‘‘ସବୁ କରିବାକୁ ପ୍ରସ୍ତୁତ ଅଛୁ ? ତେବେ ଶୁଣ; ହୁଏତ ତତେ ମୋ ସଙ୍ଗରେ ଯିବାକୁ ହବ, ତା’ ନ ହେଲେ ମତେ ପ୍ରତି ମାସରେ ତିରିଶ ଟଙ୍କା କରି ଦବାକୁ ହେବ ।’’

 

ପଦ୍ମା–‘‘ମୁଁ ତୁମକୁ ଟଙ୍କା କାହିଁକି ଦେବି ? କୁଠଉ ବା ଦେବି ?’’

 

ନାଏବ–‘‘କୁଠଉ ଦବୁ ସେ ତୋର ବିଚାରିବାର କଥା, କାହିଁକି ଦବୁ ? ତୋର ଚୁଟି ଯେ ମୋ ହାତରେ । ମୁଁ ଯଦି ତୋହଠାରୁ ଯାହା ଆଶା କରିଥିଲି ନ ପାଇବି, ତୁ ଯଦି ତୋର ସ୍ୱାର୍ଥ ପାଇଁ ମୋତେ ଫୋପାଡ଼ି ଦେଇପାରୁ, ତା’ହେଲେ ମୁଁ କାହିଁକି କାହା ଲାଗି କିଛି ସହିବି ? ବାଃ, ବାଃ ତୁ ଜମିଦାର ଘରେ ଖଟ ପଲଙ୍କରେ ସ୍ୱାମୀକୁ ନେଇ ଖେଳିବୁ, ଆଉ ମୁଁ, ଫାଶୀ କାଠରେ ଝୁଲିବି ? ନଇଲେ ଇଠିକି ସିଠା ଦ୍ୱାହି ହୋଇ ବୁଲିବି ? ଆଉ ସେ ଚଣ୍ଡାଳ ମୋ ପଛେ ପଛେ ଗୋଡ଼େଇ ମତେ ଜାଳିପୋଡ଼ି ମାରୁଥିବ ? ମୁଁ କାହିଁକି ଏ ଗୁଡ଼ାକ ସହିବି ? ନା, ନା, ସଂସାର ମୋ ପ୍ରତି କି ଅନୁଗ୍ରହ ଦେଖାଇଁଚି ଯେ, ମୁଁ ତା’ ପ୍ରତି ଦୟା କରିବି ? ଠିକ୍ ପଦ୍ମା, ତୋର ରହସ୍ୟ ଯଦି ମୁଁ ଗୋପନରେ ରଖେଁ ତା’ ହେଲେ ସେଥିପାଇଁ ପୁରସ୍କାର ପ୍ରୟୋଜନ, ବୁଝିଲୁ ? ମାସକୁ ତିରିଶ ଟଙ୍କା, ନଇଲେ....’’ ପଦ୍ମା–‘‘ହା ଭଗବାନ ! ଯାଉ; କିନ୍ତୁ ଦେଖ, କହୁଚି ସୋମନାଥ; ତୋର ଏ ଉଦ୍ଦେଶ୍ୟ ସଫଳ ହେବନାହିଁ । ମୁଁ ଭାବି ଦେଖେ; କାଲି ଉତ୍ତର ଦେବି ।’’ ପଦ୍ମା ଏତିକି କହିଲାବେଳେ ତା’ର ସ୍ୱର ବଡ଼ ସ୍ଥିର; ବଡ଼ ନିଷ୍ଠୁର, ମୋର ଦିହ ସେ ସ୍ୱର ଶୁଣି ଥରି ଉଠିଲା ।

 

ଠିକ୍ ଏତିକିବେଳେ ଆଗ ସାମନା ଘର ଭିତରୁ ଆଲୁଅ ଦିଶିଲା । ତା’ ପରେ ଅନ୍ଧାର । କିନ୍ତୁ ଯେପରି ଲାଗିଲା; କେହି ଆମଆଡ଼େ ଆସୁଛି, ମୁଁ ଆସ୍ତେ ଆସ୍ତେ ଆରପଟ ପିଣ୍ଡାକୁ ଚାଲିଗଲି; ଲୋକଟା କିଏ ? କୁଆଡ଼େ ଯିବ ? ଯଦି ନାଏବଙ୍କ ଘରକୁ ଯାଏ ? ପଦ୍ମାର ଅବସ୍ଥା ଭାବି ମୁଁ ବଡ଼ ବିକଳ ହୋଇ ଉଠିଲି । ପଦ୍ମା ଦୁଆର ମେଲେଇ ଆସିବାକୁ ଉଦ୍‍ଯୋଗ କରୁଛି; ସେତିକିବେଳେ ଏ ଲୋକଟା ଯାଇ ସେଠାରେ ପହଞ୍ଚିଲା । ଉଭୟେ ଉଭୟଙ୍କର ମୁହଁକୁ ଚାହିଁ ଥକା ମରା ହୋଇ ଠିଆ ହୋଇଗଲେ । କବାଟ ଫାଙ୍କ ଆଲୁଅରେ ଦେଖିଲି ସେ ନୀଳ ।

Image

 

ବୃଥାଶ୍ରମ

 

ନୀଳକୁ ଦେଖି ଟିକିଏ ନିଶ୍ୱାସ ମାରି ଆଶ୍ୱସ୍ତ ହେଲି । ଭାଗ୍ୟକୁ ଆଉ କେହି ନୁହେଁ । ତା’ ହେଇଥିଲେ ତ କଥା ସରିଥିଲା, କିନ୍ତୁ ନୀଳ କ’ଣ ମନରେ ଭାବିଥିବ ? ଯାହାଇଛା ତା’ ମନରେ ଭାବୁ ସେ ପଦାକୁ ଯେପରି ଭଲପାଏ; ଆଉ ପଦ୍ମା ଯିମିତି ବୁଦ୍ଧିମତୀ; ସେ କୌଣସି ମତେ ନୀଳକୁ ବାଗେଇ ନେବ, ମୋର ସେଥିପାଇଁ କୌଣସି ଭାବନା ନାହିଁ । କିନ୍ତୁ ପଦ୍ମାର ସେ ନିଶ୍ଚଳ ଦୃଢ଼ତା; ତା’ର ମାନେ କ’ଣ ? ସେ ଦୃଢ଼ତାରେ ହତାଶ ଲାଗି ରହିଥିଲା; ପଦ୍ମା କି ଭୀଷଣ କାଣ୍ଡ କରିବ କିଏ କହିବ ? ବଡ଼ ଦୟା ହେଲା ତା’ପ୍ରତି, ସେ ଯାହା ଇଚ୍ଛା ତା’ ହେଉ, ସେ ଯେ ମୋରିପରି ହତଭାଗିନୀ-। କେତେ କଷ୍ଟ ଏ କେତେଦିନ ସହିଚି, ତା’ପରେ ଏ ନିଷ୍ଠୁର ହତାଶା । ନାଇଁ, ନାଇଁ ମୁଁ ଆଉ କାଲି ସକାଳେ ସହରକୁ ଯାଉନାହିଁ । ପଦ୍ମାକୁ ଗୋଡ଼େ ଗୋଡ଼େ ନ ଜଗିଲେ ନ ଚଳେ । କିନ୍ତୁ ନ ଗଲେ ଯେ ହାରଟା ମିଳିବ ନାହିଁ । ତା’ ନ ମିଳିଲେ ଯେ ମୋର ସର୍ବନାଶ । ଆଉ ଗୋଟାଏ ଦିନରେ ବାକି ଅଦ୍ଭୁତ କାଣ୍ଡ ଘଟିଯାଇପାରେ ? ପଦ୍ମା ତ ଭାବିକରି କାଲି ଉତ୍ତର ଦେବ ବୋଲି କହିଚି । ତା’ପରେ ଯାହା କରିବ ସିନା, ହୁଏତ ସେ ଅନ୍ୟକିଛି ଉତ୍ତର ଦେଇପାରେ, ସୋମନାଥ ହୁଏତ ତାକୁ ଗ୍ରହଣ କରି ପାରନ୍ତି । ତା’ହେଲେ ତ ଆଉ ଆଶଙ୍କାର କଥା କିଛି ନାହିଁ । ଏହିପରି ବହୁତ ଭାବିଚିନ୍ତି ସହରକୁ ଯିବାର ଠିକ୍ କରି ମୁଁ ଶୋଇପଡ଼ିଲି । ବେଶ୍ ନିଦ ହୋଇଗଲା, ଶମ୍ବୁଆ ମା’ ଆସି ଡାକିବାରୁ ଧଡ଼ପଡ଼ ହୋଇ ଉଠି ମୋର ଗାଧୁଆପାଧୁଆ ସାରିନେଲି । ଗାଡ଼ି ଠିକ୍ ହୋଇଗଲା । ଟଙ୍କାତକ ଧରି ବାହାରି ପଡ଼ିଲି । ସହରରେ ପହଞ୍ଚିଲି । ଗାଡ଼ି ଶ୍ରୀରାମ ବଜାରକୁ ନେବାକୁ ମୁଁ ସଇଶକୁ କହିଲି । ଆମେ ଖଣ୍ଡେ ବାଟ ଯାଇଛୁ କିଏ ସେ ପଛରୁ ଡାକ ପକାଇଲା । ‘ପଞ୍ଚୁଆ, ପଞ୍ଚୁଆ’ ! ପଞ୍ଚୁଆ ସଇଷର ନା । ଗାଡ଼ି ରହିଲା । ଆଉ ଗୋଟେ ଗାଡ଼ିଆସି ପାଖରେ ରହିଲା । ମୁଁ ଗାଡ଼ି କବାଟ ଅଳ୍ପଟିକିଏ ମେଲାକରି ଚାହିଁ ଦେଖିଲି ପିତନ ବାବୁ, ନୀଳର ଓକିଲ; ଏଇ ସହରରେ ବସା । ସେ ଆଉ ତାଙ୍କ ପିଲା ଅନେକ ଥର ଆମଘରକୁ ଯାଇଚନି, ଆମେ ମଧ୍ୟ ଅନେକ ଥର ତାଙ୍କ ଘରକୁ ଯାଇଚୁ । ସେ ପଞ୍ଚୁଆକୁ ପଚାରିଲେ ‘‘କିରେ, କିଏ ଆଉ ଭିତରେ ?’’ ରାମା କହିଲା ‘‘ମଣିଦେଇ, ସା’ନ୍ତାଣିଙ୍କ ଦିହ ଖରାପଥିଲା ଯେ–’’ ‘‘ହଁ, ହଁ, ମୁଁ ହରେକୃଷ୍ଣ ବାବୁଙ୍କଠାରୁ ଶୁଣୁଥିଲି, କାଲି ଯିବି ବୋଲି ଠିକ୍ କରିଥିଲି, କ’ଣ ହେଲା ତାଙ୍କ ଦେହ, ଭଲ ଅଛି ତ-? ‘‘ଆଜ୍ଞା, ହଁ, ତାଙ୍କରି ଦେହ ବ୍ୟସ୍ତବେଳେ ଦେଇ କ’ଣ ଠାକୁରାଣୀଙ୍କି ଯାଚିଥିଲେ ଯେ, ସେଇତି ପାଇଁ ଆଇଚନି’’ । ‘‘ହେଉ, ଭଲକଥା, ତେବେ ଏଣେ କୁଆଡ଼େ ? ଆଗେତ ଆମଘରକୁ ଯାଇଥାନ୍ତ, ଖା’ପିଅ କରି ଶୀତଳିଆ ହୋଇ, ଉପରଓଳି ଯାଇଥାନ୍ତ, ଚାଲ, ଚାଲ, ଗାଡ଼ି ବୁଲାରେ ପଞ୍ଚୁଆ ।’’ ଗାଡ଼ି ବୁଲିଲା । ମତେ ଯୁ’ ବିରକ୍ତି ଲାଗୁଥାଏ, କ’ଣ କରିବି, ଧରାତି ପଡ଼ିଚି । ଗାଡ଼ି ଫେରି ଚାଲିଲା । ଓକିଲ ବାବୁଙ୍କ ଘରେ ପହଞ୍ଚିଲା ଖିଣି, ତାଙ୍କ ଭାରିଜା ଆସି କେତେ ଆଦର ଅଭ୍ୟର୍ଥନା କରି, ଘରକୁ ଡାକି ନେଲେ । ମୁଁ ତାଙ୍କୁ କହିଲି ‘‘ଦେଖ, ସଙ୍ଗାତ, ମୋର ଭାରି ଜରୁର୍ କାମ, ଘରେତ କେହି ନାହାନ୍ତି, ପଦ୍ମା ରୋଗରୁ ଉଠିଚି ଯେ ଖାଲି ଟଳିଲା ପରି ହେଉଚି, ନୀଳର କଥା ବୁଝିବାକୁ କେହି ନାହାନ୍ତି । ମତେ ଚଞ୍ଚଳ ଯିବାକୁ ହେବ ।’’ ସେ କହିଲେ ‘‘ହଁ; ହଁ, ମୁଁ ବୁଝି ପାରୁଚି ଯେ ତୁମେ ନ ଥିଲେ ଯିମିତି ଘର ଦଣ୍ଡେ ଚଳିବ ନାହିଁ । ଯେ ଏତେ କଥାରେ କ’ଣ ଅଛି; କିଏ କ’ଣ ତୁମକୁ ପାଞ୍ଚଦିନ ରଖୁଚି ? ଆଜିକ ରହ କାଲି ଯିବ।’’ ମୁଁ ଯେତେ ସାଧ୍ୟସାଧନା କଲି, କିଛି ଶୁଣିଲେ ନାହିଁ, ମୋର ସେ ଦିନଟା ସେଠାରେ ରହିବାର ହେଲା । ମୁଁ ରାମାକୁ ଡାକି ଘରକୁ ପଠେଇ ଦେଲି-

 

କିନ୍ତୁ ଭାରି ଖରାପ ଲାଗୁଥାଏ । ତେଣେ ପଦ୍ମା ଚିନ୍ତା, ଏଣେ ମୋ ଚିନ୍ତା; ଇଠେଇଁ ରହିଲି ଯେ, ଏତେ ଇଲେ କାନିକି କାନି ଗଇଁଠେଇଁ ବୁଲିବେ, ମୁଁ ଯାଇ ହାରଟା ଆଣୁଚି କିପରି ? ଯାହାହଉ, ଉପାୟତ ନାହିଁ । ଖା’ପିଅ ସରିଲା । ଟିକିଏ ଟିକିଏ ଗଡ଼ ପଡ଼ ହଉ ହଉ ଦିପହରଟା କଟିଗଲା । ଛାଇ ମନ୍ତୁଳିଲେ ଆମ୍ଭେମାନେ ମୁଁ, ଓକିଲ ବାବୁଙ୍କ ସ୍ତ୍ରୀ ଏବଂ ତାଙ୍କର ଝିଅ ଗାଡ଼ିରେ ଠାକୁରାଣୀଙ୍କ ଦେଉଳକୁ ବାହାରିଲୁଁ । ସେଠାରେ ଯଥାବିଧି ଭୋଗରାଗ ସାରି ଘରକୁ ଫେରିବା ରାସ୍ତାରେ ସେ ବଣିଆଦୋକାନ ପାଖରେ ଗାଡ଼ି ରଖିବାକୁ ମୁଁ କହିଲି । ଗୋଟେ ହାର କିଣିବାକୁ ମୁଁ ବାହାରି ପଡ଼ିଲା ସାଙ୍ଗେ ସାଙ୍ଗେ ଓକିଲ ବାବୁଙ୍କ ସ୍ତ୍ରୀ ମଧ୍ୟ ଗାଡ଼ିରୁ ଓହ୍ଲାଇ ଆସିଲେ । ଦିହେଁ ଯାକ ତା ଦୋକାନକୁ ଆସିଲା କ୍ଷଣି ସେ ଭାରି ଆଦର ସମ୍ଭାଷଣ କରି ଆମକୁ ବସେଇଲା । ମୁଁ ହାର ବରାଦ କଲି । ଚାରି ପାଞ୍ଚଟା ହାର ଦେଖିଲା ପରେ କହିଲି । ‘‘ସୋମନାଥ ବୋଲି ଜଣେ ବାବୁ ଏଇମାସ ୮ ତାରିଖରେ ଆପଣଙ୍କୁ ଗୋଟିଏ ହାର ବିକିଚନି, ସିମିତି ହାର ଯଦି ଥାଏ, ତା’ହେଲେ ଦିଅନ୍ତୁ’’ ସେ ତାଙ୍କର ଖାତା ଦେଖି ମୁଣ୍ଡ ହଲେଇ କହିଲେ ସେ ‘‘ହାରତ ମୋ ପାଖରେ ନାହିଁ । କାଲି ଆଉଜଣେ ଲୋକ ଆସି ତାକୁ କିଣି ନେଇ ଯାଇଚି । ତା’ ଘର ବି ସେଇ ଗାଁ ରେ ।’’ ମୋ ମୁଣ୍ଡରେ ବଜ୍ର ଖସି ପଡ଼ିଲା । ଏତେ ଶ୍ରମ, ଏତେ ମିଛ କଥା ସବୁ ଯେ ବୃଥା ହୋଇଗଲା । ମୁଁ ବହୁତ ଖୋଳିତାଡ଼ି ତାଙ୍କୁ ପଚାରିବାରେ ବୁଝିଲି ଲୋକଟା ପଞ୍ଚହତା ମରଦ; କପାଳ ବାଳ ଆକ୍ଷି ଭ୍ରୂଲତା ସଙ୍ଗେ ମିଶି ଯାଇଛି, ଆକ୍ଷି ଦୁଇଟା ଛୋଟ ଛୋଟ; ବର୍ଣ୍ଣ ତ୍ରିପଣ୍ଡ କଳା; ନାକଟା ଅଧାପରବତ ପରି, ସ୍ୱର ଦଦରା ହାଣ୍ଡି ବାଡ଼େଇଲା ପରି । ବଡ଼ ଭୀଷଣ ।

Image

 

ଚୋରି

 

ଏକଥା ଶୁଣି ଯେ ମୋ ମନ କ’ଣ ହେଲା, ତାହା ଲେଖି କଥାରେ ବୁଝାଇବାର ନୁହେଁ । ସବୁଶ୍ରମ, ସବୁ ଆଶା, ସବୁ ଭରସା ମାଟିରେ ମିଶିଗଲା । ହାରଟା ଯେ ଲୋକ ହାତରେ ପଡ଼ିଚି ତା’ଠାରୁ ଆଣିବା ସହଜ ନୁହେ । କିନ୍ତୁ ତା’ର ହାରଟାରେ କି ପ୍ରୟୋଜନ ? ମୁଁ କିଛି ଭାବି ଠିକ୍ କରି ପାରିଲି ନାହିଁ । କେବଳ ଯୁଆଡ଼େ ଚାହିଁଲି ନିରାଶା, ସବୁ ଅନ୍ଧାର ‘‘ନିଜ ଅର୍ଜିଲା କର୍ମମାନ, ଆଗୁଁ ହୁଅଇ ସାବଧାନ ।’’ ମୁଁ ଯେ ଡାକିହାକି ହାଣ କଟୁରି ବେକକୁ ଆଣିଚି ତା’ର ଫଳ ମୁଁ ଭୋଗ ନ କରି ଆଉ କିଏ କରନ୍ତା ? ଯାହାହଉ ‘‘ଚୋର ମା’ କାନ୍ଦେନି ଯେବେ କାନ୍ଦେ ଲୁଚେଇ ଲୁଚେଇ ।’’ ମୁଁ ମନକଥା ମନରେ ମାରି ଓପରେ ହସି ଖେଳି ଓକିଲଙ୍କ ଘରେ ଆସି ପହଞ୍ଚି ଦେଖେଁ, ରାମା ଫେରି ଆସିଚି । ନୀଳର ଇଚ୍ଛା, ମତେ ଆଜି ରାତିରେ ଫେରି ଯିବାକୁ ହବ । ତା’ର ଦିହ ଖରାପ, ପଦ୍ମାର ଦିହ ପୁଣି ଲେଉଟାଲା ପରି ଲାଗୁଚି । ସେଇ ମର୍ମରେ ଓକିଲଙ୍କ ପାଖକୁ ମଧ୍ୟ ଚିଠି ଲେଖିଚି; ସୁତରାଂ, ବିଳମ୍ବ ନ କରି ମୁଁ ଗାଡ଼ିରେ ବସି ବାହାର ପଡ଼ିଲି । ଗାଡ଼ିରେ ନିର୍ଜନରେ ବସି, ନାନା କଥା ଭାବୁ ଭାବୁ ମୋତେ ଗୋଟେ ଫନ୍ଦି ଦିଶିଲା, ସେ ଲୋକଟା ଯେ ହାରଟା ନେଇଚି ସେ ତ ଆଉ ଦାଣ୍ଡରେ ହାରଟା ତାକୁ ଲଗେଇ ବୁଲିବ ନାହିଁ; ଆଉ ସେ’ ବି କାହାରିକୁ ଦବାଲୋକ ନୁହେଁ-। ଯେ ସାମାନ୍ୟ ଟଙ୍କା ପାଇଁ ଗୋଟେ ଲୋକକୁ ଏତେ କଲବଲ କରିପାରେ ସେ କି କେବେ ମୁରୁଛି କରି ଅଢ଼େଇଶ ଟଙ୍କାର ଗୋଟେ ହାର ଅନ୍ୟକୁ ଦେଇପାରେ ? ନା, ସେ ନିଶ୍ଚୟ ହାରଟା ନିଜ ପାଖରେ ରଖିଥିବ । ସେ ଅଛି ଗୁରୁବାରିଆ ମା’ ଘରେ । ସେଇଠାରେ ନିଶ୍ଚୟ ଲୁଚେଇଚି । ସୁତରାଂ ତାକୁ ଆଦାୟ କରିବାକୁ ହେଲେ, ମତେ ଗୁରୁବାରିଆ ମା’ର ସାହାଯ୍ୟ ନବାକୁ ପଡ଼ିବ । ମୁଁ ମନରେ ଅନେକ କଥା ପାଞ୍ଚିଲି । ତା’ ପରେ ରାମା ଓ ଶ୍ୟାମା ମା’କୁ କହିଲି ‘‘ଗୋଟେ କାମ କରିପାରିବ ? ବେଶ୍ ପୁରସ୍କାର ଦେବି ?

 

ରମା–‘‘ସା’ନ୍ତାଣି, ବକ୍ସିସି୍ ଫକ୍ସିସ୍ କ’ଣ ହବ ? ତୁମେ କହିଲେ କ’ଣ ତୁମ କଥାରୁ ଭାର ହେବି ?

 

ମୁଁ–‘‘ନାଇଁ ନାଇଁ, କାମଟାରେ ଟିକିଏ ବିଦ୍ୟାବୁଦ୍ଧି ଦରକାର, ତତେ ଟିକିଏ ମୁଣ୍ଡ ଖରଚ କରିବାକୁ ପଡ଼ିବ, ପାରିବୁ ତ ?’’

 

ରାମା–‘‘ହଁ ସା’ନ୍ତାଣି, ତେମେ କହିଲେ ମୁଁ ତ କୁଁଅକୁ ଡେଇଁ ପଡ଼ିବାକୁ ରାଜି ଅଛି !’’

 

ମୁଁ–ତା’ହେଲେ ଏକ କାମକର, ଗାଡ଼ି ଗୁରୁବାରିଆ ମା’ ଘର ବାଟେ ତ ଯିବ; ତୁ ସଇସକୁ କହି ଦେ, ସେ ତା’ ପାଖରେ ଗାଡ଼ି ରଖିବ । ଆଉ ତୁ ଯାଇ ଗୁରୁବାରିଆ ମା’କୁ କହିବୁ, ସା’ନ୍ତାଣି ଗାଡ଼ିରେ ତତେ ଡାକୁଚନି, କ’ଣ କହିବେ ବୋଲି, ଶୀଘ୍ର ଆ, ଏତିକି କହି ଚଟାପଟ୍ ପଳେଇ ଆସିବୁ । ତା’ ଉତ୍ତାରୁ ଗାଡ଼ି ଭିତରେ–ଶାଲଟା ରଖ । ଶ୍ୟାମ ମା’ ଘୋଡ଼ିଘାଡ଼ି ହୋଇ ବସିବ । ମୁଁ ଚାଲି ଯାଇଥିବି ଗୁରବାରିଆ ମା’ ଆସିଲାକ୍ଷଣି ଶ୍ୟାମା ମା’ ତାକୁ ହାତଠାରି ଗାଡ଼ିରେ ବସିବାକୁ ଡାକିବ । ସେ ବସିଲା ମାତ୍ରକେ ସଇସକୁ ଶିଖାଇଥିବୁ, ଗାଡ଼ି ଛାଡ଼ି ଦବ । ତାକୁ ଆଉ କିଛି କହିବୁ ନାହିଁ, ଖଣ୍ଡେ ବାଟ ଯାଇ ଯିମିତି ଘଡ଼ିଏ ଖଣ୍ଡେ ଡେରି ହବ ଫେରେ ଫେରି ଆସିବ ଏଇ ଜାଗାକୁ । ମୁଁ ଅପେକ୍ଷା କରୁଥିବି । ପାରିବୁ ତ ?

 

ରାମା–ପାରିବି ଯେ ସା’ନ୍ତାଣି, ତେବେ ସେ ଯଦି କିଛି ଗୋଳମାଳ କରେ ।

ମୁଁ–ସେ ତୋତକ । ତୁ କୌଣସି ପ୍ରକାରେ ତାକୁ ରଖିବୁ ।

 

ରାମା–ଆଛା ହଉତେବେ ସା’ନ୍ତାଣି । ହଁ, ହଁ, ୟେ ଆଉ କଷ୍ଟ କଥାଟେ କ’ଣ ?’’ ମୁଁ ତାଙ୍କ ହାତରେ ଟଙ୍କାଟାଏ ଲେଖେ ଗୁଞ୍ଜି ଦେଲି ।’ ରାମାପୁଣି ସଇସ ପାଖକୁ ଫେରିଗଲା । ଗାଁ ମୁଣ୍ଡ ଚଷା ସାହିରେ ଗୁରୁବାରିଆ ମା’ ଘର, ଗାଡ଼ି ସେଠାରେ ରହିଲା । ରମା ଗାଡ଼ିରୁ ଓହ୍ଲାଇ ଗଲାକ୍ଷଣି, ମୁଁ ଶାଲଖଣ୍ଡକ ରଖିଦେଇ ତୁନିହୋଇ ଗାଡ଼ିରୁ ଓହ୍ଲାଇ ଗୁରୁବାରିଆ ମାଁ ଘରଆଡ଼କୁ ବାଡ଼ିପଟେ ବୁଲି ଚାଲିଲି ।

 

ତା’ ଘରେ ଯାଇ ପହଞ୍ଚି ଦେଖେଁ, ଦାଣ୍ଡ ଘର ତାଟି ମେଲା, ଗୋରୁ ଗୋଟେ ଦିଟା ବନ୍ଧା ହୋଇଚିନି, ବାଟ ପାଖରେ ହୋଇ ଗୋଟେ ନାଳ, ଗୋବର ମୂତରେ ପୂର୍ଣ୍ଣ, ଅନ୍ଧାରରେ ମୋ ଗୋଡ଼ ସେଥିରେ ପଡ଼ି ଯିବାରୁ ପିଚିକିନି ସେଗୁଡ଼ାକ ଆସି ମୋର ଲୁଗାରେ ପଡ଼ିଲା; ମୁଁ ଅଣ୍ଡାଳି ଅଣ୍ଡାଳି ଆର ଦୁଆରେ ପହଞ୍ଚିଲି, ତା’ପରେ ଅଗଣା, ଅଗଣାର ଓପର ପାଖ ପିଣ୍ଡା ଭଙ୍ଗା, ଖାଲ ଢିପ-। ଏଇ ଦାଣ୍ଡ ଘରକୁ ଲାଗି ଆଉ ଗୋଟିଏ ବଖରା ଘର । ତା’ ଆଗ ସାମନା ଗୋଟେ ଘରେ ଦିପଟେ ମିଟି ମିଟି ଜଳୁଥିଲା । ମୁଁ ଯାଇ ଦେଖିଲି ଯୋଡ଼ିଏ ପିଲା ଗୋଟେ ଛିଣ୍ଡା ମୁନ୍ଦୁରାରେ ଶୋଇଚନି; ଦିହରେ ସାତଗଇଣ୍ଠା କନ୍ଥା ଖଣ୍ଡେ ଖଣ୍ଡେ ପଡ଼ିଚି, ଦୀପଟା ଉଠେଇ ନେଇ ତା’ପାଖ ଘରକୁ ଗଲି ଦେଖିଲି ସେଉଟା ହାଣ୍ଡିଶାଳ । ଗୋଟେ ତେଙ୍ଗଡ଼ା ଉପରେ ପାଞ୍ଚ ଛଅଟା ଆଟିକା ଗଡ଼ଗଡ଼ଉଚି ! ଅଳନ୍ଧୁରେ କାନ୍ଥବାଡ଼ ପୂର୍ଣ୍ଣ, ଗୋଟେ କ’ଣରେ ଦିଖଣ୍ଡ କଂସା । ଖଣ୍ଡେ ପୁରୁଣା ଲୋଟା, ଆଉ ଗୋଟେ ଘଡ଼ି, ଖଣ୍ଡେ ପନିକି ଆଉ କ’ଣ କ’ଣ ସବୁଥିଲା । ମତେ ଦେଖିବାକୁ ତର ନ ଥିଲା । ମୁଁ ସେ ଘରଛାଡ଼ି ଉପର ଘରକୁ ଉଠିଲି, ଦେଖିଲି କୁହୁଣ୍ଡା, ଚାବି ସବୁ ନୂଆ ଲାଗିଚି । ବାଟରେ ମୋର ବାଧାବିଘ୍ନ ଯେତେ ପଡ଼ିଲା, ମୋର ପରିଶ୍ରମର ସଫଳତା ସେତିକି ଆଶାପ୍ରଦ ହୋଇ ଉଠିଲା, ମୋ ପାଖରେ ଯେ କଞ୍ଚି ଗୋଛାଟା ଥିଲା ସେଥିରୁ ବାଛି ଏକକଞ୍ଚି ଲାଗାଇଲି, କିନ୍ତୁ କାହିଁରେ ଫିଟିଲା ନାହିଁ । ଶେଷରେ ଚାବି ଥୋଲାର ଗୋଟେ କଣ୍ଟାଚାବି ଲଗେଇ ବୁହେ ଏଣିକି ତେଣିକି କଲାରୁ ବହୁତ କଷ୍ଟରେ ଚାବିଟା ଫିଟିଲା । ମୁଁ ଘର ଭିତରେ ପଶି ଦେଖିଲି ଗୋଟେ ହେଁସ ଗୁଡ଼ିଆ ହୋଇ ଜଗୁଆଳି ପରି ଗୋଟେ କୁଣରେ ଠିଆ ହୋଇଚି । ଏପଟେ ସେପଟେ ଶିକା କେତେଟା ଝୁଲୁଚି, ସେଥିରେ ବଢ଼ ଘଡ଼ି ହୋଇମାଳେ । ଗୋଟେ ଅବଖୁରା ଉପରେ କେତେଗୁଡ଼େ ଘରକରଣା ଜିନିଷ; ଆଉ ଗୋଟେ କନାପୁଟୁଳି । ମୁଁ ସେ ପୁଟୁଳିଟାକୁ ଖୋଲି ଦେଖିଲି ସେଥିରେ କିଛି ନାହିଁ । ଏଣେ ତେଣେ ବହୁତ ଧନ୍ଦିହୋଇ ଖୋଜିଲି, କିନ୍ତୁ କାହିଁରେ କିଛି ପାଇଲିନାହିଁ । ତେଣେ ଭୟ କାଳେ କିଏ ଫେରିଆସୁଥିବ, ମୁଁ ଯେ ଅସହାୟା ସ୍ତ୍ରୀ, ଏକା ପରଘରେ । ତା’ପରେ ପୁଣି ମୁଁ ଜମିଦାର ଘରର ମାଲିକ । ଥରେଥରେ ଦାଣ୍ଡ ଦୁଆର ମୁହଁ ପର୍ଯ୍ୟନ୍ତ ଫେରି ଆସୁଥାଏ । ଟିକିଏ ଚାହେଁ, ଫେରେଯାଇ ବୁହେ ଦରାଣ୍ଡେ । ଏହିପରି କରୁ କରୁ ହଠାତ୍ ଥରେ କାହାର ଖଁକାର ଖା ଦାଣ୍ଡଘରଆଡ଼େ ଶୁଭିଲା । ମୁଁ ଚମକି ପଡ଼ି କବାଟଟା ଆଉଜାଇ ଦେଲି । କ’ଣ କରିବି ? କିମିତି ରକ୍ଷାପାଇବି କିଛିଭାବି ନ ପାରି କବାଟଟା ଚଟ୍ କରି କିଳିଦେଲି; କିଳିଦେଇ କି ରକ୍ଷା ? ସେମାନେ ଯଦି ଏଘରକୁ ଆସି ଦୁଆର ଭିତରୁ ବନ୍ଦ ଥିବାର ଦେଖି ଦୁଆରଟା ଭାଙ୍ଗି ପକାନ୍ତି ? ତାଙ୍କ ଶବ୍ଦରେ ତ ଗାଁର କେତେଲୋକ ଉଠି ଆସିବେ । କେତେ ହଲା ଲାଗିବ ମୁଁ କ’ଣ କରିବି ? ମୋଦିହ ଖାଲି ବରଡ଼ା ପତ୍ରପରି ଥରୁଥାଏ । କିଏ ଡାକିଲା ‘‘ପଞ୍ଚୁଆ ଭାଇ, ଘରେ ନାହୁଁ କିରେ ?’’ ଏହିପରି ଦିତିନି ଥର ଡାକିଲା ପରେ ପୁଣି ଶବ୍ଦ ଶୁଭିଲା ‘‘ମଲା, ଆଲୁଅ ଜାଳି ଦେଇ ଏ ସବୁ କାଡ଼େମ ?’’ ତାପରେ ସବୁସ୍ଥିର । ମୁଁ ଆସ୍ତେ କବାଟ ଫିଟାଇ ଆସି ଦେଖିଲି କେହି ନାହାନ୍ତି ! ତା’ପରେ ଘର ଭିରତକୁ ଆସି ଫେରେ ମୁଁ ଖୋଜି ଲାଗିଲି । ଆଉତ କିଛି ପାଇଲି ନାହିଁ, କେବଳ ଗୋଟେ କୋଥଳି ଭିତରେ କେତେ ଗୁଡ଼େ ଜାଗଜପତ୍ର ପାଇଲି । ଫିଟାଇ ଦେଖିଲା ବେଳକୁ, ପ୍ରଥମ ପୁଡ଼ାରୁ ଜାଣିପାରିଲି ଗୁଡ଼େ ଚିଠି । ତଳକୁ ଚାହିଁ ଦେଖିଲି ‘‘ଅଧମ ସୋମନାଥ’’ ମୁଁ କିଛି ନ ଭାବି ସେଗୁଡ଼ାକ ମୋ ପଣନ୍ତ ଭିତରେ ପୂରାଇ କବାଟ ବନ୍ଦ କରି ଚାଲି ଆସିଲି । ଯେଉଁ ସ୍ଥାନରୁ ଯାଇଥିଲି ସେଠାକୁ ଆସି ଦେଖିଲି, ରାମା, ଗୁରୁବାରିଆ ମା’ ତାଡ଼କୀଯୁଦ୍ଧ ଲଗାଇଲା ଉପରେ ? ଗୁରୁବାରିଆ ମା’ କହୁଛି ‘‘ମୋ ଘରେ କେହି ନାହାନ୍ତି, ଦୁଆର ଠିଆ ମେଲା, ଗଛଜରାଟା ମୋତେ ତୁ ଡାକି ଆଣିଲୁ, ସା’ନ୍ତାଣି କାଇଁରେ ରଇଜରା ? ତୋ ଅସିକ ପଣିଆ ଭାଙ୍ଗି ଦେବି ଯେ ରହ, ରହ; ଆତି ପାହୁ, ମୁଁ ସା’ନ୍ତାଣିଙ୍କ ପାଖକୁ ଯାଏ ?’’

 

ମୁଁ ଏତିକିବେଳେ ପଛରୁ ଯାଇ ତା’ କାନ୍ଧରେ ହାତରଖି କହିଲି ‘‘କ’ଣ କିଲୋ, ନିଆଁ ଲାଗିଟା ? ମୁହଁରେ ଲାଜ ନାହିଁ, ଦାଣ୍ଡ ମଝିଟାରେ ଗାଁଟାକର ପାଟି କରୁଚୁ ?’’ ଗୁରୁବାରିଆ ମା’ ହାତେ ଜିଭ ବାହାର କରି କାମୁଡ଼ି କରି କହିଲା ‘‘ସା’ନ୍ତାଣିତ ସତେରେ, ମୁଁ ରାମାକୁ କେତେ ଗାରି ଦେଲିଣିଟି, ଏତେ ଆତିରେ ସା’ନ୍ତାଣି କୁଆଡ଼େ ବିଜେ ହୋଇଥିଲେ ?’’

 

ମୁଁ– ‘‘ଯାଇଥିଲି ସହରକୁ, କାମଥିଲା, ଫେରିଲାବେଳେ ମନେପଡ଼ିଲା ରଘୁସାମଲ ବୋହୂକୁ ଭାରିଜର, ପିଲାଦିନେ ତା’ ସଙ୍ଗେ କେତେ ଖେଳିଚି । ଆଜି ସିନା ମୁଁ ସା’ନ୍ତାଣି, ଆସିଚି ତ ଟିକିଏ ଦେଖି ଯାଏ । ତୋ ସାଙ୍ଗରେ ଗୋଟେ କାମଥିଲା । ସେଇ ଲୋକଟା ସମ୍ବନ୍ଧରେ ଦି’ଚାରି ପଦ ପଚାରିଥାନ୍ତି, ଥାଉ, ବହୁତ ରାତି ହୋଇଗଲାଣି । ନୀଳ କ’ଣ ମନରେ ଭାବିବ । କାଲି ସକାଳୁ ମୋ ସାଙ୍ଗରେ ଟିକିଏ ଦେଖା କରିବୁ ।’’ ଏହା କହି ମୁଁ ଗାଡ଼ିରେ ଉଠିଲି ।

Image

 

ପଦ୍ମାର ଦୁଃଖ

 

କାଲି ରାତିରେ ଆସି ଘରେ ପହଞ୍ଚିଲାବେଳକୁ ସମସ୍ତେ ଖାଇପିଇ ଶୋଇଥିଲେ । କେବଳ ବାହ୍ମୁଣୀ ନାନୀ ଆସି ଭାତ ବାଢ଼ି ଦେଇ କହିଲେ ‘‘ବାବୁ ଆଜି ଦିଓଳି ହେଲା କିଛି ଖାଇନାହାନ୍ତି, ତାଙ୍କର ଦିହ କ’ଣ ଭାରି ଖରାପ । କିମିତି କଳାକାଠ ପଡ଼ିଗଲେଣି । କାମ ଫାମ, ଯା’ଆସ ତ କରୁଚନି ବେଶ୍, କ’ଣ ହୋଇଚି କେଜାଣି ? କଛେରୀଘରେ ଶୋଇବେ ବୋଲି ଶେଯ ହେରିକା ନେଇଯାଇଚନି । ବାବୁଆଣୀ ଖାଇଲେ, କିନ୍ତୁ, ଖାଲି ଠା’ ମାରା କଲା ଭଳି । ମୁହଁକୁ ଗୁଣ୍ଡେ କି ଦି’ଗୁଣ୍ଡା ନେଇଚନି କି ନାହିଁ ଉଠିଗଲେ । ମୋ ମନରେ ଶେଯ ଯିବା କଥାଟା ଶୁଣି ଟିକିଏ ସନ୍ଦେହ ହୋଇଥିଲା ସତ, କିନ୍ତୁ ଦିନଠା ଯାକର ପରିଶ୍ରମରେ ଏତେ ଶ୍ରାନ୍ତ ହୋଇ ଶୋଇ ପଡ଼ିଥିଲି ଯେ ଆଉ କିଛି ନ ଭାବି ଶେଯରେ ପଡ଼ିବା ମାତ୍ରକେ ନିଦେଇ ଗଲି । ସକାଳୁ ଉଠି ଦେଖେଁ ପଦ୍ମାର ଆଖି ଦୁଇଟା ଫୁଲିଛି, ନାଲ୍ ବି ପଡ଼ିଚି । ମୁଁ ଯାଇ ପଚାରିଲି, ’ସଙ୍ଗାତ, ଦିହ କ’ଣ ହୋଇଚି କି ?’ ସେ ଚମକି ପଡ଼ିଲା ପରି ହୋଇ କହିଲେ, ନାଇଁମ, ‘‘ମୁଁ ତ କିଛି ଜାଣିପାରୁ ନାହିଁ’’ ତା’ପରେ ଟିକିଏ ଭାବି କହିଲେ, ହଁ ହଁ, ଟିକିଏ ସରଦି ସରଦି ଲାଗୁଚି । ଆଉ କିଛି ନୁହେଁ । ଅବଶ୍ୟ ମୁହଁରେ ହସ ଟିକିଏ ଥିଲା । ସ୍ୱରଟା ଯଥାସମ୍ଭବ ସ୍ଥିର । କିନ୍ତୁ ସେ ହସରେ ପୁରୁଷ ଭୁଲିଯାଇପାରେ । ମୁଁ ନୁହେଁ । ସେ ହସରେ ଜଗତଟାଯାକର ଦୁଃଖ । ଏ ହସରେ ଆଖି ଉଜ୍ଜ୍ୱଳ ହୋଇଉଠେ ନାହିଁ । ମୁହଁରେ ପ୍ରାତଃ ସୂର୍ଯ୍ୟର ସେ ରକ୍ତିମ ଆଭା ଖେଳିଯାଏ ନାହିଁ । ଭାବଭଙ୍ଗୀରେ ଆତ୍ମାର ଉତ୍ସ ମେଲିଯାଏ ନାହିଁ । ଏ ଠିକ୍ ଶୁଖିଲା କାଠରେ ଛତୁ ଫୁଟିଲା ପରି ! ସେଦିନ ସୋମନାଥ ସାଙ୍ଗରେ କଥାବାର୍ତ୍ତା କଲାବେଳେ ଶେଷରେ ତା’ର ସ୍ୱରରେ ଯେ ନିଶ୍ଚଳତା, ସ୍ଥିରତା ଅନୁଭବ କରି ମୁଁ ଚମକି ପଡ଼ିଥିଲି, ଆଜି ସେହିପରି । କିନ୍ତୁ ଆହୁରି ଗାଢ଼, ଆହୁରି ହତାଶାମୟ, ଯେପରି ତା’ର ପ୍ରତ୍ୟେକ କମ୍ପନରେ ସତ ସାହସ ହାହାକାର, ହୃଦୟ ଚିରିଉଠି ପବନରେ ମିଳେଇ ଯାଉଚି । ତଥାପି ସେ ସ୍ୱର ବଡ଼ ଶାନ୍ତ, ସ୍ଥିର, ଗଭୀର !

 

ଏ କାହିଁକି ? ରମଣୀ ନିଜର ସତୀତ୍ୱ ସ୍ୱାମୀର ମର୍ଯ୍ୟାଦା ନିଜର ମାନ ରକ୍ଷା କରିବାକୁ ପ୍ରାଣ ଦେବାର ସ୍ଥିର କଲେ ବଡ଼ ସ୍ଥିର ହତାଶା ଭାବ ଅବଲମ୍ୱନ କରେ । କିନ୍ତୁ ସେଥିରେ ଗୌରବ ଥାଏ । ସୁଖର ଟିକେ ଛାୟା ଥାଏ । ଏ ସ୍ୱରରେ, ଏ ହସରେ ମାତ୍ର କିଛି ନାହିଁ । ଏ ବିଶୁଦ୍ଧ ଅନାବିଳ ହତାଶା । କାହିଁକି ? ପଦ୍ମାର ପ୍ରତି ମୋର ପୂର୍ବ ଭାବ ଯାହା ହୋଇଥାଉ, ତା’ର ଏ ଗଭୀର ଯନ୍ତ୍ରଣା ଦେଖି ମୋର ମନ ଚଳିଲା । ସେ ଯେ ନୀଳର ସ୍ତ୍ରୀ ସେ କଥା ଭୁଲିଗଲି । ମୋର ଆଖିରେ କେବଳ ଦିଶିଲା ମୋରି ପରି ଗୋଟିଏ ଆଜୀବନ ଦୁଃଖିନୀ । ମୁଁ ସେ ଦିନଟାଯାକ ତାକୁ ଲକ୍ଷ୍ୟକଲି, ବିଶେଷ କିଛି ଦେଖିଲି ନାହିଁ । ଯାହା ଦେଖିଲି ତା’ ପର ଦୃଷ୍ଟିରେ ନ ପଡ଼ିପାରେ, କିନ୍ତୁ ମୋ ଦୃଷ୍ଟିରେ ଖୁବ୍ ବଡ଼ ହୋଇ ଦେଖାଗଲା । ସାରାଦିନ ଲକ୍ଷ୍ୟକରି ଦେଖିଛି, ପଦ୍ମା ନୀଳର ପଢ଼ିବା ଘରକୁ ଆାଉ ପୂର୍ବଭଳି ଯାଉନାହିଁ। ଥରେ ମାତ୍ର ପାଗଳୀ ପରି ଉଠି ସେ ଘରକୁ ଗଲା । କିନ୍ତୁ ସେ ଘର ଭିତରେ ଗୋଡ଼ଦେବା ମାତ୍ରକେ କ’ଣ ହେଲା ତା’ ମନରେ କେଜାଣି? ଗୋଟେ ଦୀର୍ଘ ନିଃଶ୍ୱାସ ପକାଇ ଫେରିଆସିଲା । ମୁହଁ ଫେରାଇଲାବେଳେ ଦେଖିଛି ଆଖିରେ ଲୁହ । ନୀଳ ସହିତ ଦେଖାହେଲା । ସେ ଯେପରି ବଡ଼ ବିରକ୍ତ, ବଡ଼ ଶ୍ରାନ୍ତ, ବଡ଼ ବିଚଳିତ, ତା’ ଆଖିରେ ପ୍ରଳୟର ଅଗ୍ନି ପଡ଼ୁଛି ଉଠୁଛି,! ସେ ଯେପରି କାହାକୁ ଖୋଜୁଛି, ତା’ର ହୃଦୟ ଯେପରି କାହାକୁ ହାତ ବଢ଼ାଇ ଅନ୍ଧାରରେ ଦରାଣ୍ଡୁଚି-! କେହି ଗୋଟାଏ ମୁଠାରେ ପଡ଼ିଲେ, ତା’ର ମୁଣ୍ଡ ପଥରରେ ବାଡ଼େଇ ଚୁନ୍‍ଚ୍‍ନା କରିପକାନ୍ତା । ସେ ମତେ କହିଲା, ‘ଡାକ୍ତର ମନା କରିଚନ୍ତି, ତା’ର ଦିହ ବଡ଼ ଦୁର୍ବଳ, ସେ ରୋଷେଇ କରିପାରିବ ନାହିଁ । ମୋର ଖାଇବା ପିଇବା ତାକୁ କରିବାକୁ ଦବ ନାହିଁ । ତୁମେ କରିପାରିବ ତ ଉତ୍ତମ । ତା’ ନ ହେଲେ ମୁଁ ମୋର ବନ୍ଦୋବସ୍ତ କରିବି । ସେଥିପାଇଁ ବ୍ୟସ୍ତ ହେବନାହିଁ । ମୋର ଦେହଟା ବି ଖରାପ, ଅନ୍ତତଃ ଏ କେତେଦିନ ପାଇଁ ମତେ ଏଣେ ରହି ଟିକେ ବିଶ୍ରାମ କରିବାକୁ ପଡ଼ିବ । ମୋର ବହିପତ୍ରଗୁଡ଼ାକ ପଠାଇ ଦବ ।’ କଥାଗୁଡ଼ାକ କହିଲାବେଳେ ଘୃଣାରେ ତା’ର ଶିରାପ୍ରଶିରା ପୋଡ଼ି ଯାଉଥାଏ । ମୁଁ ଦୁହିଁଙ୍କର ଏପରି ଭାବ ଦେଖି କ’ଣ କରିବି କିଛି ଠିକ୍ କରିପାରିଲି ନାହିଁ । ସେଦିନ କଥା ମନେପଡ଼ିଲା । ସେହି ସମନାଥଙ୍କ ଘରକଥା । ଏ କ’ଣ ତେବେ ସେଇଆ? ନୀଳ କ’ଣ ତା’ହେଲେ ଅବିଶ୍ୱାସ କରିଛି ? ଈର୍ଷାରେ କି ନୀଳର ଏ ଅବସ୍ଥା ! ଆଉ ପଦ୍ମା, ମୁଁ ଯେତେ ଭାବିଲି ବିଷୟଟା ସେତିକି ଗୋଳମାଳ ହୋଇ ଉଠିଲା । ନୀଳ ଯେ ପଦ୍ମାକୁ ଏତେ ଭଲପାଏ ? ପଦ୍ମା କ’ଣ ସେଦିନ ସବୁକଥା ନୀଳକୁ ଭାଙ୍ଗିକରି କହି ନ ଥିବ? କ’ଣ ହେଲା ତେବେ ?

 

ମୁଁ ବହୁତ ଭାବିଚିନ୍ତି ଠିକ୍ କଲି, କାରଣ ଯାହାହେଉ ସୋମନାଥଙ୍କ ଉପଦ୍ରବ ଏଥିରେ ଅଛି । ଏକଥା ସାଙ୍ଗେ ସାଙ୍ଗେ ଗୁରୁବାରୀ ମା’ ଘରୁ ଯେ ଚିଠିଗୁଡ଼ା ଆାଣିଥିଲି, ତା’ କଥା ମନେପଡ଼ିଲା ।

 

ସେସବୁ ଫିଟାଇ ପଢ଼ିବାକୁ ଯାଉଥିଲି, ଫେର୍ ମନ ଗଲାନାହିଁ । ଭାବିଲି ଜୀବନର ଗୁପ୍ତ ରହସ୍ୟକୁ ଲୁଚାଇବା ପାଇଁ ସୋମନାଥ ଯେତେବେଳେ ଏତେ ବ୍ୟଗ୍ର ମୁଁ ଏବେ କାହିଁକି ତାଙ୍କର ବିନାନୁମତିରେ ଜାଣିବାକୁ ଯିବି ? ମୋର ଦୃଢ଼ ବିଶ୍ୱାସ ଏ ଚିଠିଗୁଡ଼ାକ ଯେତେବେଳେ ସୋମନାଥଙ୍କର ହାତର ଲେଖା, ଆଉ ସେ ଲୋକଟା ପାଖରେ ଥିଲା, ଏ ନିଶ୍ଚୟ କୌଣସି ଗୁରୁତର ରହସ୍ୟ ସମ୍ବନ୍ଧୀୟ । ଆାଉ ଏହି ଚିଠି ବଳରେ ହିଁ ଲୋକଟା ସୋମନାଥଙ୍କୁ ଏପରି କରୁଛି-। ସୁତରାଂ ନ ପଢ଼ି ଆଜି ରାତିରେ ନେଇ ସୋମନାଥଙ୍କୁ ଦେଇ ଖସିବାର ଠିକ୍ କରି ମୁଁ ମୋ ଦୁଃଖ ଧନ୍ଦାରେ ଲାଗିଲି ।

 

ସନ୍ଧ୍ୟାବେଳେ ଦେଖିଲି, ପଦ୍ମା ଅତି ଚମତ୍କାର ବେଶଭୂଷା ହୋଇ, ଦର୍ପଣଟେ ଧରି ନିଜ ମୁହଁକୁ ନିଠେଇ କରି ଥରେ ଦେଖିଲା, ତା’ପରେ ହାସ୍ୟର ଗୋଟିଏ ନିରବ କ୍ଷୁଦ୍ର ଅଫୁଟନ୍ତ ଆଭା ତା’ର ମୁଖର ଦୁଇ କୋଣରେ ଦେଖାଗଲା । ସେତିକି । ଏ ସାଜ ଦେଖି ମୋର ଅନ୍ତରାତ୍ମା କାନ୍ଦି ଉଠିଲା । ମୁଁ ସେତିକିବେଳୁ ପଦ୍ମାର ପିଛା କଲି । ଅଭାଗିନୀ ରମଣୀ ନିଜର ବାହ୍ୟ ସୌନ୍ଦର୍ଯ୍ୟରେ ସଂସାରକୁ କ୍ଷଣକାଳ ନିମନ୍ତେ ମୁଗ୍ଧକରି ରଖିଲେ ସୁଦ୍ଧା ନିଶା ଛାଡ଼ିଗଲେ ଚପଳ ପୁରୁଷ ଜାତି ତାକୁ ଅବହେଳାରେ ଗୋଡ଼ରେ ଫିଙ୍ଗିଦିଏ । ସେତେବେଳେ ଅବୋଧ ସ୍ତ୍ରୀର ହୃଦୟ ଯମକୁ ମଧ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ କରିବା ଅଭିପ୍ରାୟରେ ଏହିପରି ବେଶ ବାନ୍ଧେ । ରାତି ଘଡ଼ିଏ ଖଣ୍ଡେ ହେଲାବେଳକୁ ଦେଖିଲି ପଦ୍ମା ନିଜର ଶୋଇଲା ଘରେ ଗୋଟିଏ ଦୀପ ଜାଳି ବଡ଼ ଯତ୍ନରେ ବହୁତ ପରିଶ୍ରମ କରି ପଲଙ୍କ ଉପରେ ଶେଯ ପକାଉଛି । ବେଳେବେଳେ ଶଙ୍କିକରି ପଛକୁ ଚାହୁଁଛି-। ଯେପରି ନବବଧୂ ସ୍ୱାମୀର କିଛି କାର୍ଯ୍ୟ ଶାଶୂ ନଣନ୍ଦଙ୍କୁ ଲୁଚାଇ କରୁଥାଏ । ପାନଗୁଡ଼ିଏ ଭାଙ୍ଗି ପାନଡିବାରେ ସଜାଡ଼ି ତକିଆ ପାଖରେ ରଖିଲା । ପିକିଦାନୀଟି ପରିଷ୍କାର କରି ପଲଙ୍କ ତଳେ ସଜାଇ ରଖିଲା । ଯେମିତି ଆଜି ତା’ର ମଧୁଶଯ୍ୟା ! ତା’ପରେ ପଲଙ୍କ ତଳେ ଖଣ୍ଡିଏ ମସିଣା ପକାଇ ଗାଲରେ ହାତ ଦେଇ ବସିରହିଲା । ଆହା ! କି ସୁନ୍ଦର ସେ କୁଟିଳ ମୁଖ ! ଯେପରି ସ୍ୱର୍ଗର ଅପ୍ସରା ମର୍ତ୍ତରେ ଜନ୍ମ ଲଭି ସ୍ୱର୍ଗ ଚିନ୍ତାରେ ବ୍ୟାକୁଳ । କିଛି ସମୟ ପରେ ନୀଳକୁ ସେ ଘରଆଡ଼େ ଦେଖି ଆଶ୍ଚର୍ଯ୍ୟ ହେଲି । ଯାହାହେଉ ପଦ୍ମା ଯେ ଏତେ ସାଜବାଜ କାହିଁକି ଯେ କରୁଥିଲା, ତାହା ଜଣାପଡ଼ିଲା । ମୁଁ ଲୁଚିକରି ଦେଖୁ‌ଥାଏ, ନୀଳ ଦୁଆର ମୁହଁକୁ ଆସି ଘର ଭିତରକୁ ନଜର ପକାଇବା ମାତ୍ରେ ଦୁପ୍ କରି ଠିଆ ହୋଇଗଲା, ଯେପରି ତା’ ଆଗରେ ନନ୍ଦନକାନନର ଗୋଟିଏ ଅଂଶ ଉଜ୍ଜ୍ୱଳି ଉଠିଲା । କିନ୍ତୁ ପର ମୁହୂର୍ତ୍ତରେ ସେ ଆତ୍ମସମ୍ବରଣ କରିନେଇ ସେହି ଦୁଆର ମୁହଁରେ ଠିଆହୋଇ ପଚାରିଲା, ’ପ୍ରୟୋଜନ କ’ଣ ?’

 

ପଦ୍ମା–‘‘ପ୍ରୟୋଜନ ତ ଅଛି । ଟିକିଏ ବସ, କହୁଚି । ନାଇଁ, ନାଇଁ ଏଇ ପଲଙ୍କ ଉପରେ-।’’

 

ନୀଳ–‘‘ନା, ଦରକାର ନାହିଁ, ଏ ଭୁଇଁରେ ଖୁବ୍ ହବ ।’’ ତା’ପରେ ଉଠିଯାଇ ଖଣ୍ଡେ ପିଢ଼ା ଆଣି ତା’କୁ ମାଡ଼ି ବସିଲା । ପଦ୍ମା ପାନବଟାଟା ଆଣି ପାନ ଖଣ୍ଡିଏ ଧରି କହିଲା ‘‘ମୋ ରାଣଟି, ଏ ପାନ ଖଣ୍ଡି ଖାଅ ।’’

 

ନୀଳ–‘‘ନା, ପ୍ରୟୋଜନ ନାହିଁ, ପାନ ଖାଇଚି ।’’

ପଦ୍ମା–‘‘ମୋର ମିନତି ରକ୍ଷା କରି ଖାଇବ ନାହିଁ ?’’

 

ନୀଳ–‘‘ଗୋଟେ କଳରେ ତ ପାନ ଅଛି, ଆଉ ଖାଇବି କିପରି ? ଦେଖ, ଏ ବୃଥା ବାଗ୍‌ବିତଣ୍ଡାରେ ସମୟ ନଷ୍ଟ କରିବାର ଅଧିକାର ମୋର ନାହିଁ, ତୁମର ଯଦି କିଛି କହିବାର ଥାଏ, ତାହାହେଲେ ଚଞ୍ଚଳ କହ ।’’

 

ପଦ୍ମା–‘‘ତୁମେ’’ ନ କହି ‘ତୁ’ କହିଲେ କ’ଣ ଦୋଷ ଅଛି ?’’

ନୀଳ–‘‘ଆଃ, ବେଳ ଯାଉଚି ଯେ ।’’

 

ତା’ପରେ ପଦ୍ମା ଗୋଟିଏ ଗିନାରେ ମୁନ୍ଦିଏ ପାଣି ନେଇ ତା’ର ଗୋଡ଼ ପାଖରେ ରଖିଦେଲା । ନୀଳ ପଚାରିଲା, ‘‘ଏ କ’ଣ ?’’

 

ପଦ୍ମା–‘‘ଆଜି ତ ଦେଖିପାରିଲି ନାହିଁ; ପାଦୋଦକ ପାଇ ନାହିଁ, ଟିକିଏ ପାଦୋଦକ ଦେଇଯାଅ ।’’

 

ନୀଳ ଆସ୍ତେ କରି ଗିନାଟିକୁ ଆଡ଼େଇ ଦେଇ କହିଲା ‘‘ଶୁଣ, ସେ ସୁଆଙ୍ଗ କରିବାର ଦିନ ଯାଇଚି । ବର୍ତ୍ତମାନ କୌଣସି ମତେ ଦାଣ୍ଡରେ ହୀନସ୍ତା ନ ହୋଇ, ଲୋକହସାରୁ ରକ୍ଷା ପାଇ, ଚଳିବାର କଥା । ସେଇତି ପାଇଁ ତୁମ ଚିଠିପାଇ ମୁଁ ଆସିଲି । ନ ଆସିଲେ କାଳେ ଚାକର ବାକରଗୁଡ଼ାକ କ’ଣ ଭାବିବେ । କିନ୍ତୁ ତମେ ଯିମିତି ଗୁଡ଼େ ଫାର୍ସ ଆରମ୍ଭ କଲଣି ସେଥିରେ ବୋଧହୁଏ ମତେ ଆଉ ଆସିବାକୁ ହବ ନାହିଁ ।’’

 

ପଦ୍ମା ଢୋକ ଗିଳି ‘‘ସ୍ୱାମୀ ପ୍ରଭୋ’’ ଏତିକି କହିଲା । ଓଃ ସେ କି ବାକ୍ୟ ! ସେଥିରେ ତାହାର ସମୁଦାୟ ହୃଦୟ, ମନ, ଆତ୍ମା, ପ୍ରବୃତ୍ତି ଏକହୋଇ ଯେପରି ବାହାରି ଆସିଲା ! ତା’ପରେ ସେ ଦୁଲ୍‌କରି ନୀଳର ଗୋଡ଼ତଳେ ପଡ଼ିଯାଇ ତା’ର ଗୋଡ଼ ଦୁଇଟି ସାଉଁଟି ଧଇଲା । ‘‘ଦୋଷ କଲେ କି କ୍ଷମା ପାଇବାର ନାହିଁ ? ମୁଁ ଯେ ତୁମର ପୋଇଲି’’ । ନୀଳର ମନରେ କ’ଣ ହେଲା କେଜାଣି ସେ ତାକୁ ଉଠେଇ କୁଣ୍ଢେଇ ଧରି, ବଦ୍ଧ ପ୍ରକୃତିର ପୂର୍ଣ୍ଣ ଆବେଗରେ, ଋଦ୍ଧ ଅନୁରାଗର ପୂର୍ଣ୍ଣ ଉଚ୍ଛ୍ୱାସରେ ଥରେ ଦୁଇଥର ପଦ୍ମାର ଅଧର ଚୁମ୍ବନ କଲା । ତା’ର ପରେ ପୁରୁଷଠାରୁ ଯାହା ଆଶା କରାଯାଏ ତାହା ହେଲା । ସେ ମୁହୂର୍ତ୍ତକ ଭିତରେ ପଥର ପାଲଟି ଯାଇ ପଦ୍ମାର ଅବନତି ଶରୀରକୁ ପଛକୁ ଠେଲି ଦେଇ କହିଲା ‘‘ପଦ୍ମା, ତୋର ଏ ପଶୁ ପ୍ରଲୋଭନରେ ଭୁଲି ଯାଇ ମୋର ମନରେ ନିଜ ପ୍ରତି ଯେ ଘୃଣା ଆସିଚି, ତା କହିବା ନିଷ୍ପ୍ରୟୋଜନ । ଦିନ ଥିଲା ଯେତେବେଳେ ତୋର ସ୍ପର୍ଶରେ ମୋର ଶିରା ପ୍ରଶିରାରେ ବିଦ୍ୟୁତ୍‌ ବହି ଯାଉଥିଲା । ସେ ଦିନ ତ ଆଉ ନାହିଁ । ଯାହା ପ୍ରକୃତ କଥା ସେଇଟାକୁ ଘୋଡ଼ାଇ ରଖି ପ୍ରଲୋଭନରେ ଘାଣ୍ଟି ହେବାରେ କି ସୁଖ ଅଛି ? ତୁ ମୋର ସ୍ନେହରେ ସନ୍ତୁଷ୍ଟ ନୋହୁ, ଜାଣିଥିଲେ ଆଗରୁ, ମୁଁ ଏତେଦୂର ହୋଇ ନ ଥାନ୍ତି । ଯାଉ, ଏଣିକି ମୁଁ ଆଉ ତୋ ବାଟରେ କଣ୍ଟା ପକାଇବାକୁ ଇଚ୍ଛା କରେ ନାହିଁ । ତୁ ତୋ ସୁଖରେ ରହ । ମୁଁ ବେଶ୍ୟାର ଭାଡ଼ୁଆ ହୋଇ ରହିବାକୁ ଗୌରବ ମନେ କରେ ନାହିଁ । ସୁତରାଂ ମୁଁ ମଧ୍ୟ ମୋ ପଥ ଦେଖିବି । କେବଳ ସଂସାରର ଅପବାଦ, ଉପହାସ ଏଡ଼ାଇବାପାଇଁ ତୋ ମୋ ଭିତରେ ଯେତିକି ଘନିଷ୍ଠତା ପ୍ରୟୋଜନ, ସେତିକି ଉପରେ ଉପରେ ଥାଉ, ଅବଶ୍ୟ ୟା ଭିତରେ ଭାବି ଠିକ୍ କରିପାରିଲେ ମୁଁ କିଛିଦିନ ଯାଇ କଟକରେ ରହିବି । ଯାଏଁ, ଆଉ ଡକାଇବୁ ନାହିଁ’’ । ଏତିକି କହି ସେ ସେ ସ୍ଥାନରୁ ଫଡ଼୍‌କରି ବାହାରିଗଲା । ପଦ୍ମା ପଥର ପାଲଟି ଗଲାପରି କିଛି ସମୟ ଠିଆ ହୋଇ ରହିଲା, ତା’ ପରେ ପଛଘୁଞ୍ଚା ଦେଇ ପଲଙ୍କ ଉପରେ ପଡ଼ିଗଲା ।

Image

 

ଖୁଣି

 

ପୁରୁଷ ନାରୀକୁ ମୋଟେ ଚିହ୍ନେ ନାହିଁ । ତା’ ହୃଦୟ ମୋଟେ ବୁଝେ ନାହିଁ । ନୀଳ ଯେତେବେଳେ କହିଗଲା ‘ତୋ ସୁଖରେ ତୁ ରହିବୁ’ ସେତେବେଳେ ସେ ଭାବିଥିଲା, ଯେପରି ସେ ପଦ୍ମାର ପ୍ରତି କେଡ଼େବଡ଼ ଅନୁଗ୍ରହଟେ କରିଗଲା । ପଦ୍ମା ବ୍ୟଭିଚାରିଣୀ, ସେ ତ ତାକୁ ମାରି ପାରିଥାନ୍ତା; କିନ୍ତୁ ସେ ଯେତେବେଳେ ସେପରି କିଛି ନ କରି, ସେ ଯୁ ସା’ନ୍ତାଣି ଥିଲା ସେଇ ସା’ନ୍ତାଣୀ କରି ରଖିଗଲା, ସେତେବେଳେ ପଦ୍ମାର ଆଉ ଭାବନା କ’ଣ ? କିନ୍ତୁ ନାରୀର ହୃଦୟରେ ନିଷ୍ଠୁର ବ୍ୟବହାର ଯେତେ କଷ୍ଟ ଦିଏ ନାହିଁ, ଉଦାସୀନତା ତା’ଠାରୁ ବେଶି ଦିଏ । ସ୍ୱାମୀ ତାକୁ ଲଙ୍ଘା ମାଡ଼ ଦେଇ ପକାଇ ଦେଇପାରେ, ସେ ସବୁ ସହିବ, ସବୁ ନିର୍ଯ୍ୟାତନା ସତ୍ୱେ ଓ ପଦେ ମଧୁର କଥା, ପଦେ ଆଶ୍ୱାସନା ବାକ୍ୟ, ଟିକିଏ ସ୍ନେହର ହାସ୍ୟରେ ସେ ସବୁ ଧୋଇଯାଏ, ସବୁ ପାସୋରି ଯାଏ । କିନ୍ତୁ ଉଦାସୀନତା ! ପରହୋଇ ରହିବା ସ୍ତ୍ରୀଜାତିର ହୃଦୟ ମୋଟେ ସହିପାରେ ନାହିଁ । ତୁମେ ତାକୁ ନ ଚାହିଁଲେ ତା’ ମନରେ ଯେ କେତେ କଷ୍ଟ, ତାକୁ ଚାହିଁ ଦି ପଦ ବକି ଦେଲେ ତା’ର କାଣିଚାଟାଏ କଷ୍ଟ ହୁଏ ନାହିଁ । ଯେତେବେଳେ ସ୍ତ୍ରୀ ଗୋଟାଏ ଲୋକକୁ ଭଲ ପାଏ, କିନ୍ତୁ ସେ ଲୋକଟା ତାକୁ ପର ବୋଲି ଭାବେ, ସେତେବେଳେ ସେ ସ୍ତ୍ରୀ ପ୍ରକୃତରେ ନରକ ଯନ୍ତ୍ରଣା ଭୋଗ କରେ ।

 

ନୀଳ ଏ କଥା ନ ଜାଣି ପାରିଥାଏ, କିନ୍ତୁ ମୁଁ ଜାଣିଚି । କାରଣ ମୁଁ ସହିଚି । ପଦ୍ମାର ମନରେ ଯେ କଷ୍ଟ ଯେ ଯନ୍ତ୍ରଣା ତା’, ଅତି ଭୀଷଣ, ପ୍ରକାଶ କରିବାର ଶକ୍ତି ନାହିଁ । ଅନ୍ୟକୁ କହି ତା’ଠାରୁ ସହାନୁଭୂତି ପାଇବାର ଆଶା ନାହିଁ, ଉପଶମ କରିବାର ଚେଷ୍ଟା ଏକାବେଳକେ ଅସମ୍ଭବ । ତା’ ଜୀବନର ଏଇ ଶେଷ ମୁଁ ବୁଝିଲି । ବୁଝି ତାହାର ପ୍ରତିକାର କରିବା ନିମନ୍ତେ ଅଣ୍ଟା ବାନ୍ଧି ବାହାରି ପଡ଼ିଲି । ନୀଳ ଯେ ଗୋଟେ ବଡ଼ ପ୍ରମାଦରେ ପଡ଼ି ବୁଲୁଚି, ଏଥିରେ ସନ୍ଦେହ ନାହିଁ । ପଦ୍ମା, ସତୀ, ସାଧ୍ୱୀ । ସେଦିନର କଥାଗୁଡ଼ାକ ଯେ ଶୁଣିଥିବ ସେ କେବେ ତାକୁ ଅବିଶ୍ୱାସ କରି ନ ପାରେ ।

 

ପଦ୍ମା ଯେ ସବୁକଥା ସେଦିନ ଖୋଲି ନୀଳକୁ କହିନାହିଁ, ତା’ର କାରଣ ବୋଧହୁଏ ଯେ ସୋମନାଥଙ୍କ ପାଖକୁ ସେ କାହିଁକି ଯାଇଥିଲା, ତା’ର କାରଣ କହିବାକୁ ଯାଇଥିଲେ, ସୋମନାଥ ତା’ର କେଉଁ ଗୁପ୍ତ ରହସ୍ୟଟି ଜାଣନ୍ତି, ତା’ ମଧ୍ୟ ପ୍ରକାଶ କରିବାକୁ ପଡ଼ିଥାନ୍ତା । ବୋଧହୁଏ, ସେ ରହସ୍ୟର ମୂଳରେ ଏପରି କିଛି ଅଛି, ଯାହା ଅନ୍ୟ ଜାଣିବାରେ ପଦ୍ମାର ଆପତ୍ତି ଯଥେଷ୍ଟ । ସେଦିନର ସମସ୍ତ କାଣ୍ଡ ଜାଣନ୍ତି ତିନିଜଣ, ମୁଁ, ପଦ୍ମା ଏବଂ ସୋମନାଥ । ପଦ୍ମା ଯେତେବେଳେ ନ କହିଚି, ଅବଶ୍ୟ କାରଣ ଥାଇ ନ କହିଚି । ମୁଁ ଯଦି ଇଲେ ଯାଇଁ ନୀଳକୁ ସେଦିନ ସୋମନାଥଙ୍କ ସହିତ ପଦ୍ମାର ସବୁକଥା କହି ତା’ର ପ୍ରମାଦ ଦୂର କରିବାର ଚେଷ୍ଟା କରେ, ତାହାହେଲେ ମୂଳ କାରଣ ପଦ୍ମାର ଗୁପ୍ତ ରହସ୍ୟଟି ପ୍ରକାଶ କରି ନ ପାରି ନୀଳକୁ ସନ୍ତୁଷ୍ଟ କରିପାରିବ ନାହିଁ । ସୁତରାଂ ମୁଁ ଭାବି ଦେଖିଲି ସେଇ ରହସ୍ୟଟି ଜାଣିଲେ ମୁଁ ନୀଳକୁ ଏବଂ ପଦ୍ମାକୁ ସୁଖୀ କରିପାରିବି-। କିନ୍ତୁ କି ଉପାୟରେ ? ମତେ ଗୋଟେ ବୁଦ୍ଧି ଦିଶିଗଲା । ସୋମନାଥଙ୍କ ସମ୍ବନ୍ଧରେ ଯେ କାଗଜପତ୍ରଗୁଡ଼ାକ ମୁଁ ଗୁରୁବାରିଆ ମା’ ଘରୁ ଚୋରି କରି ଆଣିଚି ତାରି ସାହାଯ୍ୟରେ ଚେଷ୍ଟା କଲେ ସୋମନାଥଙ୍କଠାରୁ ସବୁ କଥା ଆଦାୟ କରିପାରିବି, ଭୟ ଦେଖାଇ ହେଉ ବା ତାଙ୍କର ଉପକାର କରି ପ୍ରତ୍ୟୁପକାର ସ୍ୱରୂପ ହେଉ ।

 

ଏଇ ଆଶାରେ ମୁଁ ସେଦିନ ରାତିରେ ମନରେ ବଡ଼ ସାହସ ବାନ୍ଧି ସମସ୍ତେ ଖାଇ ପିଇ ସାରି ଶୋଇଲା ପରେ ସୋମନାଥଙ୍କ ଘର ଆଡ଼କୁ ଆସ୍ତେ ଆସ୍ତେ ଗଲି ।

 

ଦେଖିଲି ଦୁଆରଟା ବାହାର ପଟୁ ଶିକୁଳି ଦିଆ । ଏ କିପରି ? ସୋମନାଥ ଏତେ ରାତିରେ କୁଆଡ଼େ ? ଶିକୁଳିଟା ଫିଟାଇ ଦେଲି । ଚନ୍ଦ୍ରପକ୍ଷ ରାତି, ଚନ୍ଦ୍ରକିରଣର ଗୋଟିଏ ଧାର ମେଲା ଦୁଆର ବାଟେ ବହିଆସି ହତାଶ ମନରେ ଆଶାର କ୍ଷୀଣରେଖା ପରି, ଘରର ଅଧେ ଆଲୁଅ କରିଦେଲା । ମୁଁ ସେହି ଆଲୋକ ଅନ୍ଧାରରେ ଦେଖିଲି ଖଟ ଉପରେ ଜଣେ କିଏ ଶୋଇଚି । ଭାବିଲି ଚାକର ବାକର ଭିତରୁ ଗୋଟେ କିଏ ଆସିଥିଲା, ଭୁଲରେ ଶିକୁଳିଟା ଦେଇ ଯାଇଚି । ମୁଁ ଅତି ଧୀରେ ଖଟ ପାଖକୁ ଯାଇ ଡାକିଲି ‘ସୋମନାଥବାବୁ, ସୋମନାଥବାବୁ’, କିଛି ଉତ୍ତର ନାହିଁ । ଆଉରି ଛ ସାତ ଥର ଡାକିଲି, ତଥାପି କିଛି ନାହିଁ ! କାନ ପାଖରେ ମଧ୍ୟ ମୁହଁ ନେଇ ଡାକିଲି, ତେବେ ହେଲେ ମଡ଼ା ପରି, ଜ୍ଞାନଥିବାର କୌଣସି ଚିହ୍ନ ମିଳିଲା ନାହିଁ । ମୋ ମନରେ ସନ୍ଦେହ ହେଲା । ସୋମନାଥଙ୍କର କୁକୁର ନିଦ, ମୂଷାଟେ ଖଡ଼ କରି ଚାଲିଗଲେ ତାଙ୍କର ନିଦ ଭାଙ୍ଗିଯାଏ, ଏ ତେବେ କିଏ ? ଆସ୍ତେ ଆସ୍ତେ ଫେରି ମୋ ଘରକୁ ଆସିଲି; ଗୋଟେ ଦୀପ ନେଇ ଫେରିଗଲି । ଯାଇ ଯାହା ଦେଖିଲି ସେଥିରେ ମୋର ଚକ୍ଷୁ ସ୍ଥିର ହୋଇଗଲା, ହୃଦୟରେ ସ୍ପନ୍ଦନ ବନ୍ଦ ହୋଇ ଆସିଲା । ମୁଁ ଥରି ଥରି ମାଟିରେ କିଛି ସମୟ ବସି ପଡ଼ିଲି । ମୋର ମନରେ ଆଉ କିଛି ଆସିଲା ନାହିଁ । କେବଳ ସେହି ଭୀଷଣ ଦୃଶ୍ୟ ! ସେଇ ପିଶାଚଭୋଜୀର କରାଳ ଅବସାନ !

 

ସୋମନାଥ ଖଟ ଉପରେ ଶୋଇ ରହିଛନ୍ତି, ତାଙ୍କ ମୁହଁରେ ଗୋଟିଏ ତୁଣ୍ଡି । ରକ୍ତର ଧାର ବହିଆସି ତାଙ୍କର କପାଳ, ଗାଲରେ ଜମାଟ ବାନ୍ଧି ଯାଇଚି । ମୁହଁର ବର୍ଣ୍ଣ ଶ୍ୱେତା, ଯେପରି ପ୍ରାଣ ନାହିଁ ! ମୁଣ୍ଡରେ ଗୋଟିଏ ଗାମୁଛା ବନ୍ଧା ହୋଇଚି, ସେଇଟା ରକ୍ତରେ ଓଦା । ଘରଯାକ ତାଙ୍କର ଜିନିଷପତ୍ର ଗୁଡ଼ାକ ଏଠାରେ ସେଠାରେ ପଡ଼ିଚି, ଯେପରି କେହି ତରତର ହୋଇ କଣ ଖୋଜୁଥିଲା । ଘରର ମଝିରେ ମନ୍ଦାଏ ରକ୍ତ, ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଯମର ରକ୍ତନେତ୍ର ପରି, ଅଥବା ଗୌରବର ଜ୍ୱଳନ୍ତ ଅଗ୍ନିପରି, ଦର୍ଶକର ମୁହଁକୁ ଚାହିଁ ରହିଚି ! ବିନ୍ଦୁ ବିନ୍ଦୁ ରକ୍ତ ସେସ୍ଥାନରୁ ବହି ଖଟ ପର୍ଯ୍ୟନ୍ତ ଯାଇଚି । ଆତଙ୍କରେ ମୋର ଜ୍ଞାନ ହଜିଗଲା । ମୁଁ କ’ଣ କରିବି ଠିକ୍‌ କରି ନ ପାରି ଅନେକ ସମୟ ସେଠାରେ ନିରବରେ ଠିଆ ହୋଇ ରହିଲି । ତାପରେ ଫେରିଯିବାପାଇଁ, ଯେତେବେଳେ ବୁଲିଲି, ଦେଖିଲି ନୀଳ ଦୁଆର ମୁହଁରେ । ସେ ମତେ ଦେଖି ଆଶ୍ଚର୍ଯ୍ୟ ହେଲା । ମୁଁ କିନ୍ତୁ ନିରବରେ ସେ ରକ୍ତ ଆଡ଼କୁ ଅଙ୍ଗୁଠି ଦେଖାଇ ଠାରି ଦେଲି । ସେ ତାକୁ ଦେଖି ଚମକି ପଡ଼ିଲା-। କିନ୍ତୁ ତା’ପରେ ପ୍ରକୃତିସ୍ଥ ହୋଇ ଖଟ ପାଖକୁ ଗଲା । ନୀଳକୁ ଦେଖି ମୋର ମଧ୍ୟ ସାହସ ଆସିଚି-। ମୁଁ ତା’ ସଙ୍ଗରେ ଗଲି । ଲୁଗା କାଢ଼ି ଦେଲାରୁ ଦେଖିଲୁଁ ତାଙ୍କର ହାତଗୋଡ଼ ମଧ୍ୟ ଖଟ ଖରାରେ ବନ୍ଧା । ମୁଁ ଆଉ ନୀଳ ତାଙ୍କର ତୁଣ୍ଡି ବନ୍ଧା ଫିଟାଇ ଦେଲୁଁ । ନୀଳ ମାଣ୍ଡି ଚିରି ସେଥିରୁ ତୁଳା ଟିକିଏ ବାହାର କରି ସୋମନାଥଙ୍କର ନାକ ପୁଡ଼ା ପାଖେ ଧଇଲା । ଅନେକ ସମୟ ପରେ ଟିକିଏ ନିଶ୍ୱାସ ବଡ଼ କ୍ଷୀଣ ଭାବରେ ଚାଲୁଥିବାର ଅନୁମାନ ହେଲା । ନାଡ଼ି ଦେଖିଲା, ସେ ମଧ୍ୟ ସେହିପରି ଦୁର୍ବଳ । ତା’ପରେ ନୀଳ ମତେ କହିଲା, ‘‘ଶୀଘ୍ର ଯାଇ ରାମାକୁ ଡାକି ଦିଅ । ମୁଁ ଏଠାରେ ଅଛି’’ । ରାମା ଉଠିଲା ବହୁତ କଷ୍ଟରେ । ନୀଳ ତାକୁ କହିଲା ‘‘ତୁ ମୋ’ ସାଇକଲଟା ନେଇ ଶୀଘ୍ର ସହରକୁ ଯା’’ ଏ ଚିଠି ଖଣ୍ଡ ହରେକୃଷ୍ଣବାବୁ ଡାକ୍ତରଙ୍କୁ, ଏଉଟା ଓକିଲ ବାବୁଙ୍କୁ, ଆଉ ଏଉଟା ଫାଣ୍ଡିରେ ଦେଇଦବୁ’’ । ଏସବୁ କାଣ୍ଡ ଦେଖି ରାମାର ଜ୍ଞାନ ହଜି ଗଲାଣି । ସେ ସେସ୍ଥାନରୁ ରକ୍ଷା ପାଇବା ପାଇଁ ଦଉଡ଼ି ପଳେଇଲା ।

Image

 

ସୋମନାଥଙ୍କର ଆତ୍ମକଥା

 

ଡାକ୍ତର ଆସିବାକୁ ପ୍ରାୟ ଦୁଇଘଣ୍ଟା ଡେରି ଲାଗିଲା । ୟା ଭିତରେ ସୋମନାଥଙ୍କର ମୁହଁରେ ପାଣିମାରି ବହୁତ ଛିଞ୍ଚାବିଞ୍ଚା କଲା ପରେ ତାଙ୍କର ଟିକିଏ ଚେତନା ଆସିଲା । ସେ ଆସ୍ତେ ଆସ୍ତେ ଆଖି ମେଲି ଚାହିଁଲେ । ଆମ୍ଭଙ୍କୁ ତାଙ୍କ ପାଖରେ ଦେଖି ଆଶ୍ଚର୍ଯ୍ୟ ହେଲେ, ତା’ପରେ ଆସ୍ତେ ଆସ୍ତେ ହାତ ନେଇ ମୁଣ୍ଡ ଦରାଣ୍ଡିଲେ, ତାଙ୍କର ପୂର୍ବଜ୍ଞାନ ଫେରି ଆସିଲା । ସେ ଚାରି ଆଡ଼କୁ ଥରେ ଆଖି ବୁଲାଇ ଅନାଇଲେ । ତା’ପରେ ଟିକିଏ ଆଶ୍ୱସ୍ତ ହୋଇ କ’ଣ କହିବାକୁ ଯାଉଥିଲେ, ନୀଳ ତାଙ୍କୁ ମନାକଲା । ତା’ପରେ ସୋମନାଥ ଆସ୍ତେ ଆସ୍ତେ ଅଣ୍ଟାରେ ହାତ ବୁଲାଇ ଖଣ୍ଡେ କାଗଜ କ’ଣ ବାହାର କରି ନୀଳ ହାତକୁ ଦେଲେ । ନୀଳ ତାକୁ ଥରେ ପଢ଼ିବାକୁ ଆରମ୍ଭ କରି ଶେଷ କରି ପାରିଲା ନାହିଁ । କାଗଜଟା ହାତରୁ ପଡ଼ିଗଲା, ମୁଁ ଗୋଟାଇ ନେଇ ପଢ଼ିଲି, ପଦ୍ମା ଲେଖିଚି

 

ଶଇତାନ,

 

ମୁଁ କହି ଆସିଥିଲି ତୋର ଇଚ୍ଛାପୂର୍ଣ୍ଣ ହେବ ନାହିଁ । ମୁଁ ବିଧବା, ଶାସ୍ତ୍ର ମତରେ ବେଶ୍ୟା ! ମୋ ସ୍ୱାମୀଙ୍କର ମୋ ଉପରେ ଯେ ଅଧିକାର ତୋର ମଧ୍ୟ ସେଇ ଅଧିକାର ? ଭ୍ରମ, ମୁଁ ବିଧବା ନୁହେଁ, ସଂସାର କହିଲେ ମଧ୍ୟ ମୁଁ ମାନିବାକୁ ସ୍ୱୀକୃତା ନୁହେଁ । ମତେ ଧରି ମାରି ଯାହା ସହିତ ବିବାହ କରାଇଥିଲ, ତା’ ସହିତ ମୋର କିଛି ସମ୍ବନ୍ଧ ନ ଥିଲା, ତା’ର ନାମ ପର୍ଯ୍ୟନ୍ତ ମୁଁ ଜାଣେ ନାହିଁ; ତା’ ପାଇଁ ହୃଦୟରେ ଟିକିଏ ମାତ୍ର ସ୍ପନ୍ଦନ ଆସିନାହିଁ । ସେ ମୋର ସ୍ୱାମୀ ହେବ କିପରି ? ମୋର ସ୍ୱାମୀ ଦେବତା, ଯାହାଙ୍କୁ କାଶୀ ବିଶ୍ୱନାଥଙ୍କ ଚରଣତଳେ ପ୍ରଥମଥର ଦେଖି ଚିହ୍ନିଥିଲି, ତାଙ୍କରି ପ୍ରସାଦରୁ ପାଇଚି, ଭାବିଚୁ କି ସୋମନାଥ ତୋର ଏ ଅତ୍ୟାଚାରରେ ତାଙ୍କୁ ଛାଡ଼ି ଦେବି ବୋଲି ? ସଂସାର ସମାଜ ମୋର କରିପାରେ କ’ଣ ? କାହିଁକି କାହାର ମନ ନେବାପାଇଁ ମୁଁ ମୋର ଜୀବନ ତ୍ୟାଗ କରିବି ? ଆତ୍ମୋତ୍ସର୍ଗ ଦେବି ? ମୁଁ ଗରିବ ହୋଇଥିଲେ, ନିଃସହାୟ ହୋଇଥିଲେ, ଦୁର୍ବଳ ହୋଇଥିଲେ, ସଂସାରକୁ ଦେଖି ଡରିଯାନ୍ତି; ସମାଜ ତା’ର ବିଷଦନ୍ତରେ ମତେ କ୍ଷତ କରି ପାରିଥାନ୍ତା-। କିନ୍ତୁ ମୋର ଅଚଳାଚଳ ସମ୍ପତ୍ତି, ଦେବତା ପ୍ରମାଣ ସ୍ୱାମୀ, କୋଟିସିଂହର ପରାକ୍ରମ । ଇଚ୍ଛା କଲେ ସମାଜର ଛାତି ଉପରେ ଚାଲିଯାଇପାରେ । ନା, ନା ମୋର ଏ ଦମ୍ଭ ଅକାରଣ ! ବିଧାତା ମୋ ପ୍ରତି ବାମ, ସେଇ ହେତୁରୁ ଆଜି ଯାଉଚି; କିନ୍ତୁ ଦେଖ, ତୁ ମତେ ବିଧବା ବୋଲି କହିଥିଲୁ, ତୋରି ଆଗରେ ଅହ୍ୟଡେଙ୍ଗୁରା ବଜାଇ ଯିବି । ହା, ହା, ହା ନିରାଶ ହେଲୁ ଶଇତାନ୍‌? ମୋ’ଠାରୁ ଟଙ୍କାନେବୁ ? ମତେ ଦଗଦହନ କରିବୁ ? କର ଏ ଥରକ ତୋର ଇଚ୍ଛା ମତେ ! ଯାଉଚି, କିନ୍ତୁ ମୋର ତପ୍ତ ଅଭିଶାପ ତୋ’ପରି ଅଧମ ପାଷାଣ୍ଡମାନଙ୍କୁ କୋଳରେ ଧରିଚି ଯେ ସମାଜ ତା’ ଉପରେ ଶତବର୍ଷବ୍ୟାପୀ ରହିଲା । ଇତି । ପଦ୍ମା,

 

ଚିଠି ପଢ଼ି ମୋର ମୁଣ୍ଡ ଘୂରିଗଲା । ପଦ୍ମା ଯେ ପ୍ରକୃତରେ ବିଧବା, ତା’ ଜୀବନର ଗୁପ୍ତ ରହସ୍ୟ ଯେ ସେଇ ସେ କଥା ଆଉ ମନରେ ତିଳାର୍ଦ୍ଧେ ସମୟ ପାଇଲା ନାହିଁ । ସେ ଯେ ଆତ୍ମହତ୍ୟା କରି ସାରିବଣି । ମୁଁ ବୁଲି ଚାହିଁଲି, ନୀଳ ଆଉ ନାହିଁ । ଯିବାକୁ ହେଉଚି, ସୋମନାଥ ମୋତେ କାତର ସ୍ୱରରେ ଡାକିଲେ ‘‘ମଣି ନାନୀ ଟିକିଏ ରହିବ ନାହିଁ ?’’ ମୁଁ ଫେରିଲି, ସେ କହିଲେ ‘‘ମୁଁ ଯେ ଏଥିରୁ ବଞ୍ଚିବି ସେ ଆଶା ବଡ଼ କମ୍‌; ମୋର ଦିହ ଝାଇଁ ଝାଇଁ ହୋଇଯାଉଚି । ପ୍ରତି ମୁହୂର୍ତ୍ତରେ ବେଶୀ ବେଶୀ ଦୁର୍ବଳ ଲାଗୁଚି । ମୋର କେତେଗୁଡ଼ିଏ କଥା ଅଛି, ସେଗୁଡ଼ିକ କହି ନ ଗଲେ ପଦ୍ମା ପ୍ରତି ଓ ମୋ ନିଜ ପ୍ରତି ବଡ଼ ନିର୍ଦ୍ଦୟ ହେବାକୁ ପଡ଼ିବ । ଇଛାଥିଲା ଚିଠିଟା ଦବା ପୂର୍ବରୁ ନୀଳକୁ ସବୁ କଥା ଖୋଲି କହିଥାନ୍ତି; କିନ୍ତୁ ପଦ୍ମାର ବିପଦ ଅନୁମାନ କରିପାରିଲି ନାହିଁ । ନୀଳ ତା’ ପାଖକୁ ଯାଇଁଚି, ଯାହା କରିବାର କଥା କରୁଥିବ । ତୁମେ ମୁହୂର୍ତ୍ତଟେ ରହି ମୋ’ଠାରୁ ସବୁ କଥା ଶୁଣିଯିବ ନାହିଁ ?’’

 

ମୋ ମନ ପଦ୍ମାପାଖରେ ବୁଲୁଥିଲେ ମଧ୍ୟ ସୋମନାଥଙ୍କର ଏକଥାଗୁଡ଼ାକ ଶୁଣି କେଜାଣି କିମିତି ମୁଁ ରହିଗଲି । କଳ କୁଣ୍ଢେଇ ପରି ମୋର ଆକ୍ଷି ତାଙ୍କ ଉପରେ ପଡ଼ି ରହିଲା । ସେ ଆରମ୍ଭ କଲେ ‘‘ମୋର ଘର ପୁରୀଜିଲ୍ଲା ମାହେନ୍ଦୀପୁର ଗାଁରେ । ମୋର ବାପା, ମଧ୍ୟବିତ୍ତ ଲୋକ, ମତେ ପଇସା ପତ୍ର ଦେଇ ଅନେକ ଦୂର ପଢ଼େଇ ଥିଲେ, ସେ କଥା ତୁମେ ଜାଣ । ହରିହର ଦାସଙ୍କ ଗାଁ ଆମରି ଗାଁରେ, ସେ ଆମରି କୁଟୁମ୍ବ । ପଦ୍ମା ତାଙ୍କରି ଝିଅ, ପିଲାଦିନୁ ଆମ୍ଭେମାନେ ଏକାଠି ଖେଳି ବୁଲି ଆସିଚୁ । ପଦ୍ମାକୁ ଯେତେବେଳେ ୧୨ବର୍ଷ, ସେତେବେଳେ ପାଖ ସୁଭଦ୍ରାପୁରର ମଧୁ ମହାପାତ୍ରଙ୍କ ପୁତ୍ର ନାରଣ ସାଙ୍ଗରେ ତା’ର ବିବାହ ହୋଇଗଲା । ନାରଣ ମୋର ସାଙ୍ଗ, ପିଲାଟି ବଡ଼ଶାନ୍ତ, ଶିଷ୍ଟ, ଉଦାର । କିନ୍ତୁ ବଡ଼ ଗରିବ । ହରିଦାଦା ତା’ର ରୂପ ଗୁଣ ଦେଖି ପଦ୍ମାକୁ ତା’ ହାତରେ ସମର୍ପି ଦେଇଥିଲେ; କିନ୍ତୁ କେଜାଣି କାହିଁକି ସାତ ମଙ୍ଗଳା ବାସିଦିନ କଟକ ଯାଉଚି ବୋଲି କହି ସେ ଯେ ଗଲା, ଆଉ ଫେରିଲା ନାହିଁ । ମୁଁ ଗାଁରେ ଥିଲି, ଗ୍ରୀଷ୍ମଛୁଟି ସମୟ । ହରି ଦାଦାଙ୍କ ଅନୁରୋଧରେ ମୁଁ କଟକ ଗଲି, ବହୁତ ଖୋଜିଲି, କିନ୍ତୁ ପାଇଲି ନାହିଁ । ପରେ ଶୁଣିଲି ହରିଦାଦା ନିଜେ ଟଙ୍କା ପଇସା ଧରି ତାକୁ ଖୋଜିବାକୁ ବାହାରିଲେ । ତାଙ୍କର ପୁଅଝିଅ ଆଉ କେହି ନ ଥାନ୍ତି । ସ୍ତ୍ରୀ ଅନେକ ଦିନରୁ ମରି ଯାଇଁଥିଲେ । ସଂସାରରେ ତାଙ୍କର ଏକମାତ୍ର ସମ୍ବଳ ପଦ୍ମା । ପଦ୍ମାର ସ୍ୱାମୀ ନିରୁଦ୍ଦେଶ୍ୟ ହେବାର ଶୁଣି ସେ ନିଜେ ଖୋଜି ବାହାରିବେ, ସେ କଥା ତାଙ୍କୁ ଯେ ଚିହ୍ନନ୍ତି ତାଙ୍କ ପ୍ରତି କିଛି ଆଶ୍ଚର୍ଯ୍ୟ ନୁହେଁ । ସେ ଗଲାବେଳେ ବାପାଙ୍କୁ ଘର, ଦୁଆର ପଦ୍ମା ଲାଗିଲା ବୋଲି କହିଦେଇଁ ଗଲେ । ପଦ୍ମା ପାଖରେ ଆଉ କେହି ନ ଥାନ୍ତି । କେବଳ ଗୋଟିଏ ବିଧବା ମାଉସୀ । ଅନେକ ଦିନ ଚାଲିଗଲା, ମୁଁ ପୂଜାଛୁଟିରେ ଗାଁକୁ ଆସିଥିଲି । ହରିଦାଦା ସେଦିନୁଁ ଫେରି ନ ଥାନ୍ତି । ବେଳେ ବେଳେ ଖଣ୍ଡେ ଖଣ୍ଡେ ଚିଠି କାହିଁ ହରିଦ୍ୱାର, କାହିଁ ସୋମନାଥ, କାହିଁ ରାମେଶ୍ୱରରୁ ଆସୁଥାଏ । ମୁଁ ଗାଁରେ ରହିଲି, ପଇସାପତ୍ର ଅଭାବରେ ଆଉ ପଢ଼ାପଢ଼ି ହୋଇପାରିଲା ନାହିଁ ।

 

ଦିନେ–ସେ ଦିନ କଥା ମୋ ମନରେ ଗାର ପଡ଼ିଲା ପରି ମନେଅଛି । ପଦ୍ମା ମାଉସୀଙ୍କର ଦେହ ଭାରୀ ବ୍ୟସ୍ତ ବୋଲି ତାଙ୍କର ଚାକରାଣି ଆସି କହିଦେଇଁ ଗଲା । ବାପା କ’ଣ ଗୋଟେ କାମରେ ବ୍ୟସ୍ତ ଥାନ୍ତି ମତେ ପଠାଇଁ ଦେଲେ । ମୁଁ ଗଲି । ପଦ୍ମାର ବିବାହ ପରେ ସେଇ ମୋର ପ୍ରଥମ ସାକ୍ଷାତ୍‌ । ତା’ପରେ ମୋର ଗତିବିଧି ଚାଲିଲା । ମୋର ଅଜ୍ଞାତରେ ପିଲା ଦିନର ସେ ମଧୁର ଭାବ ଗାଢ଼ ହୋଇଁ ମୋ ହୃଦୟ ଅଧିକାର କରି ବସିଲା । ଦିନେ ପଦ୍ମାକୁ ନ ଦେଖିଲେ, ଦିନେ ତା’ଠାରୁ କଥା ପଦେ ନ ଶୁଣିଲେ, ମନଟା କିମିତି ଛଟପଟ ହୁଏ । ସେ ଏକ ଅତୃପ୍ତ ଆଶାର ମଧୁର ମଦିରା ! ପଦ୍ମାର ବିବାହ ତା’ ସ୍ୱାମୀର ନିରୁଦ୍ଦେଶ, ଏ ସବୁର ସେ ଭାବ ସହିତ କୌଣସି ସମ୍ପର୍କ ନ ଥିଲା । ପଦ୍ମାର ସହିତ କଥାବାର୍ତ୍ତା ହେଲାବେଳେ, ତା’ର ହାସ୍ୟ ଶୋକରେ ବିଚିତ୍ର ରଞ୍ଜିତ ମୁଖକୁ ଚାହିଁ ରହିଥିଲାବେଳେ ମୋ ମନରେ ସେସବୁ କଥା ଆଦୌ ହେଉଁ ନ ଥିଲା । ପଦ୍ମା ଅନ୍ୟର ସ୍ତ୍ରୀ ଏ କଥା ମୁଁ ଆଦୌ ଧାରଣା କରିପାରୁ ନ ଥିଲି । ସୁତରାଂ ଏ ପ୍ରବୃତ୍ତି ବନ୍ଦ କରିବାର କୌଣସି କାରଣ ମଧ୍ୟ ଦେଖୁ ନ ଥିଲି । ପଦ୍ମା ପ୍ରଥମେ ପ୍ରଥମେ ଟିକିଏ ଲାଜ କରୁଥିଲା । ସେ ସ୍ୱାଭାବିକ୍‌ । ଲାଜ କରିବାର ଥିଲା କ’ଣ ? ସେ ବାରବର୍ଷର ବାଳିକା ମାତ୍ର, ଆଉ ମୁଁ ତା’ର ପିଲାଦିନ ଖେଳସାଥୀ । ଦିନ ଏହିପରି କଟିଗଲା । ମୁଁ ପଢ଼ାପଢ଼ି ଛାଡ଼ି ଘର କଥା ବୁଝିବାକୁ ରହିଲି । ପଢ଼ାପଢ଼ି ଛାଡ଼ିଲି ବୋଲି ମନରେ ଯେ କଷ୍ଟଥିଲା ତା’ ପଦ୍ମାର ଭାବରେ କୁଆଡ଼େ ଭାସିଗଲା ।

 

ଜୀବନରେ ସୁଖର ଉପଭୋଗ ଶୀତଦିନିଆ ଖରାପରି ଚଟକରି ଖସିପଡ଼େ । ହଠାତ୍‌ ଦିନେ ଗୋଟେ ତା’ର ତାର ଆସିଲା । ‘‘ହରିଦାଦା ଭାରି ବେମାର ଶୀଘ୍ର ପଦ୍ମାକୁ ନେଇଁ କାଶୀ ଯିବାକୁ ହବ । ମୋର ମୁଣ୍ଡରେ ବଜ୍ର ଭାଙ୍ଗି ପଡ଼ିଲା । ପଦ୍ମା ଚାଲିଗଲେ ଜୀବନଟା କିପରି ରହିବ ଭାବି ଠିକ୍‌ କରିପାରିଲି ନାହିଁ । ବାପାଙ୍କ ସାଙ୍ଗରେ ଅନେକ ଲଗାଇଲି, ମୁଁ ପଦ୍ମାକୁ ନେଇଁ କାଶୀ ଯିବି । ତୁମେ ବୁଢ଼ାଲୋକ କାହିଁକି ସେ ଗୋଳମାଳରେ ପଡ଼ିବ ? କିନ୍ତୁ ସେ ଏକ ଜିଗର କରି ବସିଲେ ।’’ ନାହିଁ, ନାହିଁ ମୁଁ ଯିବି, ହରିକି ଟିକିଏ ଦେଖିବି, ଗଙ୍ଗା ସ୍ନାନ କରିବି । ଚାରିକାଳ ତ ପୂରିବାକୁ ବସିଲା, ଦିନେ ଘରୁ ଗୋଡ଼ କାଢ଼ି ପାରିଲି ନାହିଁ । ଆଜି ଯଦି ଏପରି ଭାବରେ ବିଶ୍ୱେଶ୍ୱରଙ୍କ ଡୋରି ଲାଗିଥାଏ, ତାହାହେଲେ ନ ଗଲେ ପ୍ରଭୁପଦରେ ଦ୍ରୋହୀ ହେବି’’ ଫଳରେ ସେ ପଦ୍ମାକୁ ନେଇଁଗଲେ । ମୁଁ ସାଙ୍ଗେ ସାଙ୍ଗେ ଡେଲାଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଗଲି, ତାଙ୍କୁ ଗାଡ଼ିରେ ଉଠାଇ ଦେଇଁ ଫେରି ଆସିଲି, ଶୂନ୍ୟ ମନରେ, ହୃଦୟରେ ଶୂନ୍ୟ ଶାସନକୁ ।’’

 

ଏତିକି କହିଛନ୍ତି କି ନାହିଁ ତାଙ୍କ ମୁଣ୍ଡରୁ ଫେରେ ରକ୍ତ ବାହାରିଲା । ସେ ହାଲିଆ ହୋଇ ପଡ଼ିଗଲେ । ମୁଁ ‘କ’ଣ ହେଲା, କ’ଣ ହେଲା’ କହି ତାଙ୍କ ମୁଣ୍ଡରେ ପାଣି ମାରିବାକୁ ଗଲାବେଳେ ଡାକ୍ତର ଓକିଲ ବାବୁ ଆଉ ଦାରେଗା ଆସି ପହଞ୍ଚିଲେ । ମୁଁ ତରବର ହୋଇ ସେ ଘରୁ ପଳାଇଗଲି-

Image

 

ପଦ୍ମାର ଆତ୍ମକଥା

 

ପଦ୍ମା ଘରକୁ ଆସି ଯାହା ଦେଖିଲି, ସେଥିରେ ମୋର ହୃଦୟ ଭାଙ୍ଗିପଡ଼ିଲା । ଘରଯାକ ବାନ୍ତିରେ ଭାସୁଚି । ନୀଳ ସୋମନାଥଙ୍କ ପାଖରୁ ଆସି ପଦ୍ମାର ଦୁଆର ଭାଙ୍ଗି ଘରେ ପଶିଚି । ଭଙ୍ଗା ଦୁଆରଟା ଘରର ଗୋଟେ ପଟେ ପଡ଼ି ରହିଚି । ପଦ୍ମା କନିଅର ମଞ୍ଜି ଖାଇ ବେହୋସ୍‌ ହୋଇ ପଡ଼ିଥିଲା । ତା’ର ପାଟିରୁ ଗରଳ ଫେଣ ବୋହି ପଡ଼ୁଥିଲା । ନୀଳ ଆସି କ’ଣ ଓଷୁଅ ଖାଇବାକୁ ଦବାରେ ସେ ଖୁବ୍‌ଗୁଡ଼େ ବାନ୍ତି କରି ପକାଇଚି । ସେତିକିବେଳୁଁ ଆଉ କୁଆଡ଼େ ଫେଣ ବାହାରୁ ନାହିଁ । ଟିକିଏ ଜ୍ଞାନ ମଧ୍ୟ ଆସିଚି । ନୀଳର ଜଙ୍ଘ ଉପରେ ମୁଣ୍ଡଟି ରଖି ତା’ର ମୁହଁ ଆଡ଼କୁ ତନ୍ଦ୍ରା ଆଖିରେ ଚାହିଁ ରହିଚି । ତା’ର ମୁହଁରେ କିନ୍ତୁ ବିଷାଦ ନାହିଁ । ସେ ଭାବ ଦେଖି କେହି କହିପାରିବ ନାହିଁ ଏ ଲୋକ ଘଣ୍ଟାକ ତଳେ ବିଷ ଖାଇଥିଲା ବୋଲି ! ନୀଳର ମୁହଁରୁ ଓ ଆଖିରୁ ସେ ଦମ୍ଭ ସେ ତେଜ, ସବୁ ଲିଭିଯାଇଚି । ଯାଇ ପଦ୍ମାର ଆଖିକୁ ଯେତେବେଳେ ଚାହିଁଲି, ଦେଖିଲି ଆଖିଟା ତଥାପି ଭାରି ନାଲ, ବିଷ ଯେ ଦିହରେ ଚରି ଯାଇଚି ସେଥିରେ ସନ୍ଦେହ ନାହିଁ । ଏତେ ବଡ଼ ଗୋରା ମଣିଷଟା ନେଳି ପଡ଼ି ଗଲାନି ।

 

ମତେ ଦେଖି ନୀଳ ଅତି ଧୀରେ ପଚାରିଲା ‘ସୋମନାଥ କିପରି ?’ ମୁଁ ମଧ୍ୟ ସେହିପରି ଧୀର ଭାବରେ କହିଲି ‘ଫେରେ ମୁଣ୍ଡରୁ ରକ୍ତ ବୋହୁଥିଲା, ଡାକ୍ତର ହେରିକା ସମସ୍ତେ ଆସିଚନ୍ତି, ତୁ ବେଗେ ଯା’ । ଇଚ୍ଛା ନ ଥିଲେ ମଧ୍ୟ ସେ ଆସ୍ତେ ଆସ୍ତେ ପଦ୍ମାର ମୁଣ୍ଡଟି ତକିଆ ଉପରେ ରଖି ଦେଇ ବାହାରି ଗଲା । ପଦ୍ମା ବି ଫେର ଝଲକେ ବାନ୍ତି କରି ପକାଇଲା । ମୁଁ ତାକୁ ଘେନି ବସିଲି । ନୀଳ ଚାଲିଗଲା । ପ୍ରତ୍ୟେକ ଥର ବାନ୍ତି ପରେ ପଦ୍ମାର ଟିକିଏ ଚେତା ହୁଏ, ଜଣା ପଡ଼ୁଚି । ଏ ଥରକ ମଧ୍ୟ ହେଲା; ସେ ମୋ ଆଡ଼କୁ ଚାହିଁ କହିଲା, ଏ କୁଆଡ଼େ ଗଲେ ?’’

 

ମୁଁ–‘‘ହେଇ ଯାଇଚି, ଅଇଛିକା ଆସିବ ।’’

ପଦ୍ମା–‘‘ମଣି ନାନୀ, ମତେ ସବୁ କହୁଚନ୍ତି ବିଧବା, ମୁଁ ବିଧବା ହେଲି କିପରି ?’’

ମୁଁ–‘‘ନା, ତୁ ବିଧବା କାହିଁକି ହବୁ ? ତୋର ସ୍ୱାମୀ ତ ମରି ନାହିଁ ।’’

ପଦ୍ମା–‘‘ଛି, ଏତେ ବଡ଼ କଥା ତୁଣ୍ଡରେ ଆଣନ୍ତି ?’’

ମୁଁ–‘‘ନାଇଁ, ନାଇଁ ଏ କଥା କହୁ ନାହିଁ; ତୋର ସେ ଆଗ ସ୍ୱାମୀଟା କଥା......’’

 

ପଦ୍ମା–‘ଚମକି ପଡ଼ି ମୋ ଆଡ଼କୁ ଏଡ଼େ ଆଖି କରି କହିଲା, ‘‘ଏଁ, ଏଁ, ତୁମେ ଜାଣିଲ କିପରି ?’’

 

ମୁଁ–‘‘ସୋମନାଥ ମତେ ସବୁ ଖୋଲି କରି କହିଚନ୍ତି ।’’

 

ପଦ୍ମା–‘‘କହିଚି ? ତୁମକୁ କହିଚି ? ନାନୀ, ତୁମେ ଆଉ କାହାରି ଆଗରେ କହିବ ନାହିଁ ତ ?’’

 

ମୁଁ–‘‘ଧୂର, ପାଗଲ ହେଲୁନା କ’ଣ ? ଏ ଘର କ’ଣ ମୋର ନୁହେ ? ତୁ ସିନା ଏ ଘରର ବୋହୂ, ମୁଁ ଯେ ଘରର ମାଲିକ ।

 

ପଦ୍ମା–‘‘ଠିକ୍‌ ଠିକ୍‌, ମୁଁ ସବୁ କଥା ତାଙ୍କୁ କହିଚି ଆଜି । କିନ୍ତୁ ନାନା, ମୁଁ ତ ତାକୁ ଭଲ ପାଇ ନ ଥିଲି, ତାକୁ ତ ଦି ଆଖିରେ ଟିକିଏ ଦେଖି ନାହିଁ । ସେ ମରିଗଲା ବୋଲି–’’

 

ମୁଁ–‘‘ମଲା କିମିତି ? ସେ ପରା କୁଆଡ଼େ ପଳାଇ ଯାଇଚି ?’’

 

ପଦ୍ମା–‘‘ନା, ନା, ତାହା ହେଲେ ନାନୀ ତୁମେ ସବୁ ଜାଣିନାହଁ । ବାପା ଖୋଜିବାକୁ ଯାଇଥିଲେ, ବହୁତଆଡ଼େ ଖୋଜି ଖୋଜି କାଶୀରେ ଯାଇ ଠାବ କଲେ । ସେ କୁଆଡ଼େ ବାବାଜି ବେଶରେ ଥିଲା; ଭାରି ବେମାର । ବାପା ଅନେକ ଦିନ ରହି ସେବା କଲେ । ତା’ପରେ ସେ କୁଆଡ଼େ ମରିଗଲା । ସେ ଲୋକଟା କଥା ଭାବିଲାବେଳେ ମନରେ ବଡ଼ ଦୟା ହୁଏ ମଣି ନାନୀ-।’’

 

ମୁଁ–‘‘ତେବେ ତୁ ମୋରି ପରି ଗୋଟିଏ ପୋଡ଼ା କପାଳୀ !’’

ପଦା–‘‘ମୁଁ ? କାହିଁକି ହେବି ? ମୋର ସ୍ୱାମୀ ଅଛନ୍ତି ମୋର ଘର ଦୁଆର ଅଛି ।’’

 

ମୁଁ–‘‘ଆଚ୍ଛା ତୋର ଯେବେ ଏପରି ଅବସ୍ଥା ତାହାହେଲେ ତୋର ନୀଳ ସଙ୍ଗରେ ବିବାହ ହେଲା କିପରି ?’’

 

ପଦ୍ମା–‘‘କିଆଁ ନ ହନ୍ତା ? ଆମେ ତ ଭଲ ଜାତି, ଭଲେ ଗୋତ୍ର ମୁଁ କ’ଣ ଦେଖିବାକୁ ସେମିତି ଅସୁନ୍ଦର ମଣିନାନୀ ? ମତେ ଗାଁରେ ସମସ୍ତେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା । ହଁ, ହଁ, ମୁଁ ଜାଣିପାରିଚି । ମୁଁ ୟାଙ୍କ ନାୟକ ସ୍ତ୍ରୀ ନୁହେଁ । ମୋ କପାଳ ଟେକ୍‌ ’’

 

ମୁଁ–‘‘ବିବାହ ହେଲା କିପରି ?’’

 

ପଦ୍ମା–‘‘ମୁଁ କାଶୀରେ ଯାଇ ପହଁଚିଲାରୁ ବାପା ମତେ ସବୁକଥା ଖୋଲି କରି କହିଲେ । ମୁଁ କିଛି ଜାଣି ପାରିଲି ନାହିଁ । ମୋ ଆକ୍ଷିକି ଟିକିଏ ଲୁହ ବି ଆସିଲା ନାହିଁ । ଏକାନେ ପଶି ସେ କାନେ ବାହାରିଗଲା । ଆଉ ଦିନେ ବାପା କହିଲେ, ମନ ‘ବ୍ୟସ୍ତ କରିବୁ ନାହିଁ, ମୁଁ କାଶୀର କେତେଜଣ ପଣ୍ଡିତଙ୍କୁ ପଚାରିଥିଲି, ସେ ବ୍ୟବସ୍ଥା ଲେଖି ଦେଇଅଛନ୍ତି, ତୋ ଅବସ୍ଥାରେ ବିଧବାର ବିବାହ ହୋଇପାରେ । ମୁଁ ଏଥିରୁ ଭଲ ହେଲେ, ଫେରେ ଭଲ ବର ଦେଖି ବିବାହ ଦେବି । ମତେ ଲୋକେ ଏକଘରିକିଆ କଲେ କରିବେ । କିନ୍ତୁ ମୁଁ ତୋର ଖାଲି ମୁହଁ ଦେଖି ପାରିବି ନାହିଁ ।’’

 

ମୁଁ–‘‘କାହିଁକି ତୋ ଧିଅରେ କ’ଣ ଅଳଙ୍କାର ନ ଥାଏ ?’’

 

ପଦ୍ମା–‘‘କାହିଁକି ନ ଥାନ୍ତା ? ମୁଁ ତ କାଶୀ ଆସି ଶୁଣିଲି । କିଏ ଜାଣିଚି ଯେ ଅଳଙ୍କାର ଭାଙ୍ଗିବାକୁ ମତେ କହନ୍ତା ? ଆଉ ମୋର କି ଗରଜ ପଡ଼ିଥିଲା ଯେ ମୁଁ ଭାଙ୍ଗିବାକୁ ବସନ୍ତି ?

 

ମୁଁ–‘‘ହଉ, ତା’ ପରେ ?’’

 

ପଦ୍ମା–‘‘ଆମେ ତ ୟାଙ୍କ ଘରେ ଥାଉଁ । ୟାଙ୍କ ସାଙ୍ଗରେ ଅନେକ ଥର ଦେଖାହୁଏ । ଏ ମତେ ଦେଖିଲେ ବୁହାକ ଗପ ନ କରି ଛାଡ଼ନ୍ତି ନାହିଁ । ଦିନେ ଦି’ଦିନପରେ ମୋର କ’ଣହେଲା କେଜାଣି ସବୁବେଳେ ଇଚ୍ଛା କରି ତାଙ୍କ ଯିବା ଆସିବା ବାଟରେ ଠିଆ ହୋଇଥାଏଁ । ବାପାଙ୍କ ରୋଗଶେଯରେ ଦୁଇଜଣଯାକ ସାରାରାତି ବସି କଟାଉ ଥାଉ । ବାପାଙ୍କର ଦେହ ଯେତେ ଖରାପ ହେଉଥାଏ ୟାଙ୍କ ମୁହଁ ସେତିକି ସେତିକି ଶୁଖି ଯାଉଥାଏ । ଆଉ ମତେ ଚାହିଁ କ’ଣ ଗୁଡ଼ାଏ ଭାବୁଥାନ୍ତି କେଜାଣି ମୁଁ ଜଳକାପରି ତାଙ୍କ ସେ ମୁହଁକୁ ଅନାଉ ଥାଏ ।

 

‘‘ଥରେ ଶୁଣିଲି ଶାଶୂଏ ଶଶୁରଙ୍କୁ କହୁଚନ୍ତି ‘ହଇହେ, ନୀଳ ପାଇଁ ଏ ପିଲାଟି ହେଲେ ହୁଅନ୍ତା ନାହିଁ ? ବଡ଼ ସୁଧାର ପିଲାଟିଏ, ରୂପ ଯେମିତି ଗୁଣ ବି ସେମିତି । ନୀଳକୁ ଏ ବେଶ୍‌ ହୁଅନ୍ତା-।’

 

‘‘ଶଶୁର କହିଲେ–‘ମନ୍ଦ ହୁଅନ୍ତା ନାହିଁ । ଦାସଙ୍କ ଜାତି ଗୋତ୍ର ମଧ୍ୟ ବେଶ୍ ଭଲ । ତେବେ ଗରିବ କିନା ? ଆଉ କୁଠି ଦେଖି କଲେ ହୁଏ ତ କିଛି ମିଳନ୍ତା ।’ ଶାଶୂଏ କହିଲେ ‘ମଲା ମଲା ଟଙ୍କାଗୁଡ଼ାକ ମଲାବେଳେ ପୁଅ ସାଙ୍ଗରେ ପଠେଇ ଦବ ପରା ? ତୁମର ଟଙ୍କା କ’ଣ ନାହିଁ ? ଏପରି ବୋହୂଟିଏ ପାଇବ କୁଠି ?’

 

‘‘ଶଶୁରେ–‘ହଉ, ଦାସଙ୍କ ଦେହ ଭଲ ହେଉ, ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବା’ । ସେଇଦିନୁ ଆଗକୁ ଆସିବାକୁ ମତେ କିମିତି ସରମ ଲାଗିଲା । କିନ୍ତୁ ସେ ଯୁ ମଣିଷ । ମୁଁ କ’ଣ ଟିକିଏ ଲୁଚିବାକୁ ରାହା ପାଇଲି ! ଛପି ଛପି ଆସି ମୁଁ ସାତସନ୍ଧିରେ ପଶିଥିଲେ ମଧ୍ୟ ଖୋଜି ବାହାର କରିବେ । କେତେ ଟୋପରା କରି କହିବେ । ମୁଁ ଯେତେ ଗୁମ୍‌ମାରି ବସିବି, ନ ହସେଇ ଛାଡ଼ିବେ ନାହିଁ । ଇମିତି ମଣିଷ ।’’ ପଦ୍ମାର ମୁହଁ ହସରେ ଉଛୁଳି ପଡ଼ିଲା । ସେ ବଡ଼ ନିରବ କିନ୍ତୁ ପୂର୍ଣ୍ଣହୃଦୟର ହସ । ତା’ ପରେ କହିଲା, ‘‘ଭାରି ଶୋଷ ହେଉଚି, ଟିକିଏ ପାଣି ଦେଲ ।’’ ପାଖରେ ଗିଲାସ ଥୁଆ ହୋଇଥିଲା ପାଣି ଟିକିଏ ନେଇ ଦେଲି । ତା’ ପରେ ପଚାରିଲି, ‘‘ସିଠଉ କ’ଣ ହେଲା-?’’

 

ପଦ୍ମା–‘‘ୟା ଭିତରେ ବାପାଙ୍କ ଦେହ ଭାରି ଖରାପ ହେଲା । ଡାକ୍ତର ଆସି କହିଲା ‘ସେଫ୍‌ଟି ହୋଇ ଗଲାଣି ଆଉ ଆଶା ନାହିଁ ।’ ବାପା ବେହୋସ ହୋଇଗଲେ । ବାପା କଥା ନ କହିବାରୁ ମୁଁ ଭାରି କାନ୍ଦିଲି । ଶାଶୂ ଶଶୁର କେତେ ବୁଝାଇଲେ, ମୁଁ କ’ଣ ସେଥିରେ ବୁଝେ ? ୟାଙ୍କୁ ଏକୁଟିଆ ଦେଖି ୟାଙ୍କ ପାଖକୁ ଯାଇ କାନ୍ଦି କାନ୍ଦି କହିଲି ‘ବାବୁ, ମୋ ବାପା କ’ଣ ଆଉ ବଞ୍ଚିବେ ନାହିଁ ? ମୁଁ କାହାପାଖରେ ରହିବି ? ବାପାଙ୍କ ଛଡ଼ା ଯେ ମୋର ଆଉ କେହି ନାହିଁ ? ୟେ ସେଥିରୁ କୁଣ୍ଢାଇ ପକାଇ କହିଲେ ‘ମୁଁ ଅଛି ପଦ୍ମା ମୋ ପାଖରେ ରହିବ ନାହିଁ ? ‘ମତେ ଭାରି ଲାଜ ମାଡ଼ିଲା, ମୁଁ ଆଉ କିଛି କହିପାରିଲି ନାହିଁ । ତାଙ୍କ ଦିହକୁ ଆଉଜି ପଡ଼ିଲି । କିଛି ସମୟ ପରେ କହିଲି ‘ମତେ ରଖିବନା’ ? ସେ ମଧ୍ୟ ତା’ର କିଛି ଉତ୍ତର ଦେଲେ ନାହିଁ । ତାଙ୍କର ଆଖି ଛଳ ଛଳ ହୋଇ ଆସିଲା-। ମଉନ ହୋଇ ପୁଣି କହିଲେ ‘ପଦ୍ମା, ପଦ୍ମା,’ ସେ ହୃଦୟ ପୂରା ପଦ୍ମା, ପଦ୍ମା ଡାକରେ ମନ ଏତେଦୂର ଭୁଲିଗଲା ଯେ ମୁଁ ମୋ ବାପାଙ୍କ କଥା ଏକାବେଳକେ ଭୁଲିଗଲି !

 

‘‘ଦିନେ ବାପା ବେହୋସ ହୋଇ ପଡ଼ି ରହିଲେ । ତା’ପରେ ତହିଁ ଆରଦିନ ସକାଳେ ଟିକିଏ ହୋସ ହେଲା; ସମସ୍ତଙ୍କୁ ପାଖକୁ ଡାକିଲେ । ମୁଁ ବିସିଥିଲି ବାଁ ପଟ ମୁଣ୍ଡପାଖେ, ୟେ ବସିଥାନ୍ତି ଡାହାଣ ପାଖେ; ଶାଶୂଏ ଶଶୁରେ ଦିକର ପଟେ ବସିଥାନ୍ତି ବାପା ଶଶୁରଙ୍କୁ ଆମ ଜାତି ଗୋତ୍ର ସବୁ କଥା କହିଲେ । ତା’ପରେ ମୋ ହାତଟି ନେଇ ଶଶୁରଙ୍କ ହାତ ଖୋଜି ନ ପାଇବାରୁ ୟାଙ୍କ ହାତଧରି ତା’ ଉପରେ ରଖିଦେଇ କହିଲେ ‘ଏ ମା’ ଛେଉଣ୍ଡ, ବଡ଼ ହତଭାଗିନୀ, ତମକୁ ଲାଗିଲା, ୟାର ଗତି–‘‘ତା’ ପରେ ତାଙ୍କର ପାଟି ପଡ଼ିଗଲା, ଆଉ କିଛି କହି ପାରିଲେ ନାହିଁ ।’’

 

ପଦ୍ମାର ଆକ୍ଷିରୁ ଲୁହ ବୋହି ପଡ଼ିଲା, ସେ ଆଉ କିଛି କହିପାରିଲା ନାହିଁ ।

Image

 

ଉପସଂହାର

 

ଏଇ ସମୟରେ ନୀଳ ଡାକ୍ତର ଓ ଓକିଲବାବୁଙ୍କୁ ଘେନିଆସି ପହଞ୍ଚିଲା । ମୁଁ ଗୋଟେ ପଟକୁ ଆଡ଼େଇ ହୋଇ ଯାଇ ଘୋଡ଼ାଘାଡ଼ି ହୋଇ ବସି ରହିଲି । ଡାକ୍ତର ରୋଗୀକୁ ଭଲ କରି ପରୀକ୍ଷା କଲେ; ଓଷୁଅ ପତ୍ର ଖାଇବାକୁ ଦେଲେ । ଇଞ୍ଜେକ୍‌ସନ ଓଷୁଅ କ’ଣ ନ ଥିଲା । ସେଥିପାଇଁ ରାମାକୁ ଡାକି ଫେରେ ସହରକୁ ପଠାଇଲେ । ତା’ ପରେ ତିନିହେଁଯାକ ସେଇଠାରେ ବସି ରହିଲେ-। କିଛି ସମୟ ଚୁପ୍‌ଚାପ୍‌ ହୋଇ ବସି ରହିବା ପରେ, ଓକିଲ କହିଲେ ‘‘କ’ଣ କରିବା ତେବେ ? ଦାରୋଗାଟା ଯେ ବସିଚି, ସେ ତ ସୋମନାଥଠାରୁ ଗୋଟାଏ ଜମାନବନ୍ଦି ନେବ ?’’

 

ନୀଳ–‘‘ମୁଁ ମଧ୍ୟ ସେଇ କଥା ଭାବୁଚି । ଆପଣଙ୍କୁ ଦାଣ୍ଡଘରକୁ ଯିବାକୁ କହିଦେଇ ଇଲେ ସେ ମତେ ଯାହା ସବୁ କହିଲା, ସେଥିରେ ଏ ତଦନ୍ତ ଭାର ପୁଲିସ ହାତରେ ଦବାକୁ ମୋର ସାହାସ ହେଉ ନାହିଁ । କ’ଣ କହୁଚ । ହରେକୃଷ୍ଣ ବାବୁ ସୋମନାଥ ବଞ୍ଚିବ ତ ?’’

 

‘‘ହରି–‘‘ମୋର ତ ବର୍ତ୍ତମାନ ଯେତେଦୂର ଆଶା, ବଞ୍ଚିଯିବ । ଅବଶ୍ୟ ସେପ୍ଟିକ ଫେପ୍ଟିକ ହେଲେ କହିପାରୁ ନାହିଁ ।’’

 

ନୀଳ–‘‘ତେବେ ମୋ ମତରେ ପୁଲିସକୁ ୟା ଭିତରକୁ ଆଣିବା ଉଚିତ ହେବନାହିଁ । ଆପଣଙ୍କୁ ଓକିଲବାବୁ, ତା’ର ରାହା ଖୋଜିବାକୁ ହବ ।’’

 

ଓକିଲ–‘‘କିନ୍ତୁ ସମୁଦାୟ ବିଷୟ ନ ଜାଣିଲେ କିପରି କ’ଣ କରିବି ?’’

ନୀଳ–‘‘ଆପଣ ଯାହା ପଚାରିବେ ତାହା ମୁଁ ସବୁ କହିବାକୁ ପ୍ରସ୍ତୁତ ଅଛି ।’’

ଓକିଲ–‘‘ଆସାମୀ କିଏ ତାକୁ ସେ ଚିହ୍ନନ୍ତି କି ?’’

 

ନୀଳ–‘‘ହଁ ଚିହ୍ନନ୍ତି, ତା’ର ନାମ ମକର ସାମଲ, ଜାତିରେ ଚଷା । ଆଗେ ଚଷା । ଆଗେ ସୋମନାଥଙ୍କର ହଳିଆ ଥିଲା । ସେ ଆସି ଏତେଦିନ ହେଲେ ପଞ୍ଚୁଆଚଷା ଘରେ ଅଛି ।’’

 

ଓକୀଲ–‘‘ସେ କାହିଁକି ତାଙ୍କୁ ଖୁଣି କଲା ?’’

 

ନୀଳ–ତା’ର କେତେଗୁଡ଼େ କାଗଜପତ୍ର ପଞ୍ଚୁଆ ଘରୁ ଚୋରି ଯାଇଚି କାଲି । ରାତି ଦଶଟାବେଳେ ସେ ହଠାତ୍ ପାଚେରି ଡେଇଁ ଆସି ସୋମନାଥଙ୍କ ଘରେ ହାଜର ହେଲା । ସୋମନାଥ ଶୋଇବାକୁ ଯାଇଥିଲେ । ଏ ଲୋକଟା ଦୁଆରରେ ହାତ ମାରିବାକୁ ଦୁଆର ଫିଟାଇ ଦେଲେ । ସେ ଘରକୁ ଆସିଲାକ୍ଷଣି ସଙ୍ଗେ ସଙ୍ଗେ ସୋମନାଥଙ୍କ ତୋଟି ଧରି କହିଲା, ‘‘ଚାଲାକି ଖାଟିବ ନାହିଁ, ମୋ କାଗଜପତ୍ରତକ ଦେଇଦେ ।’ ସୋମନାଥ କାଗଜପତ୍ର କଥା କିଛି ଜାଣନ୍ତି ନାହିଁ-। ସୁତରାଂ ସେ ଯେତେ ନେହୁରା ହୋଇ କହିଲେ, ସେ ଲୋକଟା ଶୁଣିଲା ନାହିଁ । ତାହା ହାତରେ ଗୋଟିଏ ଠେଙ୍ଗା ଥିଲା । ସେଥିରେ ସେ ୟାଙ୍କୁ ପାହାରେ ପିଟିଲା । ସେଇତକରେ ସୋମନାଥର ମୁଣ୍ଡ ଫାଟି ରକ୍ତ ବହିଲା । ସେ ବେହୋସ ହୋଇ ତଳେ ପଡ଼ିଗଲେ । ତା’ର ପରେ କ’ଣ ହେଲା ସେ କହି ପାରିଲେ ନାହିଁ । ତେବେ ଯେତେଦୂର ଜଣାଯାଉଛି, କାଳେ ସୋମନାଥଙ୍କର ଜ୍ଞାନ ହୋଇଯିବ, କାଳେ ସେ ଡକାହକା କରିବେ, ଏଇ ଆଶଙ୍କାରେ ସେ ତାଙ୍କୁ ଖଟ ଉପରେ ଶୁଆଇ ତାଙ୍କର ମୁହଁରେ ଗୋଟିଏ ତୁଣ୍ଡି ବାନ୍ଧିଦେଲା । ହାତ ଗୋଡ଼ ମଧ୍ୟ ଖଟ ସାଙ୍ଗରେ ବାନ୍ଧିଦେଇ, ପେଡ଼ି ପେଟରା ଯାହାଥିଲା ସବୁ ଖୋଜି କିଛି ନ ପାଇବାରୁ ସେ ପଳାଇଗଲା ।’’

 

ଓକିଲ–‘‘କିନ୍ତୁ ତା’ର ସେ କାଗଜପତ୍ର ସହି–’’

 

ଠିକ୍ ଏତିକିବେଳେ ପଦ୍ମା ବଡ଼ ବ୍ୟସ୍ତ ହୋଇ ଉଠିଲା । ସମସ୍ତେ ତା’ ପାଖକୁ ଧାଇଁ ଗଲେ । ଡାକ୍ତର ନାଡ଼ି ଦେଖି ଆଉ ପାନେ ଓଷୁଅ ଦେଲେ । ତା’ପରେ ଫେରେ ସେ ଆଗପରି ହାଲିଆ ହୋଇ ପଡ଼ି ରହିଲା । ନୀଳ, ଡାକ୍ତରଙ୍କ ମୁହଁକୁ କାତର ଦୃଷ୍ଟିରେ ଚାହିଁ ରହିଲେ । ସେ କହିଲେ ‘‘ବ୍ୟସ୍ତ ହେବାର କିଛି ନାହିଁ । ଅବସ୍ଥା ପୂର୍ବପରି ।’’ ନୀଳ ଆଶ୍ୱସ୍ତ ହେଲା । ତା’ର ପରେ ଓକିଲ ଆରମ୍ଭ କଲେ, ‘‘କିନ୍ତୁ କାଗଜଗୁଡ଼ାକ ସହିତ ସୋମନାଥଙ୍କର କି ସମ୍ବନ୍ଧ ଯେ ତାଙ୍କୁ ସନ୍ଦେହ କରି ଲୋକଟା ଖୁଣି କରିଦେଇ ଗଲା ?’’ ନୀଳ ଟିକିଏ ଥାଥା ମାମା ହୋଇ କହିଲା ‘‘ସେ କଥା ବଡ଼ ଗୁରୁତର, କିନ୍ତୁ ଆପଣଙ୍କଠାରେ ମୋର ମାୟା କ’ଣ ! ମୁଁ ଖୋଲି କରି କହୁଛି । ସୋମନାଥଙ୍କ ଗାଁ ପାଖ ଆଉ ଗୋଟେ ଗାଁରେ ଶମ୍ଭୁମିଶ୍ର ବୋଲି ଜଣେ ଭଦ୍ରଲୋକଙ୍କ ସହିତ, ଜମିବାଡ଼ି ନେଇ ସୋମନାଥଙ୍କ ଘରେ ମାଲିମକଦ୍ଦମା ଲାଗିଥିଲା । ଜମି ଖଣ୍ଡ ପ୍ରକୃତରେ ସୋମନାଥଙ୍କର । ମିଶ୍ରେ ଏହି ବନ୍ଦୋବସ୍ତରେ ନିଜ ନାମରେ କରି ନେଇ ଚାଷବାଷବେଳକୁ ହଳ ପଠାଇ ଦେଲେ । ୟାଙ୍କର ମଧ୍ୟ ହଳ ଯାଇଥିଲା । କଳିଗୋଳ ଖୁବ୍‌ ହେଲା ପରେ ସୋମନାଥଙ୍କର ବାପା ଆସି ମକଦ୍ଦମା ଦାୟର କଲେ । ତା’ପରେ ଶମ୍ଭୁ ମିଶ୍ର ଆଉ ଜମି ପାଖ ମାଡ଼ିଲା ନାହିଁ । ଏମାନେ ହଳ ପଠାଇ ଜମି ଚାଷ କଲେ । ବୁଣାବୁଣିବେଳକୁ ହଠାତ୍ ଦରକାର ପଡ଼ିବାରୁ ସୋମନାଥଙ୍କ ବାପା କାଶୀ ଚାଲିଗଲେ । ସୁତରାଂ ସୋମନାଥ ଦିନେ ଉପରଓଳିଆ ହଳ ନେଇ ବୁଣିବାକୁ ଯାଇଚନ୍ତି, ଏ ହଳିଆଟା ସାଙ୍ଗରେ ଥାଏ । ବୁଣାବୁଣି ସରିଗଲାଣି, ଆଉ ଗୋଟେବାର ମଡ଼େଇ ଦବାର କଥା, ସେ ଚକରେ କେହି ନାହାନ୍ତି, ଏଇ ଦି’ଜଣ କେବଳ, ଏତିକିବେଳେ ଶମ୍ଭୁ ମିଶ୍ରେ ଏକ ଠେଙ୍ଗା ଧରି ଆସି ସୋମନାଥକୁ ବହୁତ ଫଜତ୍ କଲେ । ସୋମନାଥର ମାନସିକ ଅବସ୍ଥା ତେତେ ଭଲ ନ ଥିଲା । ସେ ମଧ୍ୟ ତାଙ୍କୁ କ’ଣ ଦି’ଚାରିପଦ କହିଦେଲା । ସେଠାରୁ ସେ ରାଗହୋଇ ମାରିବାକୁ ଆସିଲେ । ପାହାରେ ଦି ପାହାରେ ବି ଦେଇଛନ୍ତି । ସୋମନାଥ ଆଉ ସହି ନ ପାରି ହଳିଆକୁ ଆସିବାକୁ କହି ଦେଇ ମିଶ୍ରଙ୍କର ଥାନ ମୁଣ୍ଡାକୁ କରି ଗୋଟେ ଥୋଇ ଦେଲା । ମିଶ୍ରେ ସେଇତକରେ ତଳେ ପଡ଼ିଗଲେ । ଲୋକଟା ତଳେ ପଡ଼ିଯିବାରୁ ସୋମନାଥଙ୍କର ଚେତା ହେଲା । ସେ ଆଉ ହଳିଆ ଦିହାଁଯାକ ମିଶ୍ରଙ୍କୁ ଧରାଧରି କରି ନେଇ ଯାଉଁ ଯାଉଁ ସେ ଅଧବାଟରେ ଶେଷ ପଡ଼ିଗଲେ । ସୁତରାଂ ଆଶଙ୍କାରେ ଏମାନେ ତାକୁ ସେଇ କିଆରିରେ ଶୁଆଇ ଦେଇ ପଳେଇ ଆସିଲେ । ବାଟରେ କ’ଣ କରିବା ଉଚିତ, ଏକଥା ଭାବୁ ଭାବୁ ସୋମନାଥର ମନେହେଲା, ଏ ଘଟଣା ତ ଆଉ କେହି ଦେଖି ନାହାନ୍ତି, ଏକା ତାଙ୍କ ହଳିଆ । ତାକୁ ଚୁପ୍ କରି ପାରିଲେ ସେ ନିଶ୍ଚିତ । ସେଥିପାଇଁ ତାକୁ ଅନେକ ଟଙ୍କା ଦେଇ ବୋଧ କଲେ । ତା’ ପରେ ପୁଲିସ ଏ ସଂବାଦ ପାଇ ପାରି ଖୁବ୍ ଧୁମ୍ ଧାମ୍ ଆସି କଲା । ଲାସ୍ ଡାକ୍ତରମାଇନା ହେବାରେ ଲୋକଟାର ପାକସ୍ଥଳୀରୁ ଆର୍ସେନିକର ଅଂଶ ବାହାରିଲା । ଅନୁସନ୍ଧାନରୁ ମଧ୍ୟ ଜଣାପଡ଼ିଲା ଯେ ଲୋକଟା ଭୟଙ୍କର ଭଙ୍ଗଡ଼ ।

 

ଶଙ୍ଖୁଆ ବାଟିଘୋଟି ଭାଙ୍ଗ ସାଙ୍ଗରେ ଖାଇବା ତା’ର ଅଭ୍ୟାସ । ସେଦିନ ବୋଧହୁଏ ମାତ୍ରା ଟିକିଏ ବଢ଼ିଥିଲା । ତାରି ଫଳରେ ହଠାତ୍ କୌଣସି ସାମାନ୍ୟ ଆଘାତ ପାଇବାରୁ ହାର୍ଟ ଫେଲୁଓର ହୋଇ ଯାଇଚି । ଏଇ ହେଲା ଡାକ୍ତରୀମାଇନାର ଉପସଂହାର । ଏ ମଧ୍ୟରେ ବି ଯାହା ଜମି ଉପରେ ଲୋକଟା ପଡ଼ିଥିଲା, ସେ ବଡ଼ ଧନୀ ଏବଂ ତାଙ୍କ ସହିତ ଦିନ ଦୁଇ ଚାରି ତଳେ ମିଶ୍ରଙ୍କର ଝଗଡ଼ା ହୋଇଯାଇଚି । ସୁତରାଂ କାଳେ ମକଦ୍ଦମା ତାଙ୍କ ଉପରକୁ ଆସିବ, ଏଥିପାଇଁ ସେ ପୁଲିସକୁ ହାତ କରି ସାକ୍ଷୀ ଗୁହା ପ୍ରମାଣ ଯୋଗାଇ ମକଦ୍ଦମାଟା ଉଡ଼ାଇ ଦେଲେ । ସୋମନାଥ ମଧ୍ୟ ନିଃଶ୍ୱାସ ମାଇଲେ । ୟା ଭିତରେ ତାଙ୍କର ବାପା କାଶୀରେ ଥିଲେ । ସେ ବାପାଙ୍କ ପାଖକୁ ସବୁ କଥା ଲେଖି ଚିଠି କେତେ ଖଣ୍ଡ ଦେଇଥିଲେ । ଏ ଲୋକଟା ହାତରେ ପକାଇବାକୁ ଦିଅନ୍ତି, କିନ୍ତୁ ସେ ଡାକଘରେ ନ ପକାଇ ସବୁ ନିଜ ହାତରେ ରଖେ ।

 

ଏ ମକଦ୍ଦମା ସୁର ଥିବାଯାଏ, ବହୁତ ଟଙ୍କା ସୋମନାଥଠାରୁ ସେ ଆଦାୟ କରି ନେଇଚି, ତା’ ପରେ ସେ ଚିଠିଗୁଡ଼ାକ ଭୟ ଦେଖାଇ ଅନେକ ଟଙ୍କା ଥରକୁ ଥର ଆଦାୟ କରି ନେଇଚି । ତାରି ଉପଦ୍ରବରେ ସୋମନାଥ ଘରଦ୍ୱାର ଛାଡ଼ି କଟକ ଜିଲ୍ଲାର ଏକ ମଫସଲରେ ଚାକିରି କଲେ । ସେଠାରେ ମଧ୍ୟ ଲୋକଟା ତାକୁ ଅତି ବ୍ୟସ୍ତ କରି ପକାଇଲା । ତା’ପରେ ସେ ଏଠାକୁ ଆସିଲେ । ଏଠାରେ ମଧ୍ୟ ସେ ଆସି ପହଞ୍ଚିଲା । ସୁତରାଂ ଆପଣ ଦେଖୁଚନ୍ତି କାଗଜଗୁଡ଼ାକ ଚୋରି ଯିବାରେ ସୋମନାଥଙ୍କର ସ୍ୱାର୍ଥ ପୂର୍ଣ୍ଣମାତ୍ରାରେ ଅଛି, କିନ୍ତୁ ଆଉ ଯେ କିଏ କାହିଁକି ଚୋରି କରି ନେଲା ସେ ସମ୍ବନ୍ଧରେ ମୋର ବଡ଼ କୌତୁହଳ ହେଉଚି । ସୋମନାଥ ମଧ୍ୟ ସେ ସମ୍ବନ୍ଧରେ କିଛି ଜାଣନ୍ତି ନାହିଁ । ଏ ଏକ ବଡ଼ ପକ୍କା ରହସ୍ୟ ।

 

ଓକିଲ–‘‘ତା’ ହେଲେ ସେ ଲୋକଟା ଯଦି ଏ ମକଦ୍ଦମାରେ ଗ୍ରେପ୍ତାର ହୁଏ ତାହାହେଲେ ସେ ସୋମନାଥଙ୍କୁ ମଧ୍ୟ ନିଜଆଡ଼କୁ ଟାଣିବ । ଅବଶ୍ୟ ତାହା ନିକଟରେ ବର୍ତ୍ତମାନ ପ୍ରମାଣପତ୍ର କିଛି ନ ଥିଲେ ମଧ୍ୟ ସୋମନାଥ ଗୁଡ଼େ ଘୋଷରା ଖାଇବେ । ତାଙ୍କର ସମ୍ମାନ ହାନି ମଧ୍ୟ ଘଟିବ । ତେବେ ମୋ ମତରେ ସୋମନାଥ ବର୍ତ୍ତମାନ ପାଇଁ ଅନ୍ତତଃ ତାଙ୍କ ଜମାନବନ୍ଦୀରେ କହନ୍ତୁ ଯେ, ଲୋକଟା କିଏ ଜାଣେ ନାହିଁ, ଘର ଅନ୍ଧାର ଥିଲା, ମୁଁ ପ୍ରସା କରିବାକୁ ଦୁଆର ମେଲାଇଲାବେଳକୁ ସେ ଆସି ମତେ ଆକ୍ରମଣ କଲା । ପ୍ରଥମ ପାହାରରେ ଇ ମୋର ଚେତା ହଜିଲା । ମୁଁ ଆଉ କିଛି ଜାଣେ ନାହିଁ ।’’ ତା’ପରେ ତୁମେ ଯାହା ଦେଖିଚ ସବୁ କଥା ଖୋଲିକରି କହିବ । ସେଥିରେ ବେଶୀ କିଛି ଆପତ୍ତି ନାହିଁ । ଯଦି ସୋମନାଥ ବଞ୍ଚିଯାଆନ୍ତି ତାହା ଏଇ ଜମାନବନ୍ଦୀ ହିଁ ସାର ହେବ । ନାହିଁ ଯଦି ତାଙ୍କର କିଛି ହୁଏ, ତାହାହେଲେ ଏ ଲୋକଟା ଉପରେ ଦୃଷ୍ଟି ରଖିଥାଆନ୍ତୁ ସେତେବେଳେ ପୁଲିସରେ ଦେଇଦେବା । କିନ୍ତୁ ଗୋଟିଏ କଥା, ‘ଏ ମହାତ୍ମା କାହିଁକି ସେ ଘରକୁ ଯାଇଥିଲେ ? ନୀଳ ମତେ ଚାହିଁଲାରୁ ମୁଁ ତାକୁ ପାଖକୁ ଡାକି ତା କାନରେ ସବୁ କଥା ଖୋଲିକରି କହିଦେଲି । ସେ ପ୍ରଥମେ ଟିକିଏ ଚମକି ପଡ଼ିଲା ପରିହେଲା । ମୁଁ ଯେତେବେଳେ ମୋର ଏ ଦୁଷ୍କର୍ମ କରିବାର କାରଣ ଖୋଲିକରି କହିଲି, କିପରି ଏ ଚିଠିପତ୍ର ଜୋରରେ ପଦ୍ମାର ରହସ୍ୟ ସୋମନାଥଙ୍କଠାରୁ ଆଦାୟ କରି, ପଦ୍ମା ପ୍ରତି ତା’ର ଅଯଥା ଓ ଅନ୍ୟାୟ କ୍ରୋଧ କମାଇବାର ଚେଷ୍ଟା କରିବି । ‘ସତ କଥା କହୁଚି ନୀଳ, ପଦ୍ମାର କିଛି ଦୋଷ ନାହିଁ, ସେ ତୋ ଛଡ଼ା-’ ନୀଳ ସେହିପରି ଅନୁଚ୍ଚ ସ୍ୱରରେ ‘ମୁଁ ଜାଣେ’ କହି ଓକିଲଙ୍କୁ କହିଲା ‘କଣିନାନୀ କହୁଚି ତାକୁ ନିଦ ମୋଟେ ହୋଇ ନ ଥିଲା, ସେ ହଠାତ୍ ଗୋଟେ ଶବ୍ଦ ଶୁଣି ଉଠି ପଡ଼ିଲା, ଦୀପ ଧରି ଶବ୍ଦ ଯୁଆଡ଼େ ଶୁଭୁଥିଲା ତେଣିକି ଆସି ସୋମନାଥଙ୍କ ଘର ଦୁଆର ମୁହଁରେ ପହଞ୍ଚି ଏ ସବୁ ଦେଖି କାଠ ବନିଗଲା । ଏତିକିବେଳେ ମୁଁ ଆସି ପହଞ୍ଚିଲି ।’’

 

ଡାକ୍ତର କହିଲେ ‘‘ସେ କଥା ଯାଉ, ଓକିଲ ଯାହା କହିଲେ ସେଇଆ କର ।’’ ଏତିକିବେଳେ ରାମା ଓଷୁଆ ନେଇ ପହଞ୍ଚିଲା, ଡାକ୍ତର ଓଷୁଅ ନେଇ ଇଞ୍ଜେକ୍ସନ ଦବାକୁ ଯୋଗାଡ଼ କଲେ ।

 

ପଦ୍ମାର ଚେତା ଭଲ ହୋଇକରି ଆସିଲା, ସନ୍ଧ୍ୟାବେଳକୁ । ଡାକ୍ତର ହେରିକା ସାରାଦିନ ସାରାରାତି ଖାଟି ଖାଟି ହାଲିଆ ହୋଇ ପଡ଼ିଥିଲେ । ସେମାନେ ଟିକିଏ ବିଶ୍ରାମ ନେବାକୁ ଦାଣ୍ଡ ଘରକୁ ଚାଲିଗଲେ । ମୁଁ ଆଉ ନୀଳ ଏକା ସେ ଘରେ ରହିଲୁଁ । ପଦ୍ମା ଆକ୍ଷି ମେଲାଇ ନୀଳକୁ ଥରେ ଭଲକରି ଦେଖିନେଲା, ତା’ପରେ ଧୀରକରି କହିଲା ‘ଦାସୀର ଦୋଷ କ୍ଷମା କରିବ ନାହିଁ’ ? ନୀଳ ଆକ୍ଷିରେ ଆକ୍ଷିୟେ ଲୁହ କରି କହିଲା, ‘ପଦ୍ମା, ଦୋଷ ମୋର, ମୁଁ ନ ବୁଝି ତୋ ପ୍ରତି ଯାହା କରିଚି, ତା’ ନିମନ୍ତେ କ୍ଷମା ମାଗିବାର ଅଧିକାର ମୋର ନାହିଁ । ତୁ କ’ଣ କଲୁ ? ତୁ କାହିଁକି ?

 

ସେଦିନ ରାତିରେ ମତେ ସବୁକଥା ଖୋଲିକରି କହିଲୁ ନାହିଁ ? ତା’ହେଲେ ତ ଆଉ ଏ ଦୁର୍ଦ୍ଦଶା ହୋଇ ନ ଥାନ୍ତା । ମତେ ମଧ୍ୟ କି ପାପ ବୁଦ୍ଧି ଘୋଟିଗଲା, ମୁଁ ଗୋଟେ ଚିଠିରୁ ଅଧେ ପାଇ ସବୁକଥା ନ ବୁଝି ଯାହାକଲି, ସେଥିପାଇଁ ମୁଁ ଏ ଦୋଷରେ ଯେ ପୂର୍ଣ୍ଣଭାଗୀ ? ମୁଁ ଚମକି ପଡ଼ିଲି । ତାକୁ ଚିଠି କଥା ପଚାରିବାରୁ ସେ ଖଣ୍ଡେ କାଗଜ ମତେ ବଢ଼ାଇ ଦେଲା । ମୁଁ ଦେଖିଲି ଏ ପଦ୍ମାର ଯେ ଚିଠିର ଅଧେ ମୁଁ ପାଇଥିଲି ତାହାର ଅନ୍ୟ ଅଧକ । ନୀଳ କିନ୍ତୁ ଏତକ କହି ବଡ଼ କାତର ଭାବରେ ପଦ୍ମାକୁ ଅନାଇ ରହିଲା । ସେ ଚାହାଣିରେ ସ୍ନେହମିଶ୍ରିତ ତିରସ୍କାର ।

 

ପଦ୍ମା କହିଲା–‘‘କ୍ଷମାକର, ମୋର ସାହସ ହେଲା ନାହିଁ, ଭୟ ହେଲା । ମୁଁ ବିଧବା ବୋଲି ଶୁଣି କାଳେ ତୁମେ ମତେ ଘୃଣା କରିବ । ତା’ ଉପରେ ପୁଣି ସମାଜର ଭୟ, ଅନ୍ୟ କେହି ଜାଣିପାରିଲେ, ତୁମ ବଂଶର ଯେ କେତେ ନିନ୍ଦା ହେବ, ତୁମେ ଯେ କେତେ ହୀନସ୍ତା ହବ । ଏଇ ଆଶଙ୍କାରେ ମୁଁ କିଛି କହିପାରିଲି ନାହିଁ । କେତେଥର ଭାବିଚି, କହି ଦେଇ ସବୁଜ୍ୱାଳା ସାରି ଦେବି । କିନ୍ତୁ ତୁମର କଥା ଭାବି କହି ଆସିଲା କଥା ଢୋକିଦିଏ । ସେଦିନ ଯାଇଥିଲି ସୋମନାଥଙ୍କ ଘରକୁ କାନ୍ଦି ବୋବେଇ ତାଙ୍କୁ ସ୍ୱୀକୃତି କରାଇବି, ସେ ଯେପରି ନିରବ ହୁଅନ୍ତି । କିନ୍ତୁ ମୋର ଭାଗ୍ୟକୁ ସେ ତ ମଙ୍ଗିଲେ ନାହିଁ । କେବଳ ଫଳ ହେଲା ତୁମର ମନରେ ଦାରୁଣ ଯନ୍ତ୍ରଣା । ଓ, ତୁମେ କେତେ କଷ୍ଟ ସହିଥିବ । ମତେ କେତେ ଘୃଣା କରିଥିବ ?

 

ନୀଳ–‘‘ପଦ୍ମିନୀ’’ ।

ପଦ୍ମା–‘‘ସ୍ୱାମୀନ୍ ।’’

 

ପଦ୍ମାର ହସ୍ତ ନୀଳର ହାତରେ, ତା’ର ଚକ୍ଷୁସ୍ଥିର, ଉଜ୍ଜ୍ୱଳ ! ସବୁ ଯେପରି ପୂର୍ଣ୍ଣ ହୃଦୟର ଗମ୍ଭୀର ନିରବତା’ର ପୂର୍ଣ୍ଣ । ମୁଁ ମୁହଁ ବୁଲାଇ ଦି’ଟୋପା ଲୁହ ଗଡ଼ାଇ ପକାଇଲି ।

Image